କୁଞ୍ଜ ବିହାରୀ ସାହୁ
କେଉଁଟ ଘରର ଦୁଇପୁଅ । ନଦୀରୁ ମାଛ ଧରିବା ତାଙ୍କର ବେଉସା । ଅକାତକାତ ପାଣିକୁ ଡର ନାହିଁ ।
ଦୁଇଭାଇ ସାଥୀ ହୋଇ ବଣକୁ ଗଲେ । ହାଲକା କୁମ୍ବିକାଠଟିଏ କାଟିଲେ । ଡଙ୍ଗାଟିଏ ତିଆରିକଲେ । ଡଙ୍ଗାକୁ ନେଇ ପାଖ ନଦୀକୁ ଗଲେ । ସାଥିରେ ବଡ଼ ଜାଲଟିଏ ଧରିଲେ ।
ଅନେକ ଦିନରୁ ଜଳରାକ୍ଷସଟିଏ ପାଣି ଭିତରେ ଲୁଚି ରହୁଥିଲା । ଗାଁ ଲୋକେ ଜାଣି ପାରୁନଥିଲେ । ଦୁଇ ଭାଇ ଜାଲଟିକୁ ପାଣିରେ ପକାଇଲେ । ଆଶା ରଖିଲେ ବଡ଼ମାଛଟିଏ ଜାଲରେ ପଡ଼ିବ, ଖୁସିରେ ଘରକୁ ଆଣିବେ । ହେଲେ ମାଛ ପଡିବ ଜାଗାରେ ରାକ୍ଷସଟି ଜାଲରେ ପଡିଲା ।
ଭୟଙ୍କର ରାକ୍ଷସକୁ ଦେଖି ଦୁଇଭାଇ ଡରିଗଲେ । ଫେରିବାର ବାଟ ନାହିଁ । ପାଣିରେ ଜାଲ ପଡ଼ିଛି । ନେହୁରା ହୋଇ ଦୁଇଭାଇ କହିଲେ – ତୁମକୁ ଦେଖି ଡରଲାଗୁଛି । ତୁମେ କ’ଣ ମଣିଷମାଂସ ଖାଇବାକୁ ଭଲପାଅ ?
ମୁଣ୍ଡ ଟୁଙ୍ଗାରିଦେଲା ଜଳ ରାକ୍ଷସ ।
ଦୁଇଭାଇ କହିଲେ – ଆମକୁ ଆଜି ବହୁତ ମାଛ ଦେଲେ ଆମେ ହାଟରେ ବିକିବୁ । ମଣିଷ ଆଣି ତୁମକୁ ଖାଇବାକୁ ଦେବୁ ।
ଜଳ ରାକ୍ଷସଟି ବୋକା ଥିଲା । ସହଜରେ ରାଜି ହୋଇଗଲା । ଦୁଇଭାଇ ଜାଲ ବିଛେଇ ବହୁତ ମାଛ ଧରିଲେ । ଘରକୁ ଫେରି ବିକାବିକି କଲେ । ଭଲ ରୋଜଗାର ହେଲା । ଖୁସିରେ ଚଳିଲେ ।
ୟା ଭିତରେ ପ୍ରାୟ ଛଅମାସ ବିତିଗଲା। ଦୁଇଭାଇଙ୍କ ଜଳରାକ୍ଷସ କଥା ମନେନାହିଁ । ତେଣେ ଜଳରାକ୍ଷାସଟି ମଣିଷ ମାଂସ ନ ଖାଇ ରାଗରେ ପାଣି ଭିତରେ ବୁଲୁଥାଏ ।
ଦିନେ ଦୁଇଭାଇ ସକାଳୁ ସକାଳୁ ଡଙ୍ଗା, ଜାଲ ଧରି ନଦୀକୁ ଗଲେ । ଜଳରାକ୍ଷସକୁ ଦେଖି ପୁରୁଣା କଥା ମାନେ ପକେଇଲେ । କରିବେ କଅଣ ? ଜାଲ ପକଉ ପକଉ ରାକ୍ଷାସଟି ଡଙ୍ଗାଟିକୁ ପାଣି ଭିତରକୁ ଟାଣିନେଲା । ଦୁଇଭାଇ ଡଙ୍ଗାଟିକୁ ଫେରେଇବା ପାଇଁ ଲାଗିପଡ଼ିଲେ । ଦେଖିଲେ ଡଙ୍ଗା ବଦଳରେ ଲମ୍ବା ଜୀବଟିଏ ତାଙ୍କରି ଆଡ଼କୁ ମାଡ଼ିଆସୁଛି । ଥଣ୍ଟଟି ଲମ୍ବା ଦିଶୁଛି । ଆଖିପିଛୁଳାକେ ବଡ଼ଭାଇର ଗୋଡକୁ ଜାବୁଡ଼ି ଧରିଲା । ସାନଭାଇ ଡରି ଡରି ଗାଁକୁ ଆସି ସମସ୍ତଙ୍କୁ କହିଦେଲା । ଗାଁ ଲୋକେ ନଦୀକୂଳରେ ଠିଆହେଇ ଦେଖିଲେ – ସତରେ ବଡ଼ଜୀବଟିଏ ପାଣିରେ ଭାସୁଛି । ସମସ୍ତେ କହିଲେ – ଏତେ ବଡ଼ ଜୀବଟିଏ ଆଗରୁ ଦେଖିନୁ । ଜୀବଟିକୁ ଅନୁରୋଧ କରି କହିଲେ- ଆମ ଗାଁ ପୁଅକୁ ଛାଡ଼ିଦିଅ ।
ଜୀବଟି କହିଲା – ‘ତୁମ ଗାଁ ଲୋକ ମୋତେ ଠକିଛନ୍ତି । ମଣିଷମାଂସ ଦେବେ ବୋଲି କହି ଭୁଲିଯାଇଛନ୍ତି । ହଉ ଠିକ୍ ଅଛି । ତୁମେ ସରଳ ଆଦିବାସୀ ଲୋକ ବୋଲି ତୁମକୁ ଛାଡ଼ିଦେଲି । କିନ୍ତୁ ମୁଁ ଏ କୂଳରେ ଜଗିବସୁଛି । ମଣିଷମାଂସ ନ ଦେଲେ କାଲିକି ଯିଏ ଆସିବ, ତାକୁ ଖାଇଦେବି ।’
ଗାଁ ଲୋକେ ବିକଳରେ ହଁ ମାରିଦେଲେ। ବଡଭାଇ ଜୀବ କବଳରୁ ଖସି ଆସିଲା ।
ସମସ୍ତେ ଖୁସିରେ ଘରକୁ ଫେରିଲେ । ବାଟସାରା ଏତେବଡ଼ ଥଣ୍ଟିଆ ଜୀବର ନାଁ କଅଣ ହେଇଥିବ ବୋଲି ଭାବିଲେ । ଜଣେ ହସିହସି କହିଦେଲା – ଏତେ କଅଣ ଭାବୁଛ ଯେ ଏଇଟା ପରା କୁମ୍ବିକାଠରୁ ଜନ୍ମହେଇଛି । ତେଣୁ ଜୀବର ନାଁ ଦିଆଗଲା – ‘କୁମ୍ବିର’ ।
କଥାଟା ସମସ୍ତଙ୍କ ମନକୁ ପାଇଲା । ତା ପରଠୁ ନଦୀକୁ ଗାଁ ଲୋକେ ଗଲେନାହିଁ । କୁମ୍ବିର ପହଁରି ପହଁରି ଚାରିଆଡ଼କୁ ଅନଉଥାଏ ।
କାଳକ୍ରମେ ‘କୁମ୍ବି୍ର’ ରୁ ‘କୁମ୍ଭୀର’ ନାଁ ହେଲା ।
ଆଜି ବି କୁମ୍ଭୀର ନଦୀପାଣିରେ ଲୁଚିରହି ମଣିଷକୁ ଜଗିବସୁଛି । କେତେବେଳେ ସୁଯୋଗ ମିଳୁଲେ ଲମ୍ଵା ମୁହଁରେ ଟାଣିନେଉଛି ।
(ଆଦିବାସୀ ଲୋକକଥା)
ଏଲ୍.ଆଇ.ଜି. – ୧୫ ନୟାପଲ୍ଲୀ
ବ୍ରିଟ୍ କଲୋନୀ, ଭୁବନେଶ୍ବର
Comments are closed.