Latest Odisha News

BREAKING NEWS

କଂଗ୍ରେସ, ବିଆରଏସକୁ ପାଣି ପିଆଇଦେବେ ଜୟସୁଧା !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଶକ୍ତି ବଢ଼ାଉଛି ବିଜେପି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ତେଲେଙ୍ଗାନାର ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ଦଳକୁ ବିଭିନ୍ନ କ୍ଷେତ୍ରରୁ ଆକ୍ଟିଭ କରିବା ଉଦ୍ୟମକୁ ଜୋରଦାର କରିଛନ୍ତି।

ଏହି କ୍ରମରେ ପ୍ରତିଷ୍ଠିତ ଅଭିନେତ୍ରୀ ଜୟସୁଧା ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ତଥା ତେଲେଙ୍ଗାନା ପ୍ରଭାରୀ ତରୁଣ ଚୁଗ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।

ରାଜ୍ୟର ମଙ୍ଗ ସମ୍ଭାଳିବା ପରେ କିଶନ ରେଡ୍ଡୀ ଜୟସୁଧାଙ୍କୁ ଦଳରେ ମିଶିବାକୁ ନିମନ୍ତ୍ରଣ କରିଥିଲେ। ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇଟାଲା ରାଜେନ୍ଦ୍ର ମଧ୍ୟ ଜୟସୁଧାଙ୍କୁ ଭେଟିଥିଲେ। କିଛି ଦିନ ପୂର୍ବରୁ ଏହି ପ୍ରତିଷ୍ଠିତ ଅଭିନେତ୍ରୀଙ୍କର ବିଜେପିରେ ସାମିଲ ହେବା କଥା ଚର୍ଚ୍ଚା ହେଉଥିଲା।

ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପାଇଁ ସେ ଏକ ପ୍ରମୁଖ ଚେହେରା ହେବା ସହ ସିକନ୍ଦରାବାଦ ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରେ ଲଢ଼ିବେ ବୋଲି କୁହାଯାଉଛି।

ଜୟସୁଧା ପୂର୍ବରୁ କଂଗ୍ରେସରୁ ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେଲେଙ୍ଗାନା ବିଧାନସଭା ନିର୍ବାଚନ ଆଉ ଅଳ୍ପ କିଛି ମାସ ଥିବାରୁ ବିଜେପି ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଓ ଅନ୍ୟ ଦଳର ପ୍ରଭାବଶାଳୀ ନେତାଙ୍କ ଉପରେ ଆଖି ପକାଇଛି।

୧୯୭୦ ଓ ୮୦ ଦଶକରେ ବିଭିନ୍ନ ଭାଷାଭାଷୀ ସିନେମାରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ଜୟସୁଧା ୨୦୦୯ ରେ କଂଗ୍ରେସରେ ଯୋଗ ଦେଇଥିଲେ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇ ଏସ ରାଜଶେଖର ରେଡ୍ଡୀଙ୍କ ଆହ୍ୱାନରେ ସେ ରାଜନୀତିରେ ସାମିଲ ହେବା ସହ ୨୦୦୯ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ପରେ ସେ କଂଗ୍ରେସ ଛାଡି ଟିଡିପିରେ ସାମିଲ ହୋଇଥିଲେ। ୨୦୧୯ ରେ ସେ ୱାଇଏସଆର କଂଗ୍ରେସରେ ସାମିଲ ହୋଇଥିଲେ। ଏବେ ସେ ବିଜେପିରେ ସାମିଲ ହୋଇଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକରେ ଅଭିନେତା ଅଭିନେତ୍ରୀ ମାନଙ୍କର ବିଶେଷ ପ୍ରଭାବ ରହିଥାଏ। ସେଥିପାଇଁ ରାଜନୈତିକ ଦଳ ଗୁଡିକ ପ୍ରତିଷ୍ଠିତ ଅଭିନେତା ଅଭିନେତ୍ରୀଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିଥାନ୍ତି।

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ପ୍ରତିଷ୍ଠିତ କନ୍ନଡ଼ ଅଭିନେତା କିଚା ସୁଦୀପ ମଧ୍ୟ ବିଜେପିକୁ ସମର୍ଥନ କରିବା ସହ ଦଳ ପାଇଁ ପ୍ରଚାର କରିଥିଲେ। କର୍ଣ୍ଣାଟକରେ କଂଗ୍ରେସ ପାଇଁ ମଧ୍ୟ କିଛି ଅଭିନେତା ପ୍ରଚାର କରିବା ଦେଖିବାକୁ ମିଳିଥିଲା।

ତେଣୁ ଏବେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଦେଶର ଲୋକପ୍ରିୟ ଅଭିନେତ୍ରୀ ଜୟସୁଧା ବିଜେପିର ହାତ ଧରିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Leave A Reply

Your email address will not be published.