Latest Odisha News

BREAKING NEWS

ସତ ହେଲା ଶିଶୁ ଶ୍ରମିକଙ୍କ ସ୍ୱପ୍ନ

ବାରିପଦା: ଦିନେ ସେମାନେ ଥିଲେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ଦିନ ପ୍ରକାଶିତ ମାଟ୍ରିକ୍‌ ରେଜଲ୍ଟ ତାଙ୍କ ମନରେ ଜନ୍ମ ଦେଇଛି ଅନେକ ସ୍ବପ୍ନ । କିଏ ପାଠ ପଢ଼ି ଚାକିରି କରିବ ତ ଆଉ କିଏ ନିଜକୁ ବିଭିିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିବା ଭଳି ଲକ୍ଷ୍ୟ ରଖି ନିଜକୁ ପ୍ରସ୍ତୁତ କରିବା ପାଇଁ ଆଗଭର ହେଲେଣି ଏମାନେ।

ଏହି କୃତି ୯ ଜଣ ଛାତ୍ରହେଲେ ଅଜୟ କୁମାର ପାତ୍ର, ଜିତେନ୍ଦ୍ର କୁମାର ନାୟକ, ହେମନ୍ତ କୁମାର ମୁର୍ମୁ, ପାଣ୍ଡୁ ସିଂ, ଗୁଜା ମୁର୍ମୁ, ଦୀପୁ ମହାକୁଡ଼, କାର୍ତ୍ତିକ ମହାକୁଡ଼, ଦୁର୍ଗା ମାରାଣ୍ଡି ଓ ରାଜେଶ ପାତ୍ର। ପରିବାରର ଅଭାବ ଅନଟନ ଯୋଗୁ ଦିନେ ସେମାନଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଥିଲା। ହେଲେ ମାଟ୍ରିକ୍‌ ପାସ୍‌ କରିବା ପରେ ସେମାନଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ।

ସେମାନଙ୍କ ମଧ୍ୟରୁ କିଏ ଅନାଥ ତ ଆଉ କାହାର ବାପା ଥିବା ବେଳେ ମା’ ଆରପାରିକୁ ଚାଲି ଯାଇଛନ୍ତି। ଆଉ କାହାର ମା’ ଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଛି। ଫଳରେ ବାଧ୍ୟ ହୋଇ ସେମାନ କିଛି ଅର୍ଥ ଆଶାରେ ଶିଶୁ ଶ୍ରମିକ ଭାବେ ଖଟି ଆସୁଥିଲେ। ଜଳଖିଆ ଦୋକାନ, ଗ୍ୟାରେଜ, ଢାବା ଆଦି ବିଭିନ୍ନ ଦୋକାନରେ ଏମାନେ କାମ କରୁଥିଲେ।

୨୦୧୪ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ସେମାନଙ୍କୁ ଉଦ୍ଧାର କରି ‘ମୁଁ ବି ପଢ଼ିବି’ ଯୋଜନାରେ ପାଠ ପଢ଼ାଇବାର ବ୍ୟବସ୍ଥା କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ବିଶୋଇଠାରେ ଥିବା ଛାତ୍ରାବାସରେ ରହି ସେମାନେ ପାଠ ପଢିଥିଲେ। ବିଶୋଇ ନୋଡାଲ ଉଚ୍ଚ ବିଦ୍ୟାଳୟର ଏହି ୯ ଛାତ୍ର ଯେ କେବଳ ପାଠ ପଢ଼ାରେ ସଫଳ ହୋଇଛନ୍ତି ତାହା ନୁହେଁ ସ୍ବରୋଜଗାରକ୍ଷମ ହେବା ପାଇଁ ସେମାନଙ୍କୁ ଦିଆଯାଇଥିବା ସବାଇ ଘାସ, ମାଟି ଓ ଅନାବଶ୍ୟକ ପଦାର୍ଥରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତି କରିବା ତାଲିମ ପାଇ ସେଥିରେ ପାରଙ୍ଗମ ହୋଇ ପାରିଛନ୍ତି ଏମାନେ।

ଅଜୟ ଓ ଜିତେନ୍ଦ୍ର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ବେଳେ ଅନ୍ୟମାନେ ମଧ୍ୟ ଭଲ ମାର୍କ ରଖି ପାସ୍‌ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଜିଲ୍ଳା ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.