Latest Odisha News

ସମୀର ବଦଳାଇବେ ନିମାପଡ଼ା ଅଙ୍କ !

ଭୁବନେଶ୍ଵର: ଗତ ତିନି ଥର ହେଲା ନିମାପଡା ବିଧାନସଭା ଜିତିଆସୁଛନ୍ତି ସମୀର ଦାଶ । ଏଥର ବିଜେଡି ତାଙ୍କ ଟିକେଟ୍ କାଟି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ତେବେ ଟିକେଟ୍ କଟିବା ପରେ ଶକ୍ତି ପ୍ରଦର୍ଶନ କରିଥିଲେ ସମୀର । ତଥାପି ଦଳ ତାଙ୍କ କଥା ନଶୁଣିବାରୁ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଦିନେ ବିଜେଡିର ନିମାପଡା ଚେହେରା ରହିଥିବା ସମୀର ଦାଶ ଏଥର ଦଳକୁ ମାତ୍ ଦେବାକୁ ମାଷ୍ଟରପ୍ଲାନ୍ କରୁଛନ୍ତି । ବିଜେପିରୁ ପ୍ରଭାତି ପରିଡା ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ମଇଦାନରେ ଅଛନ୍ତି ଭେଟେରାନ୍ ନେତା ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟ ।

ନିମାପଡାରେ ‘ସମୀର’ ଫ୍ୟାକ୍ଟର

ନିମାପଡାରୁ ୨୦୦୯ରୁ ଜିତି ଆସୁଛନ୍ତି ଟାଣୁଆ ନେତା ସମୀର ଦାଶ । ବିଜେଡି ସରକାରରେ ମନ୍ତ୍ରୀ ବି ରହିଥିଲେ ସମୀର । ତେବେ ଏଥର ତାଙ୍କ ଟିକେଟ୍ କାଟି ବିଜେପିରୁ ଆସିଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି । ଏହାକୁ ନେଇ ସମୀର ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ଦୁଇ ଦୁଇ ଥର ହଜାର ହଜାର ଲୋକଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ ବି କରିଥିଲେ ସମୀର । ହେଲେ ବଦଳିଲାନି ବିଜେଡିର ନିଷ୍ପତ୍ତି । ଶେଷରେ ନିରାଶ ହୋଇ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ସମୀର ଦାଶ । ବିଜେପିକୁ ସମୀର ଯିବା ପରେ ବଦଳିଛି ନିମାପଡା ଗଣିତ । ତାଙ୍କ ସମର୍ଥକ ଓ କର୍ମୀ ବି ବିଜେପିରେ ମିଶିଛନ୍ତି । ଯାହା ବିଜେଡିକୁ ଅଡୁଆରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେପିର ଦାୟିତ୍ବ ବିଜେଡିର ଘେରାବନ୍ଦୀ

ସମୀର ଦାଶ ବିଜେପିରେ ସାମିଲ ହେବା ପରେ ନିମାପଡାରେ ଦଳର ବଳ ବଢିଛି । ନିମାପଡାରେ ୧୫ବର୍ଷ ପରେ ଗେରୁଆ ବାନା ଉଡାଇବାକୁ ଅଣ୍ଟା ଭିଡିଛନ୍ତି ସମୀର । ତାଙ୍କୁ ରାଜ୍ୟ ମୁଖପାତ୍ର ନିଯୁକ୍ତ କରିଛି ବିଜେପି । ଏଥିସହ କାକଟପୁର, ନିମାପଡା, ପିପିଲି ଓ ସତ୍ୟବାଦୀ ଆସନରେ ନିର୍ବାଚନ ପରିଚାଳନା ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି ବଳ । ଅର୍ଥାତ ନିମାପଡାରେ ବିଜେପି ପ୍ରାର୍ଥୀ ପ୍ରଭାତି ପରିଡାଙ୍କ ପାଇଁ ବିଜୟ ଅଙ୍କ କଷିବେ ସମୀର । ସେପଟେ ସମୀରଙ୍କୁ ମାତ୍ ଦେବାକୁ ଅମରେଶ ଜେନା, ଲତିକା ପ୍ରଧାନଙ୍କ ପରି ୮ଜଣ ନେତାଙ୍କୁ ନିମାପଡାରେ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି । ଅର୍ଥାତ ନିମାପଡାରେ ଯେ ସମୀର ବାଜି ବଦଳାଇପାରିବେ, ସେ ଆଶଙ୍କା ବିଜେଡିର ବି ରହିଛି ।

ଫସିଯିବେ କି ଦିଲ୍ଲୀପ !

ବିଜେପିରୁ ଆସି ବିଜେଡି ଟିକେଟରେ ନିମାପଡାରୁ ଲଢୁଛନ୍ତି ଦିଲ୍ଲୀପ ନାୟକ । ତେବେ ସମୀର ଦାଶ ଖୋଲା ବିଦ୍ରୋହ କରି ଦଳ ଛାଡିବା ପରେ ଦିଲ୍ଲୀପଙ୍କ ପାଇଁ ସଂକଟ ବଢିଛି । ଗତ ୧୫ବର୍ଷ ହେଲା ବିଜେଡି ସଂଗଠନ ସମୀରଙ୍କ ସହ ଥିଲା । ସେ ବିଜେପିକୁ ଯିବା ପରେ ବିଜେଡି ସଂଗଠନ ଦୁଇ ଫାଳ ହୋଇଛି । ପ୍ରଭାତି ପରିଡା ବିଜେପିର ପୁରୁଣା ନେତ୍ରୀ । ତେଣୁ ବିଜେପି ଯଦି ନିଜ ଭୋଟ୍ ଧରିରଖେ ଏବଂ ସମୀରଙ୍କ ସଂଗଠନ ଓ ସମର୍ଥକ ପ୍ରଭାତିଙ୍କୁ ସମର୍ଥନ କରନ୍ତି, ତେବେ ବିଜେପି ପାଇଁ ନିମାପଡା ବିଜୟର ବାଟ ଖୋଲିପାରେ ।

ଫ୍ରଣ୍ଟଫୁଟରେ କଂଗ୍ରେସ

ନିମାପଡାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟ । ଗତ କିଛିଦିନ ହେଲା ନିମାପଡାରେ କଂଗ୍ରେସର ସଂଗଠନ ସଜାଡିଛନ୍ତି ସିଦ୍ଧାର୍ଥ । ନିଜର ନିଆରା ଅନ୍ଦାଜ ଓ ରୋକଠୋକ୍ କଥା ପାଇଁ ଚର୍ଚ୍ଚାରେ ରହୁଥିବା ସିଦ୍ଧାର୍ଥ ଏଥର ନିମାପଡାରେ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ କଡା ଟକ୍କର ଦେବେ । ତାଙ୍କର ସପୋର୍ଟ ବେସ୍ ବଢୁଥିବା ବେଳେ କଂଗ୍ରେସ ନିମାପଡାରେ ନିର୍ଣ୍ଣାୟକ ଭୂମିକା ନେଇପାରେ । କଂଗ୍ରେସ ନିଜ ପାଖରେ ନିଜ ଭୋଟ୍ ରଖିଲେ କ୍ଷତିରେ ପଡିପାରେ ବିଜେଡି । ସମୀର ଦାଶ ଏଥର ନିର୍ବାଚନ ମଇଦାନରେ ନଥିଲେ ବି ନିମାପଡା ରାଜନୀତିରେ ସବୁଠୁ ବଡ ଫ୍ୟାକ୍ଟର ହୋଇପାରନ୍ତି ।

Leave A Reply

Your email address will not be published.