ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୪
ର’ (Raw)ପାଇଁ କାମକରି ମିଳେ କଣ …ଯିଏ କରେ ,ସେ ମାଟିକୁ ଭଲପାଏ, ମାଆକୁ ଭଲପାଏ…ମାଆଙ୍କୁ ନିଜରଭାବିଲେ ବଳିଦାନ ଦେବାକୁ ପଡେ ..ଉଃ ଅସହ୍ୟ … ବଳିଦାନର ବା ମୂଲ୍ୟାୟନ କିଏ କରିପାରିବ !
କାମର ଚାପ ଏବେ ବଢିଚାଲିଥିଲା।ମୋ’ ପରିବାର ଆର୍ଥିକ ଦିଗରୁ ମଜଭୁତ ହେଉଥିଲେ ।ଆମ ସ୍କୁଲ ଓ କଲେଜ ପାଇଁ ବିଶେଷ ଧ୍ୟାନ ଦେଉଥିଲି। ମନେ ପଡୁଥିଲା ବୈକୁଣ୍ଠ ସାର୍ କହୁଥିଲେ ,ଅମୃତା ,ଲଟେରି ଜିତିଲେ ସେ ଟଙ୍କାରେ କ’ଣ କରିବ? ଲଟେରି … ମୁଁ ପଚାରିଲି ବାପା ଲଟେରି କ’ଣ…ଟଙ୍କା ପାଇଲେ ସ୍କୁଲଘରକୁ ଆଗ ପକ୍କା କରିବି…ପ୍ରତି ଶନିବାର ଗୋବର ଆଉ ମାଟିରେ ଲିପୁଥିଲେ ସେବେଳରେ।ଭଙ୍ଗା ବେଞ୍ଚ ଡେସ୍କକୁ ସଜାଡିବି।ଦି ଥର ଗଳିଚି ସାରଦା ବେଞ୍ଚରୁ। ଆଉ ଝରକାର କାଠ ରେଲିଂ ଭାଙ୍ଗି, ଡେଇଁପଳାଏ ମହେନ୍ଦ୍ର ଘରକୁ।ଆଜି ସେସବୁ ଚକାଚକ୍।ସରକାରୀ ଅନୁଦାନ ଅଛି,ରହିବ, ନିଜେ ମିଶିଗଲେ କ୍ଷତି କଣ ଯେ।
ନାରଣଗଡ ପ୍ରଜେକ୍ଟ ପାଇଁ ସମୟ ଯାଉଚି।ଏକର ଏକର ଜମି ଉପରେ କାମ …। ଏପଟେ ଆଣ୍ଟି ଅସୁସ୍ଥ … । ଦୁଇ ଡକ୍ଟର ଆଣ୍ଟି ଥକି ପଡନ୍ତିନି କେମିତି ଯେ…। ଏକାଥରେ ଏତେଜଣଙ୍କୁ ନେଇ ଏତେଗୁଡାଏ କାମ କରନ୍ତି। ବାପାଙ୍କ ଫଟୋ ବୋଲି ତ ଗୋଟିଏ ପାଇଚି। ସେଇଟିକୁ ନେବାକୁ ପଡିବ …. ପ୍ରତୀକ ଏବେ କୋଉଠି କେଜାଣି …ଛଉର ଉନ୍ନତି ପାଇଁ ବ୍ୟବସ୍ଥା କରାଯାଉଛି।ଆଗ୍ରହୀକୁ ଅଟକାଇବ ବା କିଏ…।
ଆଣ୍ଟିଙ୍କ ସ୍ବାସ୍ଥ୍ୟାବସ୍ଥା ଧିରେ ଧିରେ ଖରାପ ଆଡକୁ ଯାଉଚି …କେତେ ଉତ୍କଣ୍ଠା କେତେ ଦ୍ବନ୍ଦ୍ବ କେତେ ସଂଘର୍ଷ ଦେଇ ମଣିଷ ଚାଲେ। ଏସବୁ ନଥିଲେ ଜୀବନର ରାସ୍ତା କିପରି ହୋଇଥାଆନ୍ତା କିଏ କହିବ ..। କିଏ ବି କହିବ ଏସବୁ କେତେବେଳେ ଆସିବ..କେଉଁଠି ମିଶିବ..।
ରଞ୍ଜୁ କହୁଚି ମୁଁ ମୋ’ ଭଳି ହେବି …ହଉନୁ । କେତେ ଆଉ ଦେଖେଇବ ଜୀବନ…ଖେଳିବ ସମୟ।ହଜିହଜି ଯାଉଚି ଯାହା ତା’ ପଛେପଛେ ଧାଇଁ ଧାଇଁ ମଣିଷ ନୟାନ୍ତ। ଶବ୍ଦ ଓ ଭାବ ମିଳିମିଶି ରହିଥିଲେ କାଳେକାଳେ , ରହୁଥିବେ ।
ଜବାସହିତ ପହଞ୍ଚିଗଲେ ଡକ୍ଟର ବସା ଓ ଶ୍ବେତପଦ୍ମା ଦେବୀ । ସିଷ୍ଟର ଜର୍ଜିଆ ସେଇଯେ ନେଇଯାଇଥିଲେ, ଏ ମାଟିକୁ ସେଦିନରୁ ସେ ଫେରିନଥିଲେ।
‘ଦେବୀ ଭବନ’ରେ ଭବ୍ୟ ସମାରୋହରେ ପାଛୋଟି ଆଣିଲେ ଏଇ ମାଟିର ମଣିଷଙ୍କୁ। ଆନୁସଙ୍ଗିକ କାମସାରି ଉପରେ ରହିବା ଖାଇବାର ବ୍ୟବସ୍ଥା ହୋଇଥିଲା। ଥମକି ଠିଆ ହୋଇଗଲେ ଶ୍ବେତପଦ୍ମାଦେବୀ। ଫଟୋଟି ଆଡକୁ ହାତଦେଖାଇ ଆଖିରେ ଯାହା ପଚାରିଲେ,ଡକ୍ଟର ମିସେସ ବସା କହିଲେ ,’ଏ ଡକ୍ଟର ଦେବିକାଙ୍କ ସ୍ବାମୀ ଶିଳାଦିତ୍ୟ ଚହଟରାୟ।’ ଜବାର ହାତକୁ ଧରି ଦେଖାଇ କହିଲେ, ‘ ତୋ ବାପା’ , ଶ୍ବେତପଦ୍ମା ଦେବୀ। ବାପା…ଅସ୍ଫୁଟ ସ୍ବର କେବଳ…।ହାୟ, ଖୋଜିହେଲା ବେଳକୁ ଶେଷ ସବୁ। କାହିଁକି ମୋ’ ସହିତ ବାରମ୍ବାର ସମୟ ଖେଳେ ଏମିତି …।କଣ ମିଳେ କନ୍ଦେଇ ….।ନା,ନା, ଦାଦାଭାଇ ବାପା ଭଳି ଯେତେ ଗେହ୍ଲା ଆକଟ କରିଛନ୍ତି ତତୋଧିକ ଭଲପାଇଛନ୍ତି।ସେହିଁ ବାପା….ଫଟୋ ତ ବାପା ନୁହେଁ …ନା ନା କଦାପି ନୁହେଁ ( କ୍ରମଶଃ )