Latest Odisha News

BREAKING NEWS

ଶିଶୁ ଗଳ୍ପ : ମାଟି ମାଆର ଅମୂଲ୍ୟ ରତ୍ନ

କୁଞ୍ଜ ବିହାରୀ ସାହୁ 

ଇଂରେଜ ଶାସନ ଅମଳର କଥା ।

ବିଦେଶୀ ଶାସକ ଭାରତୀୟଙ୍କୁ ଗୋଲାମ କରି ରଖିଥିଲେ । ‘ଯୋର ଯାର ମୁଲକ ତାର’ ନ୍ୟାୟରେ ଶାସନ କରୁଥିଲେ । ଶିକ୍ଷାନୁଷ୍ଠାନରେ ତନ୍ତବୁଣା କପଡ଼ା ବ୍ୟବହାର ଉପରେ କଟକଣା । ସେଥିପାଇଁ ଯେଉଁ ପିଲା ତନ୍ତବୁଣାର ଜାମା- ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସୁଥିଲା, ତାକୁ ଅପମାନିତ କରାଯାଉଥିଲା ।

ଦିନକର କଥା । ମେଦିନୀପୁର ଜିଲ୍ଲାର ଗୋଟିଏ ସ୍କୁଲରେ ଗରିବ ପିଲାଟିଏ ପାଠ ପଢୁଥିଲା । ସେ ତନ୍ତବୁଣା ଲୁଗାପିନ୍ଧି ବିଦ୍ୟାଳୟକୁ ଆସିଥିଲା । ମନରେ ଖୁବ୍ ଭୟ ଥିଲା ପିଲାଟିର । ଯଦି ଗୋରା ସିପାହୀ ହାତରେ ଧରାପଡ଼ିଯାଏ, ତାହାହେଲେ କଥା ସରିଲା । କେତେ ମାଡ଼ଖାଇବ । ଗାଳି ଶୁଣିବ ।

ପିଲାଟି ମନେମନେ ଯାହା ଭାବୁଥିଲା, ସେଇୟା ହିଁ ହେଲା । ତାହାର ସାଙ୍ଗସାଥୀମାନେ ଥଟ୍ଟା-ପରିହାସ କଲେ । ଗୋରା ସିପାହୀଙ୍କୁ କହିଦେବେ ବୋଲି ଧମକ ଦେଲେ । ଗରିବ ଅଥଚ ଶାନ୍ତସୁଧାର ପିଲାଟି ଡରିଗଲା । କାହାକୁ କିଛି କହିପାରିଲାନି । ଚୁପ୍ ହେଇ ବସିଲା ତା ସ୍ଥାନରେ । ମାତ୍ର ଗୋଟିଏ ଚଗଲା ପିଲାଟିଏ ଦୈାଡ଼ି ଆସି ସେହି ଗରିବପିଲାଟିକୁ କୁଣ୍ଢେଇ ପକାଇଲା । ଆଶ୍ୱାସନା ଦେଲା । ଶ୍ରେଣୀରେ ସମସ୍ତେ ଚକିତ ହୋଇଗଲେ । କୁଣ୍ଢେଇ ଥିବା ଦୁଷ୍ଟପିଲାଟିକୁ କେହି ଉତ୍ତରଟେ ଦେଇପାରିଲେନି । ସେହି ଚଗଲା ପିଲାଟି ସାହାସୀ ଥିଲା । କାହା ପ୍ରତି ଡରଭୟ ନଥିଲା । ତା’ ନାଁରେ ଯେତେ ଅଭିଯୋଗ ଥିଲେ ବି କୈାଣସି ଶିକ୍ଷକ ଦଣ୍ଡ ଦେଇପାରୁନଥିଲେ । ଘଟଣା ଘଟିବା ଦିନ ବି ସେୟା ହେଲା । ଶିକ୍ଷକମାନେ ଚୁପଚାପ୍ ରହିଲେ  । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟେନ୍ଦ୍ରନାଥ ବସୁ ଘଟଣା ବିଷୟରେ ଜାଣିଲେ । ବିରକ୍ତି ହେବା ବଦଳରେ ସେ ଖୁସି ହେଇଗଲେ । କାରଣ ପିଲାଟି ଚଗଲା ହେଲେ ବି ସାାହାସୀ ଓ ପରୋପକାରୀ ଥିଲା ।

ଆଉ ଦିନକର କଥା । ବେଳ ବୁଡ଼ି ସଞ୍ଜ ହେଇଆସିଲାଣି । ସେଇ ଚଗଲା ପିଲାଟି ଘରକୁ ନ ଯାଇ କୁଆଡ଼େ ପଳେଇଲା । ତା ଭଉଣୀ ଓ ଭିଣୋଇ ବ୍ୟସ୍ତ ହୋଇପଡ଼ିଲେ । ଏତେ ବେଳ ହେଲାଣି, ଅଥଚ ପିଲାଟି ଘରକୁ ଫେରିନି ! ମାଡ଼ ଭୟରେ କେଉଁଠି ଲୁଚିଗଲା କି ନା ଦୂରକୁ ପଳେଇଲା ? ମନରେ ଛନକା ପଶିଲା । ବେଗି ବେଗି ଯାଇ ପହଞ୍ଚିଲେ ବିଦ୍ୟାଳୟରେ । ପ୍ରଧାନଶିକ୍ଷକଙ୍କୁ ଦେଖାକରି ସବୁକଥା କହିଲେ । ପ୍ରଧାନଶିକ୍ଷକ ବି ବ୍ୟସ୍ତ ହୋଇଗଲେ । ପିଲାଟି ସିନା ଦୁଷ୍ଟ । ହେଲେ ବଡ଼ ସାହାସୀ । କାହାକୁ ଡରଭୟ ନାହିଁ । କିନ୍ତୁ ଗଲା କୁଆଡ଼େ !

ସମସ୍ତେ ମନେ ମନେ ଡରିଗଲେ । ପିଲାଟିର କିଛି ଅସୁବିଧା ହେଇନି ତ ! ହଉ ଚାଲନ୍ତୁ – ଖୋଜାଖୋଜି କରିବା । ପିଲାଟିର ଭଉଣୀ ଭିଣୋଇଙ୍କୁ ପ୍ରଧାନଶିକ୍ଷକ ଆଶ୍ୱାସନା ଦେଲେ ।

ତିନିଜଣ ଖୋଜିବାକୁ ଯାଇ ପାଖ ‘କଂସାଇ’ ଜଙ୍ଗଲ ଆଡ଼େ ଗଲେ । ଜଙ୍ଗଲ ଭିତରେ ଶିବ ମନ୍ଦିର । କାଳେ ଠାକୁରଙ୍କୁ ଗୁହାରି କରିବା ବାହାନାରେ ପଳେଇଯାଇଥିବ । କାରଣ ସେ ଠାକୁର ବଡ଼ ପ୍ରତ୍ୟକ୍ଷ । ଡାକିଲେ ଓଃ କରନ୍ତି । ପିଲାଟିର ପାଠଶାଠ ହଉନି ତ । ପରୀକ୍ଷାରେ ପାସ୍ କରିବାକୁ ମନ୍ଦିରକୁ ଯାଇଥିବ ।

ତିନିହେଁ ପହଞ୍ଚିଗଲେ ମନ୍ଦିରରେ । ଦେଖିଲେ ସେ ପିଲାଟି ଠାକୁରଙ୍କ ସାମ୍ନାରେ ଠିଆହେଇଛି । ଠାକୁରଙ୍କୁ ଗୁହାରି କରୁଛି – ‘ହେ ଠାକୁର, ମୋତେ ବଳ ଦିଅ । ଆହୁରି ସାହସ ଦିଅ । ମୁଁ ଯେମିତି ବିଦେଶୀ ଇଂରେଜୀଙ୍କୁ ଆମ ଦେଶରୁ ତଡ଼ିଦେବି । ଆମକୁ ହଇରାଣ ହରକତ କରୁଛନ୍ତି । ଅନ୍ୟାୟ -ଅନୀତି କରି ଲୋକମାନଙ୍କୁ ଦଣ୍ଡ ଦେଉଛନ୍ତି । ହେ ଠାକୁରେ, ମୋତେ ଆଶୀର୍ବାଦ ଦିଅ ।’

ତିନିହେଁ  ପିଲାଟିର ଏଭଳି ଗୁହାରି ଶୁଣି ଆଶ୍ଚର୍ଯ୍ୟ ହେଇଗଲେ । ସତରେ ସେ ପିଲାଟି ସାହସର ସହ ଏ ଜଙ୍ଗଲର ଶିବ ମନ୍ଦିରକୁ ଏକୁଟିଆ ପଳେଇଆସିଛି । ପ୍ରଧାନ ଶିକ୍ଷକ ପ୍ରଶଂସା କଲେ ତା’କୁ । ପିଲାଟିକୁ ଦେଖି ତା ଭଉଣୀ -ଭିଣୋଇ ଖୁସିରେ ଆଖିରୁ ଲୁହ ଗଡ଼େଇଦେଲେ । ସତରେ ତାଙ୍କର ଚଗଲା ପିଲାଟି ନିଶ୍ଚୟ ଦେଶପ୍ରେମୀ ହେବ । ପିଲାଟିକୁ ସାଥିରେ ଧରି ସମସ୍ତେ ଫେରିଆସିଲେ ।

ଦିନକୁଦିନ ସମୟ ଗଡ଼ିଚାଲିଲା । ସେହି ଚଗଲା ପିଲାଟି ମନରେ ସାହାସ ବାନ୍ଧି ଇଂରେଜଙ୍କ ବିରୋଧରେ ଲଢ଼େଇକଲା । ତା’ର ସାହାସିକତାକୁ ଇଂରେଜମାନେ ଡରିଗଲେ । କୂଟଚକ୍ରାନ୍ତ କରି ତାକୁ ଫାଶୀ ଦେଲେ । ବିଚରା ସାହସୀ ପିଲାଟି ଭାରତମାଆକୁ ରକ୍ଷା କରିବାକୁ ଯାଇ ଶହୀଦ ହେଇଗଲା ।

ସେଦିନର ସେହି ଦୁଷ୍ଟ -ଚଗଲା ଅଥଚ ସାହାସୀ ପିଲାଟିର ନାଁ ଥିଲା ‘ଖୁଦିରାମ’।

ଖୁଦିରାମ ଥିଲା ମାଟି -ମାଆର ଅମୂଲ୍ୟ ରତ୍ନ । ପିଲାଏ , ଖୁଦିରାମ ପରି ସାହାସୀ ହେବା ଆଉ ନିଜ ମାଟି -ମାଆ ପାଇଁ ଲଢ଼ିବା ।

ଏଲ୍.ଆଇ.ଜି. – ୧୫,  ନୟାପଲ୍ଲୀ
ବ୍ରିଟ୍ କଲୋନୀ, ଭୁବନେଶ୍ବର                                                                                                                                                                            ୯୪୩୭୯ ୨୯୮୭୯

Comments are closed.