Latest Odisha News

BREAKING NEWS

ଇଲେକ୍ଟୋରାଲ ବଣ୍ଡ: ସବୁ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲା । ଭାରତୀୟ ନିର୍ବାଚନ କମିଶନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କଲା ଏସବିଆଇ । କିଏ କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଦେଇଛି ସେ ସମସ୍ତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ । ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ଜଣାଇଲା ଏସବିଆଇ । ସତ୍ୟପାଠରେ ମାର୍ଚ୍ଚ ୧୮ତାରିଖରେ ଦିଆଯାଇଥିବା ଆଦେଶକୁ ପାଳନ କରିଛି ବୋଲି ଉଲ୍ଲେଖ କରିଛି ଏସବିଆଇ । ସତ୍ୟପାଠରେ ଏହା ମଧ୍ୟ କୁହାଯାଇଛି ଯେ, ସବୁ ବଣ୍ଡର ନମ୍ବର ମଧ୍ୟ ସେହି ତଥ୍ୟରେ ରହିଛି ।

ସୂଚନାଯୋଗ୍ୟ ଯେ, ମାନ୍ୟବର ସୁପ୍ରିମକୋର୍ଟ ମାର୍ଚ୍ଚ ୧୮ ତାରିଖ ଦିନ ମାର୍ଚ୍ଚ ୨୧ ତାରିଖ ଅପରାହ୍ନ ୫ ଟା ସୁଦ୍ଧା ସମସ୍ତ ତଥ୍ୟ ନିର୍ବାଚନ ଆୟୋଗକୁ ଦେଇ ଏକ ସତ୍ୟପାଠ ଦାଖଲ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି ଆଦେଶର ପାଳନ କରିବା ସହ ଏସବିଆଇ ସମସ୍ତ ତଥ୍ୟ ଇସିଙ୍କୁ ଦେଇଛି । ଏହି ତଥ୍ୟରେ ବଣ୍ଡ କ୍ରେତାଙ୍କ ନାମ, ବଣ୍ଡ ନମ୍ବର ଏବଂ ପରିମାଣ, ବଣ୍ଡ କିଏ ଦେଇଛି, ରାଜନୈତିକ ଦଳର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ଟି ନମ୍ବର ରହିଛି । ପ୍ରାପ୍ତ ଡାଟାକୁ ଖୁବଶୀଘ୍ର ନିର୍ବାଚନ ଆୟୋଗ ନିଜ ଅଫିସିଆଲ ସାଇଟରେ ଅପଲୋଡ ମଧ୍ୟ କରିବେ ।

ଏସବିଆଇ ସୁପ୍ରିମକୋର୍ଟରେ ଦେଇଥିବା ସତ୍ୟପାଠରେ କହିଛି ଯେ, ରାଜନୈତିକ ଦଳର ସମ୍ପୂର୍ଣ୍ଣ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ KYC ସୂଚନା ସାର୍ବଜନୀନ କରାଯାଉ ନାହିଁ, କାରଣ ଏହା ଖାତାର ସୁରକ୍ଷା ଉପରେ ପ୍ରଭାବ ପକାଇପାରେ (ସାଇବର ସୁରକ୍ଷା)। ସେହିପରି ବଣ୍ଡ କ୍ରେତାଙ୍କ KYC ବିବରଣୀ ସୁରକ୍ଷା କାରଣରୁ ସାର୍ବଜନୀନ କରାଯାଉ ନାହିଁ। ବ୍ୟାଙ୍କର ଅଧ୍ୟକ୍ଷ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ବର୍ତ୍ତମାନ KYC ବିବରଣୀ ଏବଂ ସମ୍ପୂର୍ଣ୍ଣ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବ୍ୟତୀତ ନିର୍ବାଚନ ବଣ୍ଡ ବିଷୟରେ ତାଙ୍କ ପାଖରେ ଅନ୍ୟ କୌଣସି ସୂଚନା ନାହିଁ।

 

Comments are closed.