Latest Odisha News

ପୁଣି ଶୋଏବ-ସାନିଆଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା

କରାଚୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ତିକ୍ତ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି । ଗୁରୁବାର ଶୋଏବ ତାଙ୍କ ଇନଷ୍ଟାଗ୍ରାମ ବାୟୋରେ ସାମାନ୍ୟ ପରିବର୍ତନ କରିଥିଲେ । ଏହା ପରେ ପୁନର୍ବାର ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ପୂର୍ବରୁ ଶୋଏବ ତାଙ୍କ ଇନଷ୍ଟାଗ୍ରାମରେ ଆଥଲେଟ ଓ ସୁପର ଓମ୍ୟାନ ସାନିଆ ମିର୍ଜାଙ୍କ ପତି ବୋଲି ଲେଖିଥିଲେ । ଏବେ ସେ ଲେଖିଛନ୍ତି ପ୍ରୋ ଆଥଲେଟ ଓ ଲିଭ ଅନବ୍ରୋକେନ । ୨୦୨୨ ନଭେମ୍ବରରେ ଉଭୟ ଅଲଗା ହେବାକୁ ଯାଉଛନ୍ତି ବୋଲି ଖବରମାନ ପ୍ରକାଶ ପାଇଥିଲା । ସାନିଆଙ୍କ ପାଖରେ ସେମାନଙ୍କ ପୁଅ ଇଜହାନ ମିର୍ଜା ରହୁଛନ୍ତି । ସେ ସମୟରେ ପାକିସ୍ତାନ ଖବରକାଗଜରେ ପ୍ରକାଶ ପାଇଥିଲା ଯେ, ସାନିଆଙ୍କୁ ଶୋଏବ ବିଶ୍ୱାସଘାତକତା କରିଛନ୍ତି ।

ପାକିସ୍ତାନ ଅଭିନେତ୍ରୀ ଆୟଶା ଉମରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏଥିଯୋଗୁ ଉଭୟ ଅଲଗା ହେବା ପାଇଁ ଚିନ୍ତା କରୁଛନ୍ତି । ୨୦୦୯ରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୨୦୧୦ରେ ଉଭୟ ନିକାହ କରିଥିଲେ ଏବଂ ୨୦୧୮ରେ ବାପାମାଆ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସୂଚନାଯୋଗ୍ୟ, ସାନିଆଙ୍କ ପୂର୍ବରୁ ଆୟଶା ସିଦ୍ଦିକ ନାମକ ଝିଅକୁ ଶୋଏବ ବିବାହ କରିଥିଲେ । ଏହି ବିବାହ ବିଚ୍ଛେଦ ପରେ ସେ ସାନିଆକୁ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରିଥିଲେ ।

Comments are closed.