Latest Odisha News

BREAKING NEWS

ପରପାରିରେ ବ୍ୟଙ୍ଗ ସାହିତ୍ୟିକ ମୋହନଦାସ ରତିକାନ୍ତ ରାଓ

ପୁରୀ : ଓଡ଼ିଶାର ସ୍ବନାମଧନ୍ଯ ବ୍ୟଙ୍ଗ ସାହିତ୍ୟିକ ତଥା ବର୍ଣ୍ଣବୋଧର ରଚୟିତା ମଧୁସୂଦନ ରାଓଙ୍କର ବଂଶଧର ମୋହନଦାସ ରତିକାନ୍ତ ରାଓ (ଏମ୍ ଆର୍ କେ ଆର୍ )ଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା।

ଜେଲ୍ ବିଭାଗର ମୁକ୍ତବନ୍ଦୀ ଶିବିରର ଅଧିକାରୀ ଭାବରେ କାର୍ଯ୍ଯକରି ସ୍ବର୍ଗତଃ ରାଓ ଅବସର ଗ୍ରହଣ କରିଥିଲେ। ଅନେକଗୁଡ଼ିଏ ଗଳ୍ପ,କବିତା ଉପନ୍ୟାସ ଓ ରମ୍ୟରଚନା ଲେଖି ସେ ଓଡିଆ ବ୍ୟଙ୍ଗସାହିତ୍ୟ ଜଗତରେ ଜଣେ ପ୍ରତିଷ୍ଠିତ ସାହିତ୍ୟକାର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଲିଖିତ ଉପନ୍ୟାସ ‘କଣାମାମୁଁ’ ର ଉତ୍ତରାର୍ଦ୍ଧ ପ୍ରକାଶ କରି ସେ ଲୋକଲୋଚନକୁ ଆସିଥିଲେ। ‘ଏକଦମ୍ ଘରୁଆ’ , ‘ରସାଳ’ ଆଦି ଗଳ୍ପ ସଙ୍କଳନ ସହିତ ‘ମନ୍ମୟ’ ରମ୍ୟରଚନା ଆଦି ତାଙ୍କର ଅନବଦ୍ୟ ସାହିତ୍ୟକୃତି । ‘ଆଠମଲ୍ଲିକ ଡାଇରି’ ନାମରେ ସେ ଆତ୍ମଜୀବନୀର କିଛି ଅଂଶ ଲେଖିଥିଲେ ।

ହାସ୍ୟରସୋଦ୍ଦୀପକ କବିତା ରଚନାରେ ତାଙ୍କର ପାରଦର୍ଶିତା ରହିଥିଲା। ଅନେକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ହାସ୍ୟ ବିନୋଦ କେନ୍ଦ୍ର, କଟକ ପକ୍ଷରୁ ସେ ‘ରସରାଜ’ ଉପାଧିରେ ଭୂଷିତ ହୋଇଥିଲେ। ତାଙ୍କର ଦୁଇ ପୁଅ ଓ ଝିଅ ଅଛନ୍ତି। ସ୍ବର୍ଗତଃ ରାଓଙ୍କ ମୃତ୍ୟୁରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.