ଭୁବନେଶ୍ଵର:ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା । ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୩ ସେଟର ନାମାଙ୍କନ ଦାଖଲ କରିଛନ୍ତି ଓ କମନ୍ କ୍ୟାଣ୍ଡେଟ୍ ପ୍ରାର୍ଥୀ ଭାବେ ଦତ୍ତେଶ୍ବର ହୋତା ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା ।
ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ୩ ସେଟ୍ର ନାମାଙ୍କନ ଦାଖଲ କରିଛନ୍ତି। ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ସମର୍ଥନରେ ଡ.ଦତ୍ତେଶ୍ୱର ହୋତା ସାଧାରଣ ପ୍ରାର୍ଥୀ ଭାବରେ ଲଢ଼ୁଛନ୍ତି। ରିଟର୍ଣ୍ଣି ଅଫିସରଙ୍କ ନିକଟରେ ଦୁଇ ନେତା ନୋମିନେସନ ଫାଇଲ୍ କରିଛନ୍ତି।
୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ହୋଇଛନ୍ତି । ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ୍ ଭାବେ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଭାବେ ଦିଲ୍ଳୀପ ରାୟ ପ୍ରାର୍ଥୀ ହୋଇଛନ୍ତି ।
ଦିଲ୍ଲୀପ ରାୟ ସ୍ଵାଧୀନ ପ୍ରାର୍ଥୀ ପ୍ରଶ୍ନରେ ସଂତୃପ୍ତ ମିଶ୍ର କହିଛନ୍ତି ଯେ, ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି। ତାଙ୍କର ଅଧିକାର ଅଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ବି ପ୍ରତିଦ୍ଵନ୍ଦିତା କରିପାରିବେ।
ସଂତୃପ୍ତ ଏବଂ ଦତ୍ତେଶ୍ଵରଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ୨ ପ୍ରାର୍ଥୀଙ୍କୁ ସ୍ଵାଗତ କରିଛନ୍ତି। ସମ୍ଭାବ୍ୟ ମେଣ୍ଟ ସମ୍ପର୍କିତ ପ୍ରଶ୍ନରେ ନବୀନ କହିଛନ୍ତି ଯେ, ସମୟ ଭବିଷ୍ୟତ କଥା କହିବ।
ସେହିପରି ନାମାଙ୍କନ ଦାଖଲ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବହୁ ଦିନ ପରେ ସମଭାବାପନ୍ନ ଦଳ ଏକାଠି ହେଲେ। ଏହି ରାଜ୍ୟସଭା ନିର୍ବାଚନରେ ନବୀନ ବାବୁଙ୍କ କମନ ପ୍ରାର୍ଥୀ ପ୍ରସ୍ତାବରେ ଏଆଇସିସି ତତକ୍ଷଣାତ ମୋହର ମାରିଥିଲା। ଆମର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି ଏବଂ ନିଶ୍ଚିତ ଚତୁର୍ଥ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଡାକ୍ତର ଦତ୍ତେଶ୍ବର ହୋତା ବିଜୟୀ ହେବେ।
ଓଡ଼ିଶାରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପରିଚାଳନା ପାଇଁ ଭାରତର ନିର୍ବାଚନ କମିସନ ଓଡ଼ିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଧିକାରୀ ଏବଂ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିୟୋଜିତ କରିଛନ୍ତି। ନିର୍ବାଚନ ମାର୍ଚ୍ଚ ୧୬ ତାରିଖରେ ହେବ।