Latest Odisha News

ଶିଶୁ ଗଳ୍ପ : ଅଟୋ ବାଲା

ନମିତା ପାଇକରାୟ 

ବୁଢୀମା କୋଳରେ ଶୋଇ ରହି ଆକାଶକୁ ଚାହୁଁ ଥିଲା ରମେଶ। ଆକାଶ ଆଜି ଟିକେ ବେଶୀ ବେଶୀ ନୀଳ ଦିଶୁଥାଏ। ରମେଶର ମନ ଭିତରେ ହଜାରେ ପ୍ରଶ୍ନ ଖେଳି ବୁଲୁଥାଏ। ଠିକ ସେତିକି ବେଳେ ଆକାଶରୁ ଆଲୁଅ ଓ ଶବ୍ଦ ସହିତ ଉଡାଜାହାଜଟିଏ ଦେଖାଗଲା । ରମେଶ ର ମନ ଆନ୍ଦୋଳିତ ହେଲା।

ବୁଢୀମାକୁ ପଚାରିଲା ରମେଶ, ଆଛା ବୁଢୀମା ମୁଁ ଯଦି ବାହାରେ ଚାକିରୀ କରିବି ତୁମେମାନେ ସବୁ ଏଠି ରହିପାରିବତ ମୋ ବିନା ?

ବୁଢୀମା ହସିଲା, ରମେଶର ମୁଣ୍ଡ ଆଉଁସି ଆଣିଲା, “ତୋର ଏ ଷୋଳ ସତର ବର୍ଷ ବୟସରୁ ଚାକିରୀ କରିବାକୁ ମନ ହେଲାଣି, ଆରେ ବୋକା ପାଠ ପଢିବା ବୟସରେ ଯଦି ନ ପଢିବୁ ତାହେଲେ କଣ ବୁଢାବୟସରେ ଜ୍ଞାନ ଆହରଣ କରିବୁ ? ଜୀବନ ସାରା ତ ଚାକିରିଆ ହୋଇ ପରିବାରକୁ ଚଳେଇବୁ , ଏତେ ତରତର କାହିଁକି ହେଉଛୁ ? ତୋ ବାପକୁ ଦେଖୁଛୁ ,ଇଞ୍ଜିନିୟରିଂ ପଢି କେତେ କେତେ କାମ କରୁଛି ,କାରଖାନା ଭିତରେ ତା ବୟସ ସରୁଛି, ଗୋରା ତକତକ ଦେହ ଦିନକୁ ଦିନ କଳା ପଡି ଚାଲିଛି, ବ୍ଲାଷ୍ଟଫରନେସ ଧୂଆଁରେ ମୁହଁ କଳାକାଠ ଦିଶିଲାଣି। ତୁ ମନଯୋଗ ଦେଇ ପଢ ବାପଠୁ ଆହୁରି ଆଗକୁ ଯିବୁ । କାକର ପଡିଲାଣି ଛାତ ଉପରୁ ତଳକୁ ଯିବା ଚାଲ। ବୁଢୀମା ସହ ରମେଶ ସପକୁ ଗୁଡେଇ କାଖରେ ଜାକି ଚୁପଚାପ ତଳକୁ ଓହ୍ଲାଇ ଆସିଲା ।

ରମେଶର ମାଆ ସିଲା ଗରମ ଗରମ ଭାତ ବାଢିଲା ବୁଢୀମା ଆଉ ନାତି ପାଇଁ। ସାରା ପରିବାର ଶୋଇ ଗଲା ପରେ ରମେଶର ମନକୁ ଘାରିଲା କଥାଟିଏ। ବାପାଙ୍କର ନାଇଟ ସିପ୍ଟ , ଘରେ ବାପା ନାହାନ୍ତି, ଏଇଟା ହେଉଛି ସୁବର୍ଣ୍ଣ ସୁଯୋଗ ଘରୁ ବାହାରି ଯିବା ପାଇଁ। ରମେଶ ତାର ଦୁଇ ହଳ ଡ୍ରେସ ସହ ଆଧାର କାର୍ଡ ଆଉ ବାପାଙ୍କ ଏଟିଏମ କାର୍ଡଟି ଧରି ବାହାରକୁ ବାହାରି ଆସିଲା।

ରାତି ତିନିଟା ସାଡେ ତିନିଟା ହେବ। ଅଟୋ ଷ୍ଟାଣ୍ଡରେ ପହଞ୍ଚି ଗଲା। ଷ୍ଟାଣ୍ଡରେ ସବୁ ବେଳେ ଚାରି ପାଞ୍ଚଟି ଅଟୋ ଥାଏ। ରମେଶର ଯୋତା ଶବ୍ଦ ରେ ଅଟୋବାଲାଟି ସିଟରୁ ଉଠି ଠିଆ ହେଲା ଆଖି ମଳି ମଳି ପଚାରିଲା କୁଆଡେ ଯିବ ?

ରମେଶ କହିଲା, “ଷ୍ଟେସନ “।

ଲୋକଟି ବୋତଲ ରୁ ପାଣି କାଢି ମୁହଁ ଧୋଇଲା। ଅଟୋବାଲା ବସିବାକୁ କହିବା ପୂର୍ବରୁ ରମେଶ ବସି ସାରିଥିଲା ସିଟରେ ।ଅଟୋଟି ଷ୍ଟେସନ ଅଭିମୁଖେ ଗଡିଲା । କିଛି ବାଟ ଅଟୋ ଆସିଛି, ରମେଶ ମୋବାଇଲରେ କଥା ହେଉ ହେଉ କହିଲା ଘରୁ ତ ବାହାରି ଆସିଛି କୁଆଡେ ଯିବା, ତୁମେମାନେ ପହଞ୍ଚିବା ପରେ ତାକୁ ଫୋନ କରିବା, ଆଉ ଲକ୍ଷେ କହୁଛି, ଠିକ କରିନି ଷ୍ଟେସନରେ ପହଞ୍ଚିଲେ ଭାବିବି ।

ଅଟୋବାଲା କାନରେ ଏତିକି କଥା ପଡୁ ପଡୁ ଅଟୋ ଟି ଧିରେ ଧିରେ ରାଖାଲ ଚା’ ଦୋକାନ ସାମ୍ନା ରେ ଠିଆ ହେଲା । ଅଟୋବାଲା ରମେଶ କୁ କହିଲା, “ ବାବୁ ଅଧଘଣ୍ଟାଏ ଲାଗିବ ଷ୍ଟେସନ, ଟିକିଏ ଚା ନପିଇଲେ ଗାଡି ଚଲେଇ ପାରିବିନି । ତୁମେ ବି ଟିକିଏ ଚା’ ପିଦିଅ ନିଦ ଛାଡି ଯିବ ।

ଅଟୋବାଲାର ଉଦ୍ଦେଶ୍ଯ ଥିଲା ପିଲା ଟିର ମୁହଁକୁ ଭଲ ଭାବେ ଦେଖିବା । କାରଣ କାଲିର ସମ୍ବାଦ ପତ୍ରରେ କିଛି ଅଘଟଣ ପୃଷ୍ଠା ମଣ୍ଡନ ନକରୁ । ଚା’ ତ ରମେଶ ପି ନଥିଲା କିନ୍ତୁ ଚା’ ପିଉ ପିଉ ରାଖାଲଠାରୁ ଅଟୋ ବାଲା ବୁଝି ସାରିଥିଲା ତା ଗାଡି ରେ ବସିଥିବା ପିଲାଟି ଦାସବାବୁଙ୍କ ପୁଅ।

ଗାଡି ଷ୍ଟେସନକୁ ଗଡିଲା। ସକାଳ ହେବା ପୂର୍ବରୁ ରମେଶ ଷ୍ଟେସନ ପହଞ୍ଚିବା କଥା ଭାବୁଥାଏ କିନ୍ତୁ ଗାଡି ବିଲକୁଲ ଯୋର ଚାଲୁନଥାଏ। ରମେଶ ମନେ ମନେ ଅଟୋବାଲା ଉପରେ ଚିଡୁଥାଏ । ଶେଷରେ ଦୁହେଁ ପହଞ୍ଚି ଗଲେ ଷ୍ଟେସନରେ । ରମେଶ ବ୍ୟାଗ୍ ଧରି ଚାଲିଲା ପ୍ଲାଟଫର୍ମ ଭିତରକୁ । ତା’ପଛେ ପଛେ ଅଟୋବାଲା ପ୍ଲାଟଫର୍ମର ଟିକେଟ କାଟି ଭିତରକୁ ଗଲା, କିଛି ଟ୍ରେନ ସେତେବେଳେ ସେଠି ନଥିଲା କିମ୍ବା ଷ୍ଟେସନ ଏତେ ଭିଡ ବି ନଥିଲା। ଗୋଟିଏ ବେଞ୍ଚ ଉପରେ ବସି ଅଟୋବାଲା ରମେଶ ଉପରେ ନଜର ପକାଇ ବସିଥିଲା। ରମେଶ ପ୍ରାୟ ଦଶ ପନ୍ଦର ମିନିଟ ଘୁରି ବୁଲିଲା ଷ୍ଟେସନ ସାରା, ତାପରେ ଅଟୋବାଲାକୁ ଆସି ପଚାରିଲା ” ତୁମେ କାହିଁକି ଏଠି ବସିଛ ଫେରିଯାଅ।” ଅଟୋବାଲା କହିଲା,’ ଆମର ଜଣେ ଗାଁରୁ ଆସିବ ତାକୁ ନେଇକି ଯିବି। ‘

ରମେଶ ପୁଣି ଷ୍ଟେସନ ଚତୁର୍ଦ୍ଦିଗ ଘୁରିବୁଲୁଥାଏ କାହାକୁ କାହାକୁ ଫୋନ କରୁଥିବାର ଅଟୋ ବାଲାଟି ଲକ୍ଷ କରୁଥାଏ । ଷ୍ଟେସନ ଏଟିଏମରୁ ରମେଶ କିଛି ଟଙ୍କା ଉଠାଇ ଆଣିଲା, ପାଖ ଷ୍ଟଲରୁ ପାଣି ବୋତଲଟି କିଣିଲା ଢକ ଢକ କରି ପୁରା ପିଇଦେଲା । ଅଟୋବାଲଠାରୁ ସାମାନ୍ଯ ଦୂରେଇ ବସିଲା ରମେଶ ଆଉ ଗୋଟିଏ ବେଞ୍ଚରେ। ସେଇଠୁ କାହାକୁ କାହାକୁ ଫୋନ କରୁଥିବାର ଆଉ ବ୍ୟସ୍ତ ହେବାର ଲକ୍ଷ କରୁଥାଏ ଅଟୋବାଲା ।

ଗୋଟିଏ କିନ୍ନରଟି ଆସି ଯେତେବେଳ ରମେଶ ପାଖରେ ବସିଲା ରମେଶଠାରୁ ଅଟୋବାଲା ବେଶୀ ବ୍ୟସ୍ତ ହୋଇ ପଡିଲା। ରମେଶ ତା’ପକେଟ ରୁ କିଛି ପଇସା ବାହାର କରି କିନ୍ନର ହାତକୁ ବଢାଇ ଦେଲା, କିନ୍ନରଟି ତାକୁ ଅଙ୍ଗ ଭଙ୍ଗୀ ଦେଖାଇ ତା’ ଗାଲ ଓଠକୁ ଛୁଇଁ ଫେରିଗଲା। ରମେଶ ବୋଧେ ଭୟ ପାଇଲା, ନିଜେ ଉଠି ଆସି ଅଟୋବାଲା ପାଖରେ ବେଞ୍ଚ ରେ ବସିଲା। ସେତେବେଳ କୁ ଷ୍ଟେସନ ଉପରେ ସକାଳ ବିଛେଇ ହୋଇ ପଡିଥାଏ।

ଦୁଇ ଦିଗରୁ ଅନେକ ଟ୍ରେନ ଯିବା ଆସିବା କରିସାରିଲାଣି। ରମେଶ ପଚାରିଲା ଅଟୋବାଲାକୁ ଏତେ ଟ୍ରେନ ଗଲାଣି ତୁମର ତ ନିଜ ଲୋକ କେହି ଆସିଲେନି ? ହଁ ଆସିବେ ଟ୍ରେନ ଟାଇମ ହୋଇ ନି। ତା’ପରେ ରମେଶ ର ମୋବାଇଲ ଘନଘନ ଶବ୍ଦ କଲା ରମେଶ ବିଲକୁଲ ଉଠାଇଲାନି, ଖାଲି ବିରକ୍ତ ହେଲା। ଅଟୋବାଲା କହିଲା, ଆରେ ବାବୁ ଫୋନଟା ଉଠାଅ, କିଏ କାହିଁକି ଫୋନ କରୁଛି ବୁଝ। ଏଟିଏମ ରୁ ପଇସା ଉଠାଇଲି ସେଇଥିପାଇଁ ବାପା ଫୋନ କରୁଛନ୍ତି।

“ଆଛା ବାବୁ ତୁମେ କୁଆଡେ ଯିବ?”

କୁଆଡେ ଯିବି କଣ ଏ ପର୍ଯ୍ୟନ୍ତ ମୋ ସାଙ୍ଗ ଦୁଇ ଜଣ ଆସି ନାହାନ୍ତି, ପହଞ୍ଚିବାର ପରେ ଆମେ ଚିନ୍ତା କରିବୁ କଲିକତା ଯିବୁ କି ଦିଲ୍ଲୀ। ସେଇଠୁ ଆମେ ଦୁବାଇ ଯିବୁ। ଅଟୋବାଲାର ସନ୍ଦେହ ଦୃଢ ହୋଇ ଗଲା। ଆଛା ତୁମ ସାଙ୍ଗ ମାନେ ଏତେ ଡେରିହେଲା ପହଞ୍ଚୁ ନାହାନ୍ତି ? ମୋ ପାଖରେ ବାପା ଙ୍କ ଏଟିଏମ କାର୍ଡ ଅଛି ପଇସା କଥା ଚିନ୍ତା ନକରି ଆସିବାକୁ କହିଲା ପରେ ବି କାହିଁକି କେହି ଆସିଲେନି ଏ ପର୍ଯ୍ୟନ୍ତ କେଜାଣି। ଫୋନ ବି କେହି ଉଠାଉ ନାହାଁନ୍ତି। ଅଟୋବାଲା କହିଲା, “ ତୁମେ ଏବେ ତାହେଲେ କୁଆଡେ ଯିବ?” ଦୁବାଇ ଯିବା ପାଇଁ ଆମେ ଯାହାକୁ ପଚାଶ ହଜାର ଦେଇଥିଲୁ ତାର ବି ତ ଏପର୍ଯ୍ୟନ୍ତ ଦେଖା ନାହିଁ “।“ହଉ ଆଉ କିଛି ସମୟ ଅପେକ୍ଷା କର ।“

ରମେଶ ଉଠି ଗଲା କଫି ପିଇବା ପାଇଁ। ରାଖାଲ ଚା ଦୋକାନୀ କୁ ଅଟୋବାଲା ଫୋନ ଲଗାଇଲା ପୁଣି। ଏଥର ରମେଶ ହାତରେ ଦୁଇ କପ କଫି, ଅଟୋବାଲା ହାତକୁ ରମେଶ କଫି କପଟି ଆତ୍ମିୟତାର ସହ ବଢେଇଲା । କଫି ପିଉ ପିଉ ରମେଶର ମୁଣ୍ଡ ରେ ପଶିଲା, ଏବେ ସେ ଯଦି ଘରକୁ ଫେରୁଛି ଖୁବ ମାଡ ଖାଇବ ବାପାଙ୍କଠାରୁ। ସ୍କୁଲ ବନ୍ଦ ହେଲା ମହାମାରୀ କରୋନା ପାଇଁ। କରୋନାରେ ଯିଏ ମରିଗଲେ ତରିଗଲେ ଯିଏ ବଞ୍ଚି ଛନ୍ତି ସେମାନଙ୍କ ସ୍ଵପ୍ନ ସବୁ ମରିଗଲା।

ରମେଶର କଫି ସରି ନଥିଲା କପରୁ, ତା’ର ବାପା ମାଆ ଆସି ପହଞ୍ଚିଗଲେ ତା ପାଖରେ। ମାଆ ରମେଶ କୁ ଧରି କାନ୍ଦି ବାକୁ ଲାଗିଲେ। ରମେଶ ର ମୁହଁ ଭୟ ରେ କଳା ପଡିଯାଇଥାଏ ବାପାଙ୍କୁ ଦେଖି। ଅଟୋବାଲା କିଛି ନଜାଣିଲା ପରି ଚୁପଚାପ ଦେଖୁଥାଏ। କିଛି ବାଟ ଷ୍ଟେସନରୁ ବାହାରି ଗଲା ପରେ ରମେଶ ବାପା ମାଆ ଙ୍କ ସଙ୍ଗେ, ଫେରି ଚାହିଁଲା ପଛକୁ, ଦେଖିଲା ଅଟୋବାଲା ଆସୁଛି ଏକା ଏକା। ରମେଶ ପଛକୁ ଫେରି କହିଲା, ତୁମେ ବାପାଙ୍କୁ ଖବର ଦେଇଛ ନା ? ଅଟୋବାଲା କହିଲା, ମୁଁ ଚାହେଁନି ତୁମେ ଭବିଷ୍ୟତ ରେ ଅଟୋ ବାଲା ହୁଅ, ମୁଁ ବି ଦିନେ ଅଧା ପାଠ ଛାଡି ସହରକୁ ଆସିଥିଲି ଚାକିରୀ ପାଇଁ। ଆଜିଯାଏ ଅଟୋ ଚଲଉଛି। ଅଟୋବାଲାର ହାତ କୁ ରମେଶ ମୁଠାଇ ଧରିଲା ଆତ୍ମବିଶ୍ଵାସର ସହ, ଅଜଣା ଲୋକ ବି ବେଳେ ବେଳେ କେତେ ଆପଣାର ହୋଇ ଯାଏ,ମାଆ ବାପା ଦୁହେଁ କୃତ୍ୟ କୃତ୍ୟ ହେଇଯାଉ ଥାଆନ୍ତି ଅଟୋ ବାଲା ପାଖରେ, କେତେ ବଡ ଅଘଟଣ ରୁ ଆଜି ବଞ୍ଚେଇ ଦେଇଛି ପିଲାଟି।
ସେଦିନ ରୁ ଅଟୋବାଲା କୁ ବି ଗୋଟିଏ ପରିବାରର ସାହାରା ମିଳିଗଲା ।।

ପ୍ଲଟ ନମ୍ବର ୩୫୨ ,ସେକ୍ଟର ୫ ,                                                                                                ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର,                                                                                                ଭୂବନେଶ୍ବର ୨୧ , ମୋ ୯୮୬୧୩୮୫୦୪୬

Comments are closed.