ମୁମ୍ବାଇ: ଡ଼୍ୟାନ୍ସ ରିଆଲିଟି ଶୋ ଇଣ୍ଡିଆଜ୍ ବେଷ୍ଟ ଡ଼୍ୟାନ୍ସର ସିଜନ ୨ର ଗ୍ରାଣ୍ଡ ଫାଇନାଲ ଏପିସୋଡ଼ ଧମାକାଦାର ହୋଇଥିଲା । ମହାରାଷ୍ଟ୍ରର ସୌମ୍ୟା କାମ୍ବଲେ ଟ୍ରଫି ଜିତି ସିଜନ-୨ର ବିଜେତା ହୋଇଛନ୍ତି । ସୌମ୍ୟାଙ୍କୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ତରଫରୁ ୧୫ଲକ୍ଷ ଟଙ୍କାର ଚେକ ଏବଂ କାର ସହ ଅନ୍ୟାନ୍ୟ ଉପହାର ସହ ଟ୍ରଫି ପ୍ରଦାନ କରାଯାଇଛି । ବେଷ୍ଟ ଫାଇନାଲିଷ୍ଟ ମଧ୍ୟରେ ଜୟପୁରର ଗୌରବ ସରବନ ପ୍ରଥମ ରନର୍ସ ଅପ୍ ଏବଂ ଓଡ଼ିଶାର ରୋଜା ରାଣା ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି । ରକ୍ତିମ୍ ଚତୁର୍ଥ ନମ୍ବରରେ ଏବଂ ଜମ୍ରୁଦ ପଞ୍ଚମ ସ୍ଥାନରେ ରହିଥିଲେ ।
ଆଶା ଭୋସଲେ ସ୍ୱତନ୍ତ୍ର ଅତିଥିରୂପେ ଆସିଥିବାବେଳେ ସୌମ୍ୟାଙ୍କ ଡ଼୍ୟାନ୍ସରେ ଖୁସି ହୋଇ ତାଙ୍କୁ ‘ଛୋଟେ ହେଲେନ’ର ଟ୍ୟାଗ୍ ଦେଇଥିଲେ । ସୌମ୍ୟା ଅନେକଥର ଆଗରୁ କହିଥିଲେ ଯେ, ପିତାଙ୍କ ସ୍ୱପ୍ନ ହେଉଛି ତାଙ୍କୁ ଡ଼ାକ୍ତର ରୂପରେ ଦେଖିବା । ମା’ଙ୍କ ଇଚ୍ଛା ଥିଲା ସୌମ୍ୟା ଡ଼୍ୟାନ୍ସ କ୍ଷେତ୍ରରେ ନାମ ଅର୍ଜନ କରନ୍ତୁ । ଏହି ଶୋ ରେ ସେଲିବ୍ରିଟି ଗେଷ୍ଟଙ୍କଠାରୁ ସୌମ୍ୟାଙ୍କୁ ବହୁ ପ୍ରଶଂସା ମିଳିଛି ।
ଟ୍ରଫି ଜିତିବା ପରେ ସୌମ୍ୟା କହିଛନ୍ତି, ମୁଁ ଏହି ଖୁସିକୁ ଶବ୍ଦରେ ପ୍ରକାଶ କରିପାରିବିନି । ଯେଉଁମାନେ ମୋତେ ଭୋଟ ଦେଇଥିଲେ ଏବଂ ଏହି ଯାତ୍ରାରେ ମୋ ସାଥିରେ ଦେଇଥିଲେ । ସମସ୍ତଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞ । ମୁଁ ଇଣ୍ଡିଆଜ୍ ବେଷ୍ଟ ଡ଼୍ୟାନ୍ସର କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ଅନେକ କିଛି ଶିଖିଛି । ମୋତେ ଜଣାନାହିଁ, ଭବିଷ୍ୟତରେ କଣ ହେବ? କିନ୍ତୁ ନୃତ୍ୟ ମୋର ଭବିଷ୍ୟ ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇ ରହିବ । ଏହାସହ ବିଚାରକ ମଲାଇକା ମ୍ୟାଡ଼ମ୍, ଟେରେନ୍ସ ସାର ଓ ଗୀତା ମା’ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ବିନମ୍ର ଶବ୍ଦ ଏବଂ ପ୍ରେରଣା ସହ ଶୋ ରେ ଆମ ସମସ୍ତଙ୍କ ପାଇଁ ବଡ଼ ସାହାସ ହୋଇ ଠିଆ ହୋଇଛନ୍ତି ।
Comments are closed.