Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୮

ଆପଣ ବିଶ୍ୱାସ କରିପାରିବେନି ମୁଁ ଏ ଭିତରେ ଆପଣଙ୍କୁ କେତେ ଥର ମନେ ପକେଇସାରିଲିଣି । ଆପଣଙ୍କ ସହ ମୋ’ର କୈଣସି ସମ୍ପର୍କ ନାହିଁ । ଥରେ ମାତ୍ର ଦେଖା । ହେଲେ, କେଜାଣି କାହିଁକି ମନେହେଲା ସାରା ସଂସାରରେ କେଦାର ଯଦି କାହା ପାଖରେ ସୁରକ୍ଷିତ, ତେବେ ସେ କେବଳ ଆପଣ ହେଇପାରନ୍ତି ।

ହରିଶ୍ ଆଖିରେ ଲୁହ ।

ଅଚାନକ ଆରାଧ୍ୟା ଆସି ପହଞ୍ଚି ଯିବା, ତା’ କଳ୍ପନା ବାହାରେ । ଇଶ୍ୱରଙ୍କ ନିୟତି ପାଖରେ କିଏ ବା କ’ଣ କରିପାରେ!

ଯେବେଠାରୁ ଜାଣିଲା ତା’ର ଦୁଇଟି ଯାକ କିଡନି ଡ଼୍ୟାମେଜ୍ ହେଇସାରିଛି, ଯାହା କଲେ ବି ଆଉ ବେଶୀ ଦିନ ନୁହେଁ । ସେ ଉପରକୁ ହାତ ଟେକିଦେଲା । ସମସ୍ତେ ତ’ ଦିନେ ନା ଦିନେ ମରିଯିବେ ।

ତା’ ନିଜ ପାଇଁ ଚିନ୍ତା ନାହିଁ । ତା’ ପରିବାର ତ’ ଆଗରୁ ଉଜୁଡି ଯାଇଛି । ଚିନ୍ତା ହେଉଥିଲା କେବଳ କେଦାର ପାଇଁ । ଅନାଥ ଶିଶୁଟି ପୁଣି ଥରେ ଅନାଥ ହେଇଯିବ ଭାବି, ମୃତ୍ୟୁ ପୂର୍ବରୁ ଶହସ୍ରବାର ମରୁଥିଲା । ଏବେ ସେ ଶାନ୍ତିରେ ଯାଇପାରିବ ।

ତା’ କାହାଣୀ ଶୁଣି, ଆରାଧ୍ୟା ଆଖିରେ ଧାରଧାର ଲୁହ । ସତରେ ଇଶ୍ୱରଙ୍କ ଇଛା ପାଖରେ ମଣିଷ କେତେ ଅସହାୟ । ତା’ ଜୀବନର ପ୍ରତ୍ୟେକଟି ଘଟଣା ତା’କୁ ନାଟକ ପରି ଲାଗୁଛି । ହଁ ତ, ଜୀବନ ମାନେ ହିଁ ନାଟକ । ଚରିତ୍ର ଅନୁସାରେ ଅଭିନୟ କରି ଚାଲିଯିବାକୁ ହୁଏ । ନ’ହେଲେ ଏତେ ଦ୍ୱନ୍ଦ ଓ ଦୁଃଖ ଭିତରେ, କାଲି ରାତିରେ ତା’ ହାତରେ କେଦାରର ଛବିଟି କିପରି ଆଙ୍କି ହେଇଗଲା ସେ ଜାଣେନା । ହରିଶ୍‌ର ଅବସ୍ଥା ବିଷୟରେ ବିଲକୁଲ୍ ଅବଗତ ନଥିଲା । ତେବେ କେଉଁ ଅଦୃଶ୍ୟ ଶକ୍ତି ତା’କୁ ଏଠାକୁ ଟାଣିଆଣିଲା ! ଆଶ୍ଚର୍ଯ୍ୟ!

କେଦାରକୁ କୋଳରେ ଜାକିଧରିଛି ଆରାଧ୍ୟା । ସବୁ ଥାଇ ବି, ମଣିଷ ଥରେଥରେ କେତେ ମଜବୁର୍ ହେଇପଡେ । ଯିଏ ଭାବେ ଟଙ୍କାରେ ସବୁ କିଛି ହାସଲ କରିପାରିବ, ସେ ଦୁନିଆଁର ସବୁଠାରୁ ଅସହାୟ ପ୍ରାଣୀ । ତା’ଙ୍କ ପ୍ରତି ଦୟା ଆସେ ।

କୋଟିପତି ହେଇ ବି, ବୈଭବ ତା’ଙ୍କ ପିତୃତ୍ୱକୁ କିଣି ପାରିଲେ, ନା ତାଙ୍କ ପ୍ରତିଷ୍ଠା ବଜାୟ ରଖି ପାରିଲେ । ତା’ଙ୍କ ନିଜ ଅହଙ୍କାରରେ ନିଜେ ଗଢ଼ି ଥିବା ସାମ୍ରାଜ୍ୟ ଭୁସୁଡି ପଡ଼ିଲା । ଶେଷରେ ସେଇ ଧନ ବି ରହିଲା ନାହିଁ । ସେ ଶେଷରେ ପଳାୟନପନ୍ଥି ସାଜିଲେ ।

କ୍ରମଶଃ

Leave A Reply

Your email address will not be published.