Latest Odisha News

BREAKING NEWS

ଜାପାନ ଇତିହାସରେ ପ୍ରଥମ, ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଣେ ମହିଳା

ଟୋକିଓ: ଜାପାନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (LDP) ସାନାଏ ତାକାଇଚିଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି। ଯାହା ଫଳରେ ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି।

ଏପରିକି ଦେଶର ଇତିହାସରେ ପ୍ରଥମ ମହିଳା ଭାବରେ ନେତୃତ୍ୱ ନେବେ। ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମିଙ୍କ ପୁଅ ସିଞ୍ଜିରୋ କୋଇଜୁମିଙ୍କୁ ତାକାଇଚି ପରାଜିତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେହି ବହୁମତ ହାସଲ କରିପାରି ନାହାଁନ୍ତି।

୬୪ ବର୍ଷୀୟ ସାନାଏ ତାକାଇଚି ପୂର୍ବରୁ ଦେଶର ଅର୍ଥନୈତିକ ସୁରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଜାପାନର ଶାସକ ଦଳ LDPର ଦକ୍ଷିଣପନ୍ଥୀ ଗୋଷ୍ଠୀର ସଦସ୍ୟ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ କରିବା ପାଇଁ ସଂସଦରେ ଅକ୍ଟୋବର ୧୫ରେ ଭୋଟିଂ ହେବ ବୋଲି ଆଶା କରାଯାଉଛି।

ସେ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସତ୍ତା ବଦଳାଇବେ ବୋଲି ଆଶା କରାଯାଉଛି। କାରଣ LDP ସଂସଦରେ ସବୁଠାରୁ ବଡ଼ ଦଳ ହୋଇରହିଛି। ତେବେ ସାମ୍ପ୍ରତିକ ନିର୍ବାଚନ ପରେ କୌଣସି ଗୃହରେ LDP ନେତୃତ୍ୱାଧୀନ ମେଣ୍ଟର ସଂଖ୍ୟାଗରିଷ୍ଠତା ନାହିଁ। ଏପରିସ୍ଥଳେ ଶାସନ କରିବା ପାଇଁ ଦଳକୁ ବିରୋଧୀ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡିପାରେ।

 

Comments are closed.