ସାରା ରାତି ବର୍ଷା ହେବାବେଳେ
ସରୋଜିନୀ ଶଙ୍ଖୁଆ
କାଲି ସାରା ରାତି ବର୍ଷା ହେଲାବେଳେ
ମୋ ଛାତରୁ ନିଗିଡ଼ି ପଡୁଥିଲା କିଛି ତରଳ ସ୍ୱପ୍ନ
ଯାହାକୁ ମୁଁ ଆଞ୍ଜୁଳା ପାତି ତୋଳିଆଣିବାବେଳକୁ
ସେ ଇଡି ଯାଉଥିଲା
ମୋ ଅସହାୟତାର ଚଟାଣ ଉପରେ।
ତମେ ଦେଇନଥିବା କିଛି ଯନ୍ତ୍ରଣାକୁ
ମୁଁ ଭୋଗୁଥାଏ ଅହରହ
ଅନ୍ଧାରର ଅମୁହାଁ ଘରେ ଅଣନିଶ୍ୱାସୀ ହେଇ
ଅଥଚ ତୁମେ ଈର୍ଷାର ଆଲୁଅ ତଳେ
ସାରା ରାତି ବଜାଉଥାଅ ବଂଶୀ।
ଅନେକ ଆଗରୁ ଆମ ଭାବପ୍ରବଣତାର
ବଗିଚାରେ ଫୁଟିବାର ଥିଲା ପ୍ରେମ,
ଶୁଭିବାର ଥିଲା ଏ ବଂଶୀ ସ୍ୱର
ଯଦିଓ ପ୍ରେମ କ’ଣ ଜାଣିବା ଆଗରୁ
ବର୍ଷା ଆସି ଧୋଇ ଦେଇଥିଲା
ମୋ ଲାଜହୀନ ବୟସର ସବୁ ସହଜପଣ
ଅନେକ ଆଗରୁ ତମର ତୋଳିନେବାର ଥିଲା
ମୋ ଅନିର୍ଦ୍ଦିଷ୍ଟ ଆକାଂକ୍ଷାର ଫୁଲପେନ୍ଥା,
ଛୁଇଁବାର ଥିଲା ଦରଫୁଟା ସ୍ଵପ୍ନର କଢିକୁ
ଯଦିଓ ସେତେବେଳେ ଆଖିମାନେ
ଓଦା ହେଉଥଲେ ବିନା କାରଣରେ
ସ୍ଵପ୍ନ ଦେଖିବା ଆଗରୁ
ଓଦାଓଦା ମନ ନେଇ
ମୁଁ ଆଉଟିକେ ଅନ୍ୟମନସ୍କ ହଉଥିଲି
ଜମାଟବନ୍ଧା ଭାବନାସବୁ ତରଳି ଗଲାବେଳେ…
କାଲି ସାରା ରାତି ବର୍ଷା ହେବାବେଳେ।
Comments are closed.