Latest Odisha News

ଗନ୍ଧମାର୍ଦ୍ଦନ ଯୋଗାଇଦେବ କର୍କଟ ଭଳି ଦୁରାରୋଗର ଔଷଧ…

ସମ୍ବଲପୁର: ପୁଣି ଗବେଷଣାରେ ଆଉ ପାଦ ଆଗକୁ ଆଗେଇଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ତରଫରୁ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ୧୬ ପ୍ରକାର ମିଶ୍ରିତ ଜଡ଼ିବୁଟିର ମିଶ୍ରଣରୁ ମଧୁମେହ ଔଷଧର ପେଟେଣ୍ଟ ପ୍ରସ୍ତୁତ କରାଯାଇଛି। ଏହା ସହିତ ବିଶ୍ବବିଦ୍ୟାଳୟ ପକ୍ଷରୁ ଫାଇଲେରିଆ ରୋଗ ପାଇଁ ଔଷଧ ତିଆରି କରାଯାଇଥିବାବେଳେ କର୍କଟ ପରି ଦୁରାରୋଗର ଚିକିତ୍ସା ପାଇଁ ଗବେଷଣା ଜାରି ରଖିଛି ବିଶ୍ବବିଦ୍ୟାଳୟ।

ଆଞ୍ଚଳିକ ବିକାଶ ଏବଂ ପଶ୍ଚିମ ଓଡ଼ିଶାର ଟ୍ରାଇବାଲ ଷ୍ଟଡିଜ୍‌ ଓ ଦ୍ୱିତୀୟଟି ମେଡ଼ିସିନାଲ ପ୍ଲାଣ୍ଟ ଏବଂ ଥେରାପ୍ୟୁଟିକ ଦୁଇଟି ପ୍ରକଳ୍ପ ପୁରାତନ କାଳରୁ ଚିରାଚରିତ ପ୍ରଥାରେ ଔଷଧୀୟ ବୃକ୍ଷ ମାନଙ୍କର ଚେରମୂଳିକୁ ଔଷଧ ଭାବରେ ବ୍ୟବହାର କରିବା ପ୍ରକ୍ରିୟା ଉପରେ ଅଧ୍ୟୟନ ଆରମ୍ଭ କରିଥିଲା । ଏହାକୁ ଆଧାର କରି ବିଭିନ୍ନ ସ୍ଥାନ ତଥା ଗନ୍ଧମାର୍ଦ୍ଦନ ଜଙ୍ଗଲରେ ରହିଥିବା ଔଷଧୀୟ ବୃକ୍ଷ ମାନଙ୍କୁ ପ୍ରଥମେ ଚିହ୍ନଟ କରାଯିବା ପ୍ରକ୍ରିୟା ଏବଂ ତାକୁ ସଂଗ୍ରହ କରାଯାଇ ସେଥିମଧ୍ୟରୁ ଔଷଧୀୟ ଅଂଶକୁ କଢ଼ାଯାଇ ଲୋକଙ୍କ ଉପରେ ଉପଯୋଗରେ ଅଣାଯିବା ପ୍ରକ୍ରିୟା ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋ ଟେକ୍ନୋଲୋଜି ଏବଂ ବାୟୋ ଇନଫରମେଟିକ୍ସ ବିଭାଗରେ ଗବେଷଣା ଜାରି ରହିଛି।

ତେବେ ଏହାରି ଭିତରେ ଏହି ଗବେଷଣା ମାଧ୍ୟମରେ ମଧୁମେହ ଏବଂ ଫାଇଲେରିଆ ରୋଗର ଚିକିତ୍ସା ପାଇଁ ଔଷଧ ତିଆରି କରିବାରେ ବିଭାଗ ସଫଳ ହୋଇଥିବାବେଳେ କର୍କଟରୋଗ ମୂଳରୁ ନାଶ କରିବା ପାଇଁ ପ୍ରୟାସ ଜାରି ରଖିଥିବା ସେଣ୍ଟର ଅଫ୍‌ ଏକ୍ସିଲେନ୍ସିର ସଂଯୋଜକ ପ୍ରଫେସର ପ୍ରଦୀପ ନାୟକ ସୂଚନା ଦେଇଛନ୍ତି। ଏପରିକି ଲାବରୋଟୋରୀ ମଧ୍ୟରେ ଏକ ମୂଷା ଉପରେ ପ୍ରଥମେ ଏହି କର୍କଟରୋଗ ପାଇଁ ଉଦ୍ଭାବନ ହୋଇଥିବା ଔଷଧର ପରୀକ୍ଷଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଗନ୍ଧମାର୍ଦ୍ଦନ ପର୍ବତର ବିଭିନ୍ନ ଔଷଧୀୟ ବୃକ୍ଷର ନମୁନାକୁ ମିଶ୍ରଣ କରାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇଥିଲା। ପ୍ରଥମେ ଏହି ଔଷଧକୁ ପଶୁଠାରେ ବ୍ୟବହାର କରି ସକାରାତ୍ମକ ଫଳାଫଳ ମିଳିଥିବା ସେ କହିଛନ୍ତି ।

ପଲି ହର୍ବାଲ ଔଷଧରେ ୧୬ ପ୍ରକାର ମିଶ୍ରିତ ଜଡ଼ିବୁଟିର ଏକ ମିଶ୍ରଣରୁ ଏହି ମଧୁମେହ ଔଷଧ ପ୍ରସ୍ତୁତ କରାଯାଇଛି । ଯାହା ବିଟା ସେଲ ରିଜେନେରେଟ କରିବା ସହିତ ଇନ୍‌ସୁଲିନ ସିକ୍ରେସନକୁ ସାଧାରଣ ପ୍ରକ୍ରିୟାକୁ ନେଇ ଆସିବ ।

ଅନ୍ୟପକ୍ଷରେ ଏହାର ସଫଳତା ପରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଥମେ ପଶୁ ବା ମୂଷା ଉପରେ ପରୀକ୍ଷଣ ବ୍ୟବସ୍ଥା ଚାଲିଥିବା ବେଳେ ତାହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିବା ନେଇ ସେ କହିଛନ୍ତି। ଯଦ୍ବାରା ଆଗକୁ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ଜଡିବୁଟି ଔଷଧ ଉପଲବ୍ଧ ହୋଇପାରିବ। ଏନେଇ ଆୟୁଷ ମନ୍ତ୍ରାଳୟକୁ ଅନୁମତି ମଗାଯାଇଥିବା ବେଳେ ଆଗାମୀ ଦୁଇମାସ ମଧ୍ୟରେ କର୍କଟ ପାଇଁ ଔଷଧ ପ୍ରକ୍ରିୟା ଚୂଡ଼ାନ୍ତରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ସେଣ୍ଟର ଅଫ୍‌ ଏକ୍ସିଲେନ୍ସିର ସଂଯୋଜକ ପ୍ରଫେସର ପ୍ରଦୀପ ନାୟକ । ଏହା ସହିତ ଗନ୍ଧମାର୍ଦ୍ଦନରୁ ବିଲୁପ୍ତ ପ୍ରାୟ ଔଷଧୀୟ ଉଦ୍ଭିଦ ମାନଙ୍କୁ ଟିସୁ ସଂସ୍କୃତି ମାଧ୍ୟମରେ ବିଭାଗର ସବୁଜ ଘରେ ବିକଶିତ କରାଯାଉଛି।

Comments are closed.