Latest Odisha News

ବିଜେଡିରୁ ଇସ୍ତଫା ଦେଲେ ସନ୍ଧ୍ୟାବତୀ ପ୍ରଧାନ, କହିଲେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଁଚିପାରୁନି ତାଙ୍କ ବାର୍ତ୍ତା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍ ସିପିସିଆର)ର ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ନେତା ସନ୍ଧ୍ୟାବତୀ ପ୍ରଧାନ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଇସ୍ତଫା ପତ୍ରରେ ସନ୍ଧ୍ୟାବତୀ ପ୍ରଧାନ ଗଭୀର ନିରାଶା ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ସ୍ୱାର୍ଥ ଥିବା ଏକ ଗୋଷ୍ଠୀର ପ୍ରଭାବ ଯୋଗୁଁ ତାଙ୍କ ଭଳି ସଦସ୍ୟଙ୍କ ସ୍ୱର ନବୀନଙ୍କ ପାଖରେ ପହଞ୍ଚୁନଥିବା ସେ ଅନୁଭବ କରିଛନ୍ତି। ଅଭିଯୋଗ, ପରାମର୍ଶ ଦେବାର ସୁଯୋଗ ମିଳୁନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।

ମହିଳା ସଶକ୍ତୀକରଣ ଓ ଶିଶୁ ଅଧିକାର ସୁରକ୍ଷା ଦିଗରେ ସେ ନିଜ ଦାୟିତ୍ବକୁ ନିଷ୍ଠାର ସହ ନିର୍ବାହ କରିଛନ୍ତି ବୋଲି ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି। ତାଙ୍କୁ ଦିଆଯାଇଥିବା ସମସ୍ତ ଆହ୍ୱାନପୂର୍ଣ୍ଣ କାର୍ଯ୍ୟକୁ ସେ ଅତ୍ୟନ୍ତ ଆନ୍ତରିକତାର ସହ ସମ୍ପାଦନ କରିଥିଲେ । ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସେ ମହିଳା ସଶକ୍ତୀକରଣ ଓ ଶିଶୁ ସୁରକ୍ଷା ପ୍ରସଙ୍ଗକୁ ଏକ ମାନକସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରିଥିଲେ।

ତେବେ ବିଜୁ ଜନତା ଦଳର ସାମ୍ପ୍ରତିକ ସ୍ଥିତିକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଫଳରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପାଇଁ  ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ତେବେ ଏହି ଅଭିଯୋଗ ଉପରେ ମତାମତ ପାଇଁ ବିଜେଡି ନେତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଫଳ ହୋଇଛୁ।

Comments are closed.