Latest Odisha News

BREAKING NEWS

ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ ହୁଏ ସରସ୍ୱତୀ ପୂଜା

ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ସରସ୍ୱତୀ ପୂଜା ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ ।

ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।

ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ।

ମାଘମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ଭାବେ ପାଳନ କରାଯାଏ । ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି । ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ ।

ପ୍ରାଚୀନ କାଳରେ ରାଜା ମହାରାଜାମାନେ ଶ୍ରୀ ପଞ୍ଚମୀକୁ ‘ରତିକାମ ମହୋତ୍ସବ’ ରୂପେ ପାଳନ କରୁଥିଲେ । ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ଚାଚେରୀ ଖେଳୁଥିବାର ସ୍ମୃତି ସ୍ୱରୂପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ ।

Leave A Reply

Your email address will not be published.