Latest Odisha News

BREAKING NEWS

ସମଲେଇ ବିକାଶ ଯୋଜନା: ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା । ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି ।

ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ବରୀଙ୍କ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣ ଯେଉଁ ତ୍ୟାଗ କରିଛନ୍ତି, ତାକୁ ଯୁଗ ଯୁଗ ଧରି ଆମର ଉତ୍ତରପୀଢି ମନେ ରଖିବେ । ଏହା ସହିତ ପ୍ରକଳ୍ପକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା ମଧ୍ୟ କରିଛନ୍ତି । ସଂପୂର୍ଣ୍ଣ ସମଲେଇ ଯୋଜନାକୁ ମେ’ ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ପାଇଁ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା । ଏଥିରେ ଡିଜାଇନ, ପରିବହନ, ନଦୀ ସମ୍ମୁଖ ଭାଗର ଉନ୍ନତିକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ଆକର୍ଷଣୀୟ ଥଇଥାନ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା । ଏହିସବୁ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଥଇଥାନ ଓ ପୁନର୍ବାସ ପ୍ୟାକେଜ କରାଯାଇଛି । ସମସ୍ତ କାର୍ଯ୍ୟ ପାଇଁ ଲୋକଙ୍କ ଠାରୁ ମତାମତ ନିଆଯାଇଛି । ଆବଶ୍ୟକସ୍ଥଳେ ଲୋକଙ୍କ ମତାମତା ଅନୁଯାୟୀ ଏହାକୁ ଆହୁରି ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  

ଥଇଥାନ ଓ ପୁନର୍ବାସ ପ୍ୟାକେଜରେ ନିମ୍ନଲିଖିତ ବ୍ୟବସ୍ଥା ରହିଛି ….

୧. ବେସରକାରୀ ଜାଗାରେ ଘର

  • ବେସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଜମିକୁ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ ଏବଂ କ୍ଷତିପୂରଣ ପ୍ରଦାନ କରାଯିବ। 
  • ମନ୍ଦିରର ପୂଜାରୀଙ୍କୁ ଜମି ପ୍ରଦାନର ସୁବିଧା ରହିବ । ଯଦି ପ୍ରଦାନ କରାଯାଉଥିବା ଜମିର ମୂଲ୍ୟ ପୂଜାରୀଙ୍କ ମୂଳ ଜମିର ବଜାର ଦର ଠାରୁ କମ୍‌ ରୁହେ, ତେବେ ମୂଲ୍ୟର ପାର୍ଥକ୍ୟ ଅନୁଯାୟୀ କ୍ଷତିପୂରଣ ଟଙ୍କା ଆକାରରେ ମଧ୍ୟ ପ୍ରଦାନ କରାଯିବ । ଏହା ସହିତ ପୂଜାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁନର୍ବାସ ଭତ୍ତା ପ୍ରଦାନ କରାଯିବ ।
  • ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରାଯିବ ।
  • ପ୍ରତ୍ୟେକ ପରିବାରକୁ ୧୨ ମାସ ପାଇଁ ୧୦ ହଜାର ଟଙ୍କା ଘରଭଡା ଦିଆଯିବ ।
  • ଯେଉଁ ପୂଜାରୀଙ୍କର ଘର ନଥିବ, ସେମାନଙ୍କ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ଜରିଆରେ ଉପଯୁକ୍ତ ପୁନର୍ବାସ ପ୍ୟାକେଜ ଦିଆଯିବ ।

୨. ବେସରକାରୀ ଜାଗାରେ ଦୋକାନ ଘର

  • ଜାଗାର ପଟ୍ଟା ଥିବା ସବୁ ଦୋକାନ ମାଲିକଙ୍କ ଠାରୁ ଜମିକୁ ସିଧାସଳଖ କିଣାଯିବ ।
  • କ୍ଷତିପୂରଣ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ।
  • ଦୋକାନକୁ ଅନ୍ୟଜାଗାରେ ଅବସ୍ଥାପିତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ । ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରୁ ଗୋଟିଏ କିସ୍ତି ଏବଂ ସଂପତ୍ତି ଅଧିଗ୍ରହଣ ପରେ ଆଉ ଏକ କିସ୍ତି ପ୍ରଦାନ କରାଯିବ ।

୩. ସରକାରୀ ଜାଗାରେ ବସ୍ତିରେ ଥିବା ଅନଧିକୃତ ଘର

  • ଛୋଟ ଛୋଟ କଚ୍ଚା ଘର କିମ୍ବା ଆଂଶିକ ପକ୍କା ଘର ଥିବା ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କା କିମ୍ବା ଘରର ମୂଲ୍ୟ, ଯାହା ଅଧିକ ଥିବା ତାହା ଦିଆଯିବ । ଏହାସହିତ ଲୋକଙ୍କ  ପୁନର୍ବାସ ପାଇଁ ୬୫୦ ବର୍ଗଫୁଟ ଅଞ୍ଚଳର ଯାଗା ଦିଆଯିବ । ବଡ ବଡ ପକ୍କା ଘର ଥିବା ବସ୍ତିର ପରିବାରଗୁଡିକୁ ଘରର ମୂଲ୍ୟ ଏବଂ ୬୫୦ ବର୍ଗଫୁଟର ଯାଗା ଦିଆଯିବ ।
  • ସମ୍ବଲପୁର ମହାନଗର ନିଗମ ଦ୍ବାରା ପରିବହନ, ୮ ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ ।

୪. ବସ୍ତି ବ୍ୟତୀତ ଅନ୍ୟ ଜାଗାରେ ଥିବା ବେସରକାରୀ ଜାଗାରେ ଅନଧିକୃତ ଘର

  • ପ୍ରତ୍ୟେକ ପରିବାର ପାଇଁ ଘରର ବଜାର ଦର ଅନୁଯାୟୀ କ୍ଷତିପୂରଣ
  • ପ୍ରତ୍ୟେକ ପରିବାର ପାଇଁ ୨,୫୭,୪୭୫ ଟଙ୍କା ପୁନର୍ବାସ ସହାୟତା
  • ଅନ୍ୟ ସ୍ଥାନକୁ ଯିବା ପାଇଁ ପରିବାର ପିଛା ଏକକାଳୀନ ୫୦ ହଜାର ଟଙ୍କା ସହାୟତା

୫. ସରକାରୀ ଜାଗାରେ ଥିବା ଅନଧିକୃତ ଦୋକାନ ଘର

  • ଆଶିଂକ ପକ୍କା ଘର ଥିବା ଦୋକାନ ଘର ଏକକାଳୀନ ୩୦ ହଜାର ଟଙ୍କା ଓ ସଂପୂର୍ଣ୍ଣ ପକ୍କା ଘର ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦିଆଯିବ ।

୬. ସରକାରୀ ଜାଗାରେ ଥିବା ଉଠାଦୋକାନୀ

  • ଉଠାଦୋକାନୀଙ୍କୁ ୩୦ ହଜାର ଟଙ୍କା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ ।
  • ସେମାନଙ୍କ ପାଇଁ ଏକ ଷ୍ଟ୍ରିଟ ଭେଣ୍ଡି ପ୍ଳାନ କରାଯିବ ଏବଂ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଦୋକାନ ପାଇଁ ଜାଗା ଦିଆଯିବ ।

୭. ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାକୁ ସହାୟତା

  • ସମ୍ବଲପୁର ଜିଲ୍ଲାପାଳ ସରକାରୀ କାର୍ଯ୍ୟାଳୟ ଗୁଡିକ ପାଇଁ ଅନ୍ୟତ୍ର ସାମୟିକ ବ୍ୟବସ୍ଥା କରିବେ ଏବଂ ସେମାନଙ୍କୁ ସରକାରୀ ଜାଗାରେ ଅଫିସ ବିଲ୍ଡିଂ କରିବା ପାଇଁ ସ୍ଥାନ ଯୋଗାଇ ଦେବେ ।

୮. ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ଥଇଥାନ

  • ପ୍ରକଳ୍ପ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ଏକ ସଂପୂର୍ଣ୍ଣ ଥଇଥାନ ଯୋଜନା କରାଯିବ । ଏହାକୁ ସମ୍ବଲପୁର ମହାନଗର ନିଗମ ଦ୍ବାରା କାର୍ଯ୍ୟକାରୀ କରାଯିବ ।  ଏଥିରେ ଭୋକେସ୍ନାଲ ଟ୍ରେନିଂ, ଆର୍ଥିକ ସହାୟତା, ସ୍ବାସ୍ଥ୍ୟ ସହାୟତା, ରେସନ କାର୍ଡ ବ୍ୟବସ୍ଥା, ସ୍ଥାନୀୟ ସମ୍ବଳର ଉପଯୋଗ, ଆଶ୍ରୟ ଘର ଏବଂ MBPY ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା ରହିବ ।

୯. ସରକାରୀ ଜମିରେ ଥିବା ଧାର୍ମିକ ଅନୁଷ୍ଠାନ ଓ କ୍ଲବ

  • ଏହିସବୁ ସଂସ୍ଥାଗୁଡିକୁ ଏକକାଳୀନ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ।

ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ 5-T ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସନଚାଳନା କରିଥିଲେ । 

Leave A Reply

Your email address will not be published.