Latest Odisha News

BREAKING NEWS

ଖରାପ ଟିଭି ପାଇଁ ଫସିଲା ସାମସଙ୍ଗ: ମାଲକାନଗିରିର ଗ୍ରାହକଙ୍କୁ ୬୮ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମାଲକାନଗିରି: ଖରାପ ଟିଭି ବିକ୍ରି ଅଭିଯୋଗରେ ଗ୍ରାହକଙ୍କୁ ୬୮ ହଜାର ଟଙ୍କା ଓ ହଇରାଣ ପାଇଁ କ୍ଷତିପୂରଣ ଦେବାକୁ ବହୁରାଷ୍ଟ୍ରୀୟ କମ୍ପାନୀ ସାମସଙ୍ଗକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ନିବାରଣ ଫୋରମ୍।

ମାଲକାନଗିରି ଜିଲ୍ଲା ଖାଉଟି ନିବାରଣ ଫୋରମରେ ଦାୟର ହୋଇଥିବା ମାମଲା ଅନୁଯାୟୀ, ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ ୨୦୧୯ ମାର୍ଚ୍ଚ ମାସରେ ସାମସଙ୍ଗ ସୋ’ରୁମ୍ରୁ ୪୩ ଇଞ୍ଚର ଟିଭି କିଣିଥିଲେ। ୫-୬ ମାସ ପରେ ଟିଭି ନଚାଲିବାରୁ ମରାମତି ପାଇଁ ସୋ’ରୁମ୍ କୁ ନେଇଥିଲେ।

ଟିଭିରେ ୫ ବର୍ଷ ପାଇଁ ୱାରେଣ୍ଟି ଥିବାରୁ ଡିଲର ଏହାକୁ ମାଗଣାରେ ମରାମତି କରି ଗ୍ରାହକଙ୍କୁ ଫେରାଇ ଦିଆଯାଇଥିଲା। କିନ୍ତୁ ୧୫ ଦିନ ପରେ ପୁଣି ଟିଭି ଅଚଳ ହୋଇଯିବାରୁ ପୁଣିଥରେ ଏହାକୁ ସୋ’ରୁମ୍ କୁ ନେଇଯାଇଥିଲେ।

ତେବେ ଏହି ଖରାପ ଟିଭି ମରାମତି ପାଇଁ ଦେବାର ଅନେକ ଦିନ ପରେ ବି ଡିଲର ଏହାର ମରାମତି କରିନଥିଲେ । ଏପରିକି ନୂଆ ଟିଭି ପ୍ରତିବଦଳରେ ଦେଇ ନଥିଲେ। ଏହାପରେ ଟିଭି ମାଲିକ ରାମ ପ୍ରସାଦ ଖାଉଟି ଅଦାଲତରେ ମାମଲା ରୁଜୁ କରିଥିଲେ।

ଉଭୟ ଆବେଦନକାରୀ ଓ କମ୍ପାନୀର ଓକିଲଙ୍କ କଥା ଶୁଣି ଉପଭୋକ୍ତା ଫୋରମର ସଭାପତି ପିକେ ପଣ୍ଡା ଓ ସଦସ୍ୟ ସଲାମ ବାନୋ ସାମସଙ୍ଗକୁ ୬୮,୭୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୦ ସୁଦ୍ଧା ଟିଭିର ଖର୍ଚ୍ଚ ବାବଦକୁ ୫୦,୭୦୦ ଟଙ୍କା, କ୍ଷତିପୂରଣ ବାବଦରେ ୧୫ ହଜାର ଟଙ୍କା ଏବଂ ୩ ହଜାର ଟଙ୍କା ଜରିମାନା ବାବଦରେ ରାମ ପ୍ରସାଦ ପଟ୍ଟନାୟକଙ୍କୁ ପ୍ରଦାନ କରିବାକୁ କୁହାଯାଇଛି।

Comments are closed.