Latest Odisha News

BREAKING NEWS

ମାସିକ ବେତନ ବୃଦ୍ଧି ସହ ୧୩ ଦଫା ଦାବିରେ ସଫେଇ କର୍ମଚାରୀଙ୍କ ବିଏମସି ହେଡ଼ ଅଫିସ ଘେରାଉ

ଭୁବନେଶ୍ୱର: ଆଜି ସିଆଇଟିୟୁ ପରିଚାଳିତ ଭୁବନେଶ୍ୱର ମହାନଗର ନିଗମ ୱାର୍କର୍ସ ୟୁନିୟନ ଆହ୍ୱାନରେ ସଫାଇ କର୍ମଚାରୀଙ୍କ ୧୩ ଦଫା ଦାବି ହାସଲ ନିମନ୍ତେ ବିଏମସି ର ମୁଖ୍ୟ ଅଫିସ୍ ଘେରାଉ କରାଯାଇଥିଲା l ଓଡିଶା କୃଷକ ସଭାର ରାଜ୍ୟ ସଭାପତି ସୁରେଶ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କେନ୍ଦ୍ର ସରକାର ଜନ ବିରୋଧୀ ୪ ଶ୍ରମକୋଡ଼ ବାତିଲ କରି ପୂର୍ବଭଳି ୪୪ ଶ୍ରମ ଆଇନ୍ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ l

ବିଏମସି ଶ୍ରମିକ ମାନଙ୍କର ନ୍ୟାୟ ପୂର୍ଣ୍ଣ ଦାବି ଗୁଡିକୁ ମହାନଗର ନିଗମ କର୍ତୃପକ୍ଷ ତୁରନ୍ତ ବିଚାର କରି ପୂରଣ କରିବାକୁ ଆହ୍ୱାନ ଦେଇଥିଲେ l ୟୁନିୟନର ଉପସଭାପତି ସତ୍ୟାନନ୍ଦ ବେହେରାଙ୍କ ସଂଯୋଜନାରେ ବିକ୍ଷୋଭରେ ଶ୍ରମିକ ନେତା ପ୍ରଭାତ ପାଣିଗ୍ରାହୀ, ଡିୱାଇଏଫଆଇ ରାଜ୍ୟ ସଭାପତି ଯତୀନ ମହାନ୍ତି, ଏସଏଫଆଇ ରାଜ୍ୟ ନେତା ଶୁଭ୍ରାଂଶୁ ଉଦଗତା ଭାଷଣ ଦେଇ ଅବିଳମ୍ବେ ଶ୍ରମିକଙ୍କ ଦାବି ମାନି ନେବାକୁ ଦାବିକରିଥିଲେ l

ୟୁନିୟନର ଉପ ସଭାପତି ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ, ସମ୍ପାଦକ ବିଦେଶୀ ନାୟକ, ବାଇଧର ନାୟକ, ଉଷା ନାୟକ, କୁନ୍ତଳା ଦିଗଲ ମଣ୍ଟୁ ନାୟକ ପ୍ରଭୃତି ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ବିଏମସି କମିଶନରଙ୍କ ସହିତ ଆଲୋଚନା କରିଥିଲେ l ସମାନ କାମକୁ ସମାନ ଦରମା ନ୍ୟାୟରେ ସଫାଇ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ପ୍ରଦାନ କରିବା, ବୋନସ ଆଇନ ଅନୁଯାୟୀ ବୋନସ ଦେବା, ଜାତୀୟ ଉତ୍ସବ ଦିନ ମାନଙ୍କରେ ସବେଇତନିକ ଛୁଟି ନଚେତ ଡବଲ ରୋଜଗାର, ସମସ୍ତ ସେଫଟି ପୋଷାକ ଜୋତା ମାସ୍କ ପ୍ରଦାନ କରିବା, ଗ୍ରାଚୁଇଟି, ଇପିଏଫ, ଇଏସଆଇ ସମେତ ବାର୍ଷିକ ୫ ହଜାର ଟଙ୍କା ସ୍ୱତନ୍ତ୍ର ଭତ୍ତା ପ୍ରଦାନ ଇତ୍ୟାଦି ୧୩ ଦଫା ଆଇନଗତ ଦାବିକୁ ମହାନଗର କମିଶନର ସହୃଦୟର ସହ ବିଚାର କରିବେ ବୋଲି ଆଲୋଚନାରେ କହିଥିଲେ l

ସମସ୍ତ ଠିକା ସଂସ୍ଥାର ମାଲିକମାନଙ୍କ ସହିତ ଜରୁରୀ ଆଲୋଚନା କରି ନିଶ୍ଚିନ୍ତ ଦୁଇ ମାସ ମଧ୍ୟରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ l ଭୁବନେଶ୍ୱର ସହରରେ ଥିବା ସିଆଇଟିୟୁର ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡିଶା କୃଷି ବିଶ୍ୱବିଦ୍ୟାଳୟ, ଅଟୋ ଚାଳକ, ରେଳବାଇ ଠିକା ଶ୍ରମିକ, ନିର୍ମାଣ ଶ୍ରମିକ ୟୁନିୟନର ନେତୃତ୍ୱ ମାନେ ଯୋଗଦେଇ ଆନ୍ଦୋଳନକୁ ସଫଳ କରିଥିଲେ l

Comments are closed.