Latest Odisha News

ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି ।ଏହି କ୍ରମେର ବିଜେପିରେ ସାମିଲ ହେଲେ ହେଭିଓ୍ବେଟ୍ ନେତା । ଆଜି ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୁହରି ମହତାବ, ବିଜେଡିରୁ ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ।

ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଲେ । ବିଜେପି ରାଷ୍ଟ୍ରୀୟଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ହେଲେ ସାମିଲ ।

୧୯୯୮ ମସିହାରୁ କଟକରୁ ସାଂସଦ ରହି ଆସିଛନ୍ତି ଭର୍ତ୍ତୃହରି । କଟକରୁ ଲଗାତାର ୬ ଥର ଜିତିଛନ୍ତି । ୧୯୯୮ ମସିହାରେ ପ୍ରଥମଥର କଟକ ଲୋକସଭାରୁ ଜିତିଥିଲେ । ପରେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ସାଂସଦ ହୋଇଛନ୍ତି । ସେହିପରି, ୨୦୧୭ ମସିହାରେ ସେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରୀ ଆୱାର୍ଡ ଗ୍ରହଣ କରିଥିଲେ ଭର୍ତ୍ତୁହରି । ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ପାଇଥିଲେ ସଂସଦ ରତ୍ନ ପୁରସ୍କାର ।

ମାର୍ଚ୍ଚ ୨୨ ତାରିଖରେ ବିଜେଡିରୁ ଇସ୍ତାଫା ଦେଇଥିଲେ ଭର୍ତ୍ତୃହରି । ଏହାପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଯୋର ଧରିଥିଲା । ଯାହାର ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି, ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯ ଓ ୨୦୧୪ରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ରେ ଦଳ ଆଉ ତାଙ୍କୁ ଟିକେଟ୍ ଦେଇ ନଥିଲା । ଗତ କିଛି ଦିନ ହେବ ପୁଣି ନିର୍ବାଚନ ମଣ୍ଡଳୀ ବୁଲିବା ଆରମ୍ଭ କରିଦେଇଥିଲେ ସିଦ୍ଧାନ୍ତ ଯାହାକୁ ନେଇ ଚର୍ଚ୍ଚା ବଢିଥିଲା । ଆଉ ଆଜି ସେ ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି । କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ । ତେବେ ଖୁବଶୀଘ୍ର ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆସିଲେ ଲୋକେ ଦେଖିପାରିବେ’।

ତେବେ ୬ ଥର କଟକରୁ ସାଂସଦ ରହି ସାରିଥିବା ଭର୍ତ୍ତୃହରିଙ୍କୁ ଦଳ କଟକ ଲୋକସଭାରୁ ପ୍ରାର୍ଥୀ କରିପାରେ । ସେହିଭଳି ସିଦ୍ଧାନ୍ତଙ୍କୁ ଦଳ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଯୋର ଧରିଛି ।

Leave A Reply

Your email address will not be published.