Latest Odisha News

BREAKING NEWS

ବଡ଼ଦିନର ମହତ୍ତ୍ଵ

ପ୍ରିୟ ପିଲାମାନେ 

ଆଜି ହେଉଛି ଡିସେମ୍ବର ମାସର ପଚିଶି ତାରିଖ। ସାରା ବିଶ୍ବରେ ଆମେ ସମସ୍ତେ ଏଇ ଦିନଟିକୁ “ବଡ଼ଦିନ” ରୂପେ ଜାଣୁ। ବଡ଼ମାନଙ୍କଠାରୁ ଉପହାର ପାଇ ସାଙ୍ଗସାଥୀଙ୍କ ମେଳରେ ଖୁବ୍ ଆନନ୍ଦରେ ପାଳନ କରୁ ଏଇ ଦିନଟିକୁ । ଆସ ଆଜି ଜାଣିବା ଏଇ ଦିନର ବିଶେଷତ୍ଵ କ’ଣ ?

ଆଜିକୁ ଅନେକ ବର୍ଷ ପୂର୍ବେ ଈଶ୍ବର ସନ୍ତାନ ଯୀଶୁଖ୍ରୀଷ୍ଟ ଏଇ ଦିନରେ ଜନ୍ମ ଗ୍ରହଣ କରିଥିଲେ ଜେରୁଜେଲମର ଏକ ଗାଆଁ ବେଥେଲହାମର ଏକ ଅଶ୍ୱଶାଳାରେ ମା’ ମେରି ଏବଂ ବାପା ଯୋଶେଫଙ୍କ କୋଳରେ । ସେ ସାରା ଜଗତରୁ ଦୁଃଖ ହରଣ କରି ସୁଖ ଦେବା ପାଇଁ ନିଜ ଜୀବକୁ ଉତ୍ସର୍ଗ କରିଥିଲେ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ତାଙ୍କୁ ଈଶ୍ବରଙ୍କ ପୁତ୍ର ବା ଈଶ୍ବରଙ୍କ ଦୂତ ଭାବରେ ମାନୁଥିଲେ ।

ସାଧାରଣ ମଣିଷକୁ ସୁଖ ଟିକିଏ ଦେବା ଲାଗି ପ୍ରୟାସ କରି ସେ ସମୟର ସାମାଜିକ ଅବସ୍ଥା ଅନୁସାରେ ତାଙ୍କୁ ସମାଜରେ ଅନେକ କଷ୍ଟ ଭୋଗିବାକୁ ପଡିଥିଲା । ସମାଜର କଠୋରପନ୍ଥୀମାନେ ତାଙ୍କୁ କଷ୍ଟଦାୟକ ମୃତ୍ୟୁଦଣ୍ଡ ଦେବା ପରେ ବହୁତ ବିଳମ୍ବରେ ଲୋକେ ତାଙ୍କର ମହତ୍ତ୍ଵ ବୁଝିଲେ। ସେଥିପାଇଁ ତାଙ୍କ ମୃତ୍ୟୁର ଅନେକ ଦିନ ପରେ ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ୍ ତାଙ୍କର ଜନ୍ମ ଦିନକୁ ଆନନ୍ଦର ଦିନ “ଖ୍ରୀଷ୍ଟ ମାସ୍ ଡେ” ବା “ ବଡ଼ଦିନ” ଭାବରେ ପାଳନ କରିବାକୁ ସ୍ଥିର କରିଥିଲା ଏବଂ ଏହି ଦିନଟିକୁ ସାରା ବିଶ୍ୱରେ ଛୁଟିଦିନ ଭାବରେ ପାଳନ କରାଯାଇଥିଲା।

ଇତିହାସ କହେ, ପ୍ରଥମେ ଇଜିପ୍ଟ୍ ଆଉ ରୋମ୍ ନଗରୀରେ ବଡ଼ଦିନ ଉତ୍ସବରେ “ଖ୍ରୀସ୍ ମାସ୍ ଟ୍ରି “ ର ପ୍ରଚଳନ ହୋଇଥିଲା। ସେମାନେ ପାଇନ୍ କିମ୍ବା ସେଇଭଳି ଚିରହରିତ୍ ବୃକ୍ଷକୁ ଫୁଲାର ଦେଇ ସଜାଇ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ପ୍ରାୟ ଷୋଡଶ ଶତାବ୍ଦୀରେ ଜର୍ମାନୀ ଦେଶରେ ଏହାକୁ ଏକ ଆନନ୍ଦର ଦିନ ଭାବରେ ପାଳନ କରିବାକୁ ଯାଇ “ଖ୍ରୀସ୍ ମାସ୍ ଟ୍ରି” ଟିଏ ତିଆରି କରି, ତହିଁରେ ଚିକିମିକି ଜରି, ଝାଲେରୀ ଦେଇ, ସେଥିରେ ବିଭିନ୍ନ ପ୍ରକାର ଫୁଳ, ଫଳ ଟଙ୍ଗାଇ ସୁନ୍ଦର ଭାବରେ ସଜାସଜି କରି ଉତ୍ସବ ପାଳନ କରାଯାଇଥିଲା।

ଏହି ଦିନକୁ ଏକ୍ସ- ମାସ୍ କୁହାଯାଏ । ଏହା ଏକ ରୋମାନ୍ ଶବ୍ଦ । ରୋମାନ୍ ଭାଷାରେ ଖ୍ରୀଷ୍ଟ ମାସର ବନାନ ଏକ୍ସ (X ) ଅକ୍ଷରରେ ଆରମ୍ଭ ହୋଇଥାଏ , ତେଣୁକରି ଏକ୍ସ ମାସ ( X-mas ) କହିଲେ ଏହା ଖ୍ରୀଷ୍ଟ୍ ମାସ୍ ବୁଝାଏ।

ତୁମେ ପିଲାମାନେ ବଡଦିନ କହିଲେ ନାଲି ପୋଷାକ ଆଉ ଟୋପି ବାଲା “ ସାଣ୍ଟାକ୍ଲଜ୍” ଏବଂ ତା’ର ଗୋପନରେ ଦେଉଥିବା ଉପହାରର କଥା ହିଁ ବୁଝିଥାଅ, ହେଲେ ଜାଣିଛ କିଏ ” ସାଣ୍ଟାକ୍ଲଜ୍” ଟି କିଏ ?

ସେ ହେଉଛନ୍ତି ସେଣ୍ଟ୍ ନିକୋଲାସ୍ ନାମକ ଜଣେ ଡଚ୍ ପାଦ୍ରୀ ବା ( ଚର୍ଚ୍ଚ୍ ର ବିଶପ୍) ଯିଏ ପିଲାମାନଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାର ଖେଳନା ଉପହାର ଦେଇ ଖୁସି କରାଉଥିଲେ। ତାଙ୍କରି ନାମଟି ଡଚ୍ ଲୋକ ମୁଖରେ ସିଣ୍ଟର କ୍ଲାସ୍ବା ସାଣ୍ଟାକ୍ଲଜ୍ ଭାବରେ ପ୍ରଚଳିତ ହୋଇଛି। ପୂର୍ବରୁ ସାଣ୍ଟାକ୍ଲଜର ପୋଷାକ ନାଲି,ନୀଳ,ହଳଦିଆ, ସବୁଜ, ଗୋଲାପି ଇତ୍ୟାଦି ରଙ୍ଗର ହେଉଥିଲା କିନ୍ତୁ କୋକାକୋଲା କମ୍ପାନୀ ଏହାକୁ ହାତକୁ ନେଇ ନିଜର ପାନୀୟର ରଙ୍ଗ ମୁତାବକ ନାଲି ରଙ୍ଗର କରିଦେଲେ। ସେଇଦିନଠାରୁ ସାଣ୍ଟାକ୍ଲଜର ପୋଷାକ ନାଲି ରଙ୍ଗର ହୋଇଛି।

ତୁମେମାନେ ଜାଣ କି ! ସାଣ୍ଟାକ୍ଲଜ୍ର ପୃଥିବୀର ସବୁ ଭଲ ପିଲାମାନଙ୍କ ପାଇଁ ଉପହାର ଭର୍ତ୍ତି ହୋଇଥିବା ସ୍ଲେଜ୍ ଗାଡିଟି ଟାଣି ଟାଣି ନେଉଥିବା ନାଲିନାକିଆ ବଲଗା ହରିଣର ନାମ କ’ଣ ? ଆଉ କେତୋଟି ବଲଗା ହରିଣ ସାହାଯ୍ୟ କରନ୍ତି ତା’କୁ ଟାଣିବା ପାଇଁ ସେଇ ଉପହାରଭର୍ତ୍ତି ଓଜନିଆ ସ୍ଲେଜ୍ ଗାଡିକୁ ? ସେଇ ବଲଗା ହରିଣର ନାମ ହେଲା ରଡଲଫ୍ । ତା’ର ସହଯୋଗୀଙ୍କ ନାମ କ୍ୟୁପିଡ୍, ଡ୍ୟାନ୍ସର୍, ଭିକ୍ସେନ୍, ଡଣ୍ଡର୍, କୋମେଟ୍, ଡ୍ୟାଶର୍ ପ୍ରାନ୍ସର୍ ଏବଂ ବ୍ଲିକ୍ସେମ୍ ।

ଜାଣିଛ କି ? ପ୍ରଭୁ ଯୀଶୁ ଜନ୍ମ ନେବା ବେଳେ ତାଙ୍କୁ ଗୁଡିଏ ବହୁମୂଲ୍ଯ ଐଶ୍ୱରୀୟ ଉପହାର ମିଳିଥିଲା। ଆକାଶରେ ଏକ ଉଜ୍ବଳ ତାରକା ଦୃଷ୍ଟିଗୋଚର ହୋଇଥିଲା ଏବଂ ଦେବଦୂତମାନେ ତାଙ୍କୁ ସୁନା ଗହଣା, ସୁଗନ୍ଧି ଇତ୍ୟାଦି ଉପହାର ଦେଇଥିଲେ।

ଖ୍ରୀସମାସରେ ବ୍ୟବହୃତ ହେଉଥିବା ପୁଷ୍ପଚକ୍ରରେ ଲାଗିଥାଏ ତିନିଟି ରଙ୍ଗର ଫୁଲ ଯଥା ନାଲି,ସବୁଜ ଏବଂସ୍ୱର୍ଣ୍ଣ ରଙ୍ଗର ଫୁଲ। ତାହା ପ୍ରଭୁ ଯୀଶୁଙ୍କର ମଥାରେ ଥିବା ମୁକୁଟର ପ୍ରତିନିଧିତ୍ଵ କରେ। ନାଲି ରଙ୍ଗଟି ଯୀଶୁ ଙ୍କର ରକ୍ତ, ସବୁଜ ରଙ୍ଗଟି ଜୀବନ ଏବଂ ସ୍ୱର୍ଣ୍ଣ ରଙ୍ଗଟି ଐଶ୍ୱରୀୟ ଆଲୋକ ବୁଝାଏ। ଏହି ପୁଷ୍ପଚକ୍ରଟି ଡିସେମ୍ବରର ଘନ କଠିନ ଶୀତକାଳରେ ମଧ୍ୟ ଜୀବନ ଏବଂ ଐଶ୍ୱରୀୟ ଦ୍ୟୁତିର ଉପସ୍ଥିତି ଜାହିର୍ କରିଥାଏ।

ଖ୍ରୀସମାସ୍ ରେ ମନଖୁସିଆ ଗୀତ “ ଜିଙ୍ଗଲ୍ ବେଲ୍.. “ ର ମଧ୍ୟ ମହତ୍ତ୍ଵ ରହିଛି। ଏହା ସମସ୍ତଙ୍କର ସୌଭାଗ୍ଯ, ସୁସ୍ଥତା ଆଉ ମନଖୁସି ରଖିବା ପାଇଁ ଗୀତଟିଏ । ସେଣ୍ଟ୍ ଫ୍ରାନସିସ୍ ଏହି ଧାରା ଆରମ୍ଭ କରିଥିଲେ ।

ଜାଣିଛ କି ! ସମସ୍ତଙ୍କୁ ଉପହାର ଦେଇ ମନଖୁସି କରାଉଥିବା ସାଣ୍ଟାକ୍ଲଜକୁ ମଧ୍ୟ କେହି କେହି ଉପହାର ଦିଅନ୍ତି ? ସ୍ନେହର ସହିତ ମିଠା କୁକିଜ୍  ଏବଂ କ୍ଷୀର ଉପହାର ଦେଲେ ସାଣ୍ଟାକ୍ଲଜ୍ ଖୁବ୍ ଖୁସି ହୁଏ ।

ଏମିତି ତ ଖ୍ରୀସମାସ୍ ବା ବଡ଼ଦିନରେ ସମସ୍ତେ ନୂଆଲୁଗା ପିନ୍ଧି ପରସ୍ପରକୁ ଶୁଭକାମନା କାର୍ଡ୍ ଦେଇ, ଭୋଜିଭାତ କରି, କେକ୍ କାଟି, ଫଳ ମିଠା ବାଣ୍ଟି, ମଉଜ ମଜଲିସ୍ କରି ଦିନ କାଟନ୍ତି । ତା’ ସହ ସ୍ନେହ ଶ୍ରଦ୍ଧାର ନିଦର୍ଶନ ସ୍ଵରୂପ ପରସ୍ପରକୁ ଉପହାର ଦେଇଥାନ୍ତି କିନ୍ତୁ ଏମିତି ଗୋଟିଏ ଅପୂର୍ବ ଖ୍ରୀସମାସ୍ ଉପହାର ଅଛି ଯାହା ସାରା ବିଶ୍ବରେ ପ୍ରସିଦ୍ଧ ଅଟେ। ସେଇଟି କ’ଣ ଜାଣିଛ? ସେଇଟି ହେଲା ଫ୍ରାନ୍ସ୍ ର ଲୋକମାନେ ସଂଯୁକ୍ତ ରାଷ୍ଟ୍ର ଆମେରିକା କୁ ୧୮୮୬ ମସିହାରେ ବନ୍ଧୁତ୍ୱ ର ନିଦର୍ଶନ ରୂପେ ଦେଇଥିବା ଅମୂଲ୍ୟ ଉପହାର “ ଷ୍ଟାଚ୍ୟୁ ଅଫ୍ ଲିବର୍ଟି “ ପ୍ରତିମା । ତାହା ଏ ଯାବତ୍ ବିଶ୍ୱର ସବୁଠାରୁ ସୁନ୍ଦର ଏବଂ ଦୂର୍ମୂଲ୍ୟ ଉପହାର ଭାବରେ ପରିଗଣିତ ହେଉଛି।

ପିଲାଏ , ଖ୍ରୀସମାସ୍ ବା ବଡ଼ଦିନ ଖାଲି କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରର ଏକ ଧାର୍ମିକ କି ଖୁସିର ପର୍ବ ନୁହେଁ ଏହା ସାରା ମାନବ ସମାଜ ପାଇଁ ଶାନ୍ତି, ମୈତ୍ରୀ ଏବଂ ସଂହତିର ବାର୍ତ୍ତା ବହ। କେବଳ ଖୁସି ମଜା କରି ,ଉପହାର ନେଇ ଏ ଦିନଟି କଟାଇ ଦେବା ନାହିଁ ଏହାର ମହତ୍ତ୍ଵ ବୁଝିବା। ନିଜ ହୃଦୟର ଗଭୀରତମ ପ୍ରଦେଶରେ ଈଶ୍ବର ଚେତନା ଜାଗ୍ରତ କରିବା, ଖ୍ରୀଷ୍ଟଙ୍କ ପ୍ରେମମୟ ଭାବକୁ ଆପଣାଇ ଦୟା, କ୍ଷମା ,ବିଶ୍ୱାସରେ ବିଶ୍ବଭାତୃଭାବ ପ୍ରତିଷ୍ଠା କରି ବିଶ୍ୱକୁ ସରସ ସୁନ୍ଦର ଶାନ୍ତ କରି ଗଢିବା ହିଁ ଖ୍ରୀଷ୍ଟମାସ ପାଳନର ପ୍ରକୃତ ଉଦ୍ଦେଶ୍ୟ । ମେରି ଖ୍ରୀଷ୍ଟମାସ ।

ଆଜି ପାଇଁ ଏତିକି । ବାକି ଆରଥରକୁ ….।

ଶାରଳା ଭବନ, ପୋତାପୋଖରୀ, କଟକ

Leave A Reply

Your email address will not be published.