Latest Odisha News

BREAKING NEWS

ଇଲନ ମସ୍କଙ୍କ ଟ୍ୱିଟର କିଣିବା ପ୍ରସ୍ତାବ ଅଗ୍ରାହ୍ୟ; ମନା କଲେ ସାଉଦି ପ୍ରିନ୍ସ

ଇଲନ ଦେଇଥିବା ଅଫର, ଟ୍ୱିଟରର ପ୍ରକୃତ ମୂଲ୍ୟ ସହ ସମକକ୍ଷ ନୁହେଁ ବୋଲି କହିଛନ୍ତି ଅଲୱଲିଦ ତଲାଲ । ଦୀର୍ଘସ୍ଥାୟୀ ଅଂଶୀଦାର ଭାବେ ଆମେ ଏହାକୁ ଅଗ୍ରାହ୍ୟ କରୁଛୁ ବୋଲି କହିଛନ୍ତି କିଙ୍ଗଡମ୍ ମୁଖ୍ୟ

ଭୁବନେଶ୍ୱର: ବିଶ୍ୱର ପ୍ରଥମ ଧନୀ ତଥା ଟେସଲା ମୁଖ୍ୟ ଇଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଟ୍ୱିଟର’ କିଣିବା ପାଇଁ ପ୍ରସ୍ତାବ ଦେବା ପରେ ପରେ କମ୍ପାନୀର ଏକ ବଡ଼ ନିବେଶକ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସାଉଦି ଆରବ ପ୍ରିନ୍ସ ଅଲୱଲିଦ ବିନ୍ ତଲାଲ ଗୁରୁବାର ଟ୍ୱିଟ୍ କରି ଅଗ୍ରାହ୍ୟ ଜତାଇଛନ୍ତି । ଅଲୱଲିଦ କହିଛନ୍ତି ଯେ, ଇଲନ ମସ୍କ ଦେଇଥିବା ପ୍ରସ୍ତାବ ଠିକ୍ ଲାଗୁନି । ଇଲନଙ୍କ ପ୍ରସ୍ତାବିତ ମୂଲ୍ୟ ଟ୍ୱିଟର ପ୍ରକୃତ ମୂଲ୍ୟର ସମକକ୍ଷ ନୁହେଁ ।

ସେ କହିଛନ୍ତି ଯେ, ଟ୍ୱିଟରର ଏକ ବଡ଼ ଏବଂ ଦୀର୍ଘସ୍ଥାୟୀ ଅଂଶୀଦାର ଭାବେ ‘କିଙ୍ଗଡମ ହୋଲ୍ଡିଂ କମ୍ପାନୀ’ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଛି । ସେପଟେ ଏହି ଟ୍ୱିଟ୍ ର ପ୍ରତିକ୍ରିୟା ରଖିଛନ୍ତି ପ୍ରସ୍ତାବକାରୀ ଇଲନ ମସ୍କ । ପ୍ରତିକ୍ରିୟାରେ ଦୁଇଟି ପ୍ରଶ୍ନ କରିଛନ୍ତି ।

ଇଲନ ପଚାରିଛନ୍ତି, “କିଙ୍ଗଡମ୍ ଟ୍ୱିଟରର କେତେ ପ୍ରତିଶତ ଅଂଶୀଦାର ଏବଂ ଏହାର ମୂଲ୍ୟ କେତେ?” ଅନ୍ୟ ପ୍ରଶ୍ନଟି ହେଉଛି, “ସାମ୍ବାଦିକଙ୍କ ବାକ୍ ସ୍ୱାଧୀନତା ଉପରେ କିଙ୍ଗଡମ୍ ର ମତାମତ କଣ? ”
ଗୁରୁବାର ଇଲନ ମସ୍କ ଟ୍ୱିଟରର ପ୍ରତି ଅଂଶଧନ ପିଛା ୫୪.୨୦ ଆମେରିକୀୟ ଡଲାର ମୂଲ୍ୟରେ ୪୦ ବିଲିଅନ ଡଲାରରେ କମ୍ପାନୀକୁ କିଣିବା ପ୍ରସ୍ତାବ ଦେଇଥିଲେ । ତେବେ ଟ୍ୱିଟର ଏହି ପ୍ରସ୍ତାବକୁ ବିଶ୍ଲେଷଣ କରିବ ବୋଲି କହିଥିଲା ।

Leave A Reply

Your email address will not be published.