ତରୁଣ କୁମାର ମିଶ୍ର 
ଟୁଉକୁ ମୁଷିରେ ଟୁକେଇ ମୁଷି ,
କାହିଁକି ସେଠାରେ ବସିଛୁ ରୁଷି ,
ମନେ ପଡ଼ୁଛି କି ପୁରୁଣା କଥା
ଧାନ ଖାଉଥିଲୁ ତୁ ଲୁଚି ଲୁଚି ।
ଏବେତ ବିଲରେ ହେଉନି ଚାଷ ,
ପଡ଼ିଆ ପଡ଼ିଛି ଚାଷ ଜମି ତ ,
ଟଙ୍କିଆ ଚାଉଳ ମାଗଣା ମିଳୁଛି ,
ହଳ ଲଙ୍ଗଳ କୁ ଖାଉଛି ଖତ ।
ଚାଳ ଘର ସବୁ କୋଠା ହୋଇଲା ,
ଗଛ ବୁଦା କଟି ପଦା ତ ହେଲା ,
ଗାତ ଖୋଳିବାକୁ ମାଟି ମୁଠେ ନାହିଁ ,
କେଉଁଠି ରହୁଛୁ କହ ତୁ ଭଲା ?
ଘରଚଟିଆ କୁ ଗୁଣ୍ଡୁଚି ମୁଷା ,
ହଳଦୀ ବସନ୍ତ ଓ ମାଛରଙ୍କା ,
ଏମାନେ ତ ଆଉ ଦିଶନ୍ତି ନାହିଁ
ହଜି ବି ଗଲେଣି ବାଦୁଡ଼ି ପେଚା ।
ପରିବେଶ ଆମ ହେଲାଣି ନଷ୍ଟ ,
କମୁଛି ବରଷା କମୁଛି ଶୀତ ,
ବସନ୍ତରେ ଆଉ ମଳୟ ବହୁନି
ଶୁଭୁ ନାହିଁ ଏବେ କୋଇଲି ଗୀତ ।
ତଥାପି ମଣିଷ ଚେତୁନି ଟିକେ ,
ବଣ ପାହାଡ଼କୁ ଲୁଟଇ କେତେ ,
ପୁରୁଣା ଦିନଟା ସତେ ଭଲ ଥିଲା ,
ମନେ ପଡ଼ି ଦୁଃଖ ଲାଗଇ କେତେ ।
ଜ୍ଞାନଦାତା ପରା ପ୍ରଭୂ ତୋହର ,
ଦୁଃଖ ତୋ ଫେଡ଼ିବେ ଗୁହାରି କର ,
ଲୁଟିବା ନାଶିବା ମନରୁ ପୋଛିଦେ ,
ସୁଖ ଶାନ୍ତି ଭରି ଦେବେ ଅପାର।
ଖଣ୍ଡଗିରି ,ଭୁବନେଶ୍ବର।
Comments are closed.