Latest Odisha News

BREAKING NEWS

ଶିଶୁ ଗଳ୍ପ : ବାଇଚଢ଼େଇରେ…ବାଇଚଢ଼େଇ

କୁଞ୍ଜ ବିହାରୀ ସାହୁ

ଅଢ଼େଇଗୁଣ୍ଡି ଗାଁ ଭିତରକୁ ଯାଉ ଯାଉ ଦିଶିଯାଉଛି ଧାଡ଼ି ଧାଡ଼ି ତାଳଗଛ । ସେହି ତାଳଗଛରେ ବାଇଚଢ଼େଇ ବସାଟିଏ କରିଛି । ତଳକୁ ଝୁଲିରହିଛି ବସାଟି । ଯିଏ ଯାଉଛି ଘଡ଼ିଏ ଅନେଇ ରହୁଛି ।

ଅଦିନିଆ ପବନ ବୋହିଗଲା ଦିନେ । ଖରାଦିନିଆ ମେଘ ପବନ । ଡରିଗଲା ଚଢ଼େଇଟି । ତା’ ବସା ଯଦି ଛିଣ୍ଡିଯିବ କୁନି କୁନି ଛୁଆମାନେ ତଳେ ପଡ଼ିଯିବେ । ଠାକୁରଙ୍କୁ ଗୁହାରି କଲା । ‘ହେ ଠାକୁର, କେତେ କଷ୍ଟରେ ବସାଟି ତିଆରିଛି । ତାଆରି ଭିତରେ କୁନି କୁନି ଛୁଆ ମନମାରି ବସିଛନ୍ତି । ସେମାନଙ୍କୁ ଘଣ୍ଟ ଘୋଡ଼େଇ ରଖ ଠାକୁର ।’

ଠାକୁର ତ ଦୁଃଖୀର ଦୁଃଖ ବୁଝିପାରନ୍ତି । ଚଢ଼େଇର ଦୁଃଖ ଶୁଣିଲେ । ଶାନ୍ତଶିଷ୍ଟ, ସରଳ, ନୀରିହ ବାଇଚଢ଼େଇ । କାହାର କେବେ ଅମଙ୍ଗଳ ପାଞ୍ଚିନି । ଠାକୁର ତାକୁ ସାହା ହେଲେ । ଅଦିନିଆ ଝଡ଼ ତୋଫାନ ଆଖି ପିଛୁଳାକେ ଦୂରକୁ ପଳେଇଗଲା । ଶାନ୍ତିରେ ନିଃଶ୍ୱାସ ମାରିଲା ଚଢ଼େଇଟି ।

ଫର୍ଚ୍ଚା ହେଇଗଲା ଚଉଦିଗ ।

ଭୋକ ଉପାସରେ ଛୁଆ ଦି’ଟା ଆଉଟୁପାଉଟୁ ହେଉଛନ୍ତି । ମନରେ ସାହସ ଭରି ତଳକୁ ଓହ୍ଲାଇଲା ଚଢ଼େଇ । ଆଖିତରାଟି ଏଣେତେଣେ ଚାହିଁଲା । କାହିଁ କିଏ ତ ଦିଶୁନି । ମନଖୁସିରେ ଖାଦ୍ୟ ଗୋଟେଇଲା । ଥଣ୍ଟରେ ଧରି ଗଛ ଉପରକୁ ଉଡ଼ିଗଲା । କୁନିଛୁଆଙ୍କୁ ଖାଇବାକୁ ଦେଲା । ବହୁତ ଖୁସି ହେଲା ।

କିଛି ସମୟ ପରେ ବସାରୁ ମୁଣ୍ଡ କାଢ଼ି ଦେଖିଲା ଦୁଇଜଣ ପିଲା ବାଟୁଳିଖଡ଼ା ଧରି ଗଛପାଖକୁ ଆସୁଛନ୍ତି । ଚଢ଼େଇଟି ଡରିଗଲା । ପିଲାମାନେ ପାଟି କଲେ – ମାର..ମାର ରେ ବାଟୁଳିଖଡ଼ା । ଚଢ଼େଇକୁ ମାରି ତା ମାଂସ ଖାଇବା ।

ବାଇଚଢ଼େଇ ସବୁ ଶୁଣିଲା । ମନେମନେ ଭାବିଲା- “ସତରେ, ଆମ ଭାଗ୍ୟ କ’ଣ ଏତେ ଛୋଟ ? ଆମକୁ ମାରିବାପାଇଁ ପିଲା ଦୁଇଟା ବାଟୁଳିଖଡ଼ା ଧରିଛନ୍ତି । ହଉ ..ହଉ..ଠାକୁର ହିଁ ସାହା ଭରଷା ।”

ବାଇଚଢ଼େଇର କଥାଟି କାନରେ ପଡ଼ିଗଲା କି କଅଣ, ଜଙ୍ଗଲ ବିଭାଗର ଦୁଇଜଣ କର୍ମଚାରୀ ସେଇଠି ପହଞ୍ଚିଲେ । ପିଲା ଦିଇଟାର ହାତରେ ବାଟୁଳିଖଡ଼ା ଦେଖି ଜାଣିପାରିଲେ – ଏମାନେ ନିଶ୍ଚୟ ପକ୍ଷୀ ମାରିବାପାଇଁ ଠିଆ ହୋଇଛନ୍ତି । ଜାଣିପାରିଲେ ପିଲାଙ୍କର ମନ୍ଦ ଉଦ୍ଦେଶ୍ୟ । ରାଗିଯାଇ କହିଲେ – “ତୁମେ ଦୁଇଜଣ ‘ କରିଲୋ’ ଗାଁର ପିଲା ନା ! ଚିହ୍ନା ଚିହ୍ନା ପରି ଜଣାପଡ଼ୁଛ । ତୁମ ବାପା ତ ଭଲ ଲୋକ । ତୁମେ କିଆଁ ଏତେ ଦୁଷ୍ଟ ହେଉଛ । ଚଢ଼େଇ ତା କୁନିଛୁଆକୁ ଧରି ବସାରେ ରହିଛି । ତାକୁ କାହିଁକି ମାରିବାକୁ ଯାଉଛ ! ସରକାର ପରା ପକ୍ଷୀମାନଙ୍କୁ ମାରିବାପାଇଁ ମନା କରିଛନ୍ତି । ଆମେ ଦୁଇଜଣ ଜଙ୍ଗଲ ବିଭାଗର କର୍ମଚାରୀ । ପଶୁପକ୍ଷୀଙ୍କର ସୁରକ୍ଷା ଆମର ଦାୟିତ୍ୱ । ଯାଆ ବେଗି ବେଗି ଘରକୁ ପଳା । ସଞ୍ଜ ଗଡ଼ିଗଲାଣି । ଘରେ ବସି ପାଠ ପଢ଼ିବ । ମନଦେଇ ପାଠ ପଢ଼ିଲେ ବାବୁ ହେବ । ବାପା- ମାଆଙ୍କର ନାଁ ରଖିବ । ଦୁଷ୍ଟ ହେଲେ ସଭିଏଁ ତୁମକୁ ଗାଳି କରିବେ । ଛି..ଛି କହିବେ ।”

ଜଙ୍ଗଲ ବିଭାଗର କର୍ମଚାରୀଙ୍କ କଥା ଶୁଣି ସେ ଦୁଇ ଦୁଷ୍ଟପିଲା ଭୁଲ୍ ମାଗିଲେ । ଆଉ ଏମିତି ଦୁଷ୍ଟାମି କରିବେନାହିଁ ବୋଲି କହିଲେ । ଧୀରେ ଧୀରେ ନିଜ ଘରକୁ ପଳେଇଗଲେ ସେ ଦୁହେଁ ।

ଜଙ୍ଗଲ ବିଭାଗର ଦୁଇ କର୍ମଚାରୀ ଗଛ ଉପରକୁ ଅନେଇଲେ । ଚଢ଼େଇଟି ଚିଁ ଚିଁ ସ୍ୱରରେ ସେହି କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଲା ।
ଦୁଇ କର୍ମଚାରୀ କହିଦେଲେ –

ବାଇ ଚଢ଼େଇରେ ଭଲରେ ଥା
ପିଲାଙ୍କୁ କୋଳେଇ ଖୁଆଉ ଥା…

ଦୁଇଜଣ କର୍ମଚାରୀ ଆଗକୁ ପାଦ ପକେଇଲେ ।

ବାଇଚଢ଼େଇ ପୁଣି ଥରେ ଠାକୁରଙ୍କୁ ଜୁହାର ହେଲା । କହିପକେଇଲା- ତୁମେ ସବୁ ଜାଣିପାରୁଛ ଠାକୁରେ। ଆମକୁ ଆଉ ଗୋଟିଏ ବିପଦରୁ ରକ୍ଷା କରିଦେଲ । ସତରେ ତୁମର ମହିମା ଅପାର !

ଆସରେ ପିଲାଏ ଆମେ ସଭିଏଁ  ବାଇଚଢ଼େଇର ସୁରକ୍ଷା କରିବା ।

ଏଲ୍.ଆଇ.ଜି ୧୫, ନୟାପଲ୍ଲୀ
ବ୍ରିଟ୍ କଲୋନୀ, ଭୁବନେଶ୍ବର

Leave A Reply

Your email address will not be published.