Latest Odisha News

BREAKING NEWS

ଆଜି ପବିତ୍ର ଶ୍ରୀରାମ ନବମୀ : ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର : ଆଜି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭଗବାନଙ୍କ ଠାରୁ ଦୁରେଇ ରହିଥିବା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଜି ମିଳନ  । ରାମ ନବମୀ ପାଇଁ ରାଜ୍ୟ ତଥା ଦେଶର ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳ ଚହଳ ଆରମ୍ଭ ହୋଇଯାଇଛି । ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଲମ୍ବା ଲାଇନ୍‌ ଲାଗିଛି।

ରାମ ମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସକାଳ ୫ଟାରୁ ଭକ୍ତ ଧାଡି ବାନ୍ଧି ରାମଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଉଛନ୍ତି । ଦିନ ୧୦ଟା ଯାଏଁ ହୋମ ଯଜ୍ଞ ଚାଲିବ, ଏହାପରେ ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ପାଳନ କରାଯିବ ।

ଏହାପରେ ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତୀ କରାଯାଇ ସାଢ଼େ ୧ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ । ସାଢ଼େ ୧ଟାରୁ ୪ଟା ପର୍ଯ୍ୟନ୍ତ ପହଡ଼ ପଡ଼ିବ । ପୁଣି ୪ଟାରେ ଭକ୍ତମାନେ ଭଗବାନଙ୍କ ଦର୍ଶନ କରିବେ । ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତୀ କରାଯିବ । ଆଉ ରାତି ୯ଟାରେ ପୁଣି ଭୋଗ ଆଳତୀ କରାଯିବ । ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ସହ ଦିନରେ ମନ୍ଦିରରେ ଭଜନ, କୀର୍ତ୍ତନ ଜାରି ରହିବ ।

ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବ୍ୟାରିକେଡ୍‌ ଦ୍ୱାରା ଲୋକଙ୍କୁ ଶାନ୍ତି ଶୃଙ୍ଖଳାରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛାଡ଼ଯିବ । ମନ୍ଦିର ପରିସରେ ସିସିଟିଭି ଲାଗିଛି । ଏହାଛଡ଼ା ମନ୍ଦିର ଟ୍ରଷ୍ଟର ୩୦ଜଣ ସ୍ୱେଚ୍ଛାସେବୀ, ସୁରକ୍ଷା କର୍ମୀ ଓ ପୁଲିସ ଫୋର୍ସ ଭକ୍ତଙ୍କୁ ସୁରକ୍ଷିତ ଭାବେ ଦର୍ଶନ କରିବାକୁ ଜଗିବେ ।

ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥି ଦିନ ରାମନବମୀ ପର୍ବ ପାଳନ କରାଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ଦିନ ପ୍ରଭୁ ଶ୍ରୀ ରାମ ଜନ୍ମ ନେଇଥିଲେ ,ତେଣୁକରି ସାରା ଭାରତ ବର୍ଷରେ ହିନ୍ଦୁମାନେ ଏହାକୁ ପାଳନ କରି ଥାନ୍ତି । ଭଗବାନ ରାମ ହେଉଛନ୍ତି ବିଷ୍ଣୁଙ୍କର ସପ୍ତମ ଅବତାର । ପୃଥିବୀରେ ଅସୁର ମାନଙ୍କର ସଂହାର କରିବା ପାଇଁ ଭଗବାନ ବିଷ୍ଣୁ ତ୍ରେତୟା ଯୁଗରେ ଶ୍ରୀରାମ ଭାବରେ ଅବତାର ନେଇଥିଲେ ।

ଭଗବାନ ରାମଙ୍କୁ ମର୍ଯ୍ୟାଦା ପୁରୁଷତ୍ତମ କୁହାଯାଏ ,କାରଣ ସେ ନିଜ ଜୀବନ କାଳରେ ଅନେକ କଷ୍ଟ ସହି ମଧ୍ୟ ନିଜର ମର୍ଯ୍ୟାଦା ହରାଇ ନଥିଲେ। ସେ ବିପରୀତ ପରିସ୍ଥିତିରେ ନିଜର ଆଦର୍ଶକୁ ହରାଇ ନଥିଲେ ,ଏହି ଦିନ ଭାରତର ସମସ୍ତ ମନ୍ଦିରରେ ରାମଙ୍କର ପୂଜାର୍ଚନା କରାଯାଇଥାଏ । କିନ୍ତୁ ଖାସ କରି ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟାରେ ଏହି ପର୍ବକୁ ହସଖୁସିରେ ପାଳନ କରାଯାଇଥାଏ ।

Leave A Reply

Your email address will not be published.