କୁଞ୍ଜବିହାରୀ ସାହୁ
ରଥଯାତ୍ରାର ସମୟ । ତିନି ରଥରେ ତିନି ଦିଅଁଙ୍କର ସୁନାବେଶ ଦେଖିବାକୁ ରୋହନ ବାପାଙ୍କ ପାଖରେ ଅଳି କଲା । ଛୁଟି ହେତୁ ରାେହନର ବାପା ହଁ କହିଲେ ।
ହଁ ସିନା କହିଦେଲେ,ଏତେ ଭିଡ଼ରେ ଯିବାକୁ ମନ ବଳିଲାନି ରୋହନ ବାପାଙ୍କର । କିଛି ସମୟ ଚୁପ୍ ରହିଲେ ।ଏତିକିବେଳେ ରୋଷେଇଘରୁ ରୋହନର ମା କହିଲେ କଣ ହେଇଛି ତୁମ ବାପା ପୁଅର ? ମୁଁ ଜାଣିଛି ପୁରୀରେ ଶ୍ରୀଜିଉଙ୍କର ସୁନାବେଶ ଦେଖିବାକୁ ଯୋଜନା ଚାଲିଛି । ମୋତେ ନ ନେଇ ଯିବ କେମିତି । ମୁଁ ଦିନରାତି ଠାକୁରଙ୍କୁ ଦୀପ, ଧୂପ, ଭୋଗ ଦେଇ ପୂଜା କରୁଛି, ମୁଁ ଯାଇପାରିବିନି !
ରୋହନ କହିଲା – ନା.. ନା ସେମିତି କିଛି ନାଇ ମା, ତୋତେ ଛାଡ଼ି ଆମେ ଯିବୁ କେମିତି । ତୁ ପରା ମହାପ୍ରଭୁଙ୍କ ବଡ଼ ଭକ୍ତ । ମୁଁ ସିନା ଛୋଟ ପିଲା, କିଛି ଜାଣିନି ।
ରୋହନର ମା ବୁଝେଇ କହିଲେ – ତୁ ସିନା ଧୂପ, ଦୀପ ଲଗେଇ ପୂଜା କରୁନୁ, ମୋ ପାଖରେ ବସି ଭଜନ ଶୁଣୁଛୁ, ସେଇଟା ତ ବଡ଼ କଥା । ଠାକୁରଙ୍କୁ ସକାଳ-ସଞ୍ଜରେ ମୁଣ୍ଡିଆ ମାରୁଛୁ, ଠାକୁରଙ୍କ ଚିତ୍ର ଆଙ୍କୁଚୁ ତୁ ବି ବଡ଼ ଭକ୍ତ ।
ରୋହନର ମା ପୁଅର କଥା ଶୁଣି ବୁଝିପାରିଲେ, ଠାକୁରଙ୍କ ଡୋର ଲାଗିଲେ ଦର୍ଶନ ମିଳିପାରିବ । ନରମି ନରମି କହିଲେ – ତୁମେମାନେ ଯିବାପାଇଁ ପ୍ରସ୍ତୁତ ହେଇଯାଅ ।
ଖୁସିରେ ନାଚିଲା ରୋହନ ।
ଘଣ୍ଟାଏ ଭିତରେ ପହଞ୍ଚିଗଲେ ପୁରୀରେ ସମସ୍ତେ । ଶରଧାବାଲିଠୁ ଶ୍ରୀମନ୍ଦିର ଯାଏ ପ୍ରବଳ ଭିଡ଼ । ସଭିଙ୍କ ତୁଣ୍ଡରେ ଠାକୁରଙ୍କ ନାମ । ଭକ୍ତମାନଙ୍କ ଭିଡ଼ ଭିତରେ ରୋହନର ବାପା ମା ଧୀରେ ଧୀରେ ଚାଲୁଥାନ୍ତି । ରୋହନକୁ କିଛି ଦେଖାଯାଉନଥାଏ । ରୋହନକୁ କାନ୍ଧରେ ବସେଇଦେଲେ ତା ବାପା । ଏବେ ଦେଖିପାରିଲା ତିନି ଦିଅଁଙ୍କୁ । ତାଆରି ପରି ଛୋଟ ଛୋଟ ଛୁଆମାନେ ରଥରେ ବୁଲୁଥାନ୍ତି । ସେମାନେ ସେବାୟତମାନଙ୍କ ଛୁଆ । ରୋହନ ବହୁତ ଖୁସି ହେଇଗଲା । ସେ ଆଙ୍କି ଆସୁଥିବା ଚିତ୍ରକୁ ମନେପକାଇଲା । ଠିକ୍ ମହାପ୍ରଭୁଙ୍କ ପରି ଚିତ୍ର ହେଇଛି । ଠାକୁରଙ୍କୁ ପ୍ରଣାମ କଲା । ନିବେଦନ କଲା – ହେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତୁମକୁ ଏ ସୁନାବେଶରେ ରଥରେ ଦେଖି ମୋ ମନ ପବିତ୍ର ହେଇଗଲା । ମୋ ଚିତ୍ର ଠିକ୍ ତୁମ ସୁନାବେଶ ପରି ହେଇଛି ।
ରୋହନ ତା ଵାପା ମା’ ସାଥୀରେ ମନ ଖୁସିରେ ତିନିଠାକୁରଙ୍କ ସୁନାବେଶ ଦେଖିପାରିଲା ।
ରୋହନର ମା କହିଲେ – ଠାକୁରଙ୍କ ପ୍ରତି ଭକ୍ତି ଥିଲେ ସବୁ ସମ୍ଭବ ହୁଏ ।
ଭୁବନେଶ୍ବର
Comments are closed.