Latest Odisha News

BREAKING NEWS

ଓପିଏସସି ଏଏସଓ ନିଯୁକ୍ତି ପରୀକ୍ଷା ବିରୋଧରେ ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ, ଓଡ଼ିଶା ସରକାରଙ୍କୁ ନୋଟିସ୍

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ବାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ହୋଇଥିବା ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗୁରୁବାର ରାଜି ହୋଇଛନ୍ତି। ସୁପ୍ରିମକୋର୍ଟ ଓଡ଼ିଶା ସରକାର, ଓପିଏସସି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।

ରଜତ ମିଶ୍ରଙ୍କ ଦ୍ୱାରା ଦାୟର ଏହି ଆବେଦନରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା, ଯେଉଁଥିରେ ୨୦୨୨ ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ଦେଇଥିବା ୧,୪୮,୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୧୦୪ ଜଣ ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ଦକ୍ଷତା ପରୀକ୍ଷା ପାଇଁ ଚୟନ କରାଯାଇଥିବା ଓପିଏସସି ବିଜ୍ଞପ୍ତିକୁ ବଜାୟ ରଖାଯାଇଥିଲା। ଓଡ଼ିଶା ସଚିବାଳୟ ସେବାର ଗ୍ରୁପ୍ ବିରେ ୭୯୬ଟି ଏଏସ୍ଓ ପଦବୀ ପୂରଣ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ମେରିଟ୍ ଲିଷ୍ଟ ପ୍ରସ୍ତୁତି ପାଇଁ ବିଭିନ୍ନ ବିଷୟରେ କଟ୍ ଅଫ୍ ମାର୍କ ଲାଗୁ କରିବାକୁ ଓପିଏସସି ନେଇଥିବା ନିଷ୍ପତ୍ତି ବିରୋଧରେ ଶ୍ରୀ ମିଶ୍ର ଓ ଅନ୍ୟ ୪ ଜଣ ପ୍ରାର୍ଥୀ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମେରିଟ୍ ଲିଷ୍ଟ କେବଳ ମୋଟ ମାର୍କ ଉପରେ ଆଧାରିତ ହେବା ଉଚିତ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ। ଜଷ୍ଟିସ ଏକେ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୩ ମେ ୧୯ତାରିଖରେ ଓପିଏସ୍ସି ବିଜ୍ଞପ୍ତିକୁ ରଦ୍ଦ କରିବା ସହ ଦୁଇ ମାସ ମଧ୍ୟରେ ନୂଆ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସର୍ଟଲିଷ୍ଟରେ ଥିବା ଦୁଇ ପ୍ରାର୍ଥୀ କବିତା ଜେନା ଓ ସତ୍ୟବ୍ରତ ନାୟକ ଏବଂ ଓପିଏସସି ପକ୍ଷରୁ ପୃଥକ ରିଟ୍ ଆପିଲରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା।

ଓପିଏସସି ଏହାର ବିଜ୍ଞପ୍ତିକୁ ସମର୍ଥନ କରି କହିଥିଲା ଯେ ନିଯୁକ୍ତି ପରୀକ୍ଷାର ବିଜ୍ଞାପନ ଅନୁଯାୟୀ ବିଷୟଭିତ୍ତିକ ଯୋଗ୍ୟତା ମାର୍କ କିମ୍ବା ସମୁଦାୟ ଯୋଗ୍ୟତା ମାର୍କ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରିବାର ଅଧିକାର ରହିଛି।

ହାଇକୋର୍ଟ ଓପିଏସସିର ଯୁକ୍ତିକୁ ଗ୍ରହଣ କରି ୨୦୨୩ ଜୁଲାଇ ୩୧ରେ ରିଟ୍ ଆବେଦନ ଖାରଜ କରିବା ପରେ ନିଯୁକ୍ତି ପ୍ରକ୍ରିୟା ପୁଣି ଆରମ୍ଭ ହେବାର ବାଟ ଖୋଲିଥିଲା। ଏହାପରେ ରଜତ ମିଶ୍ର ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Leave A Reply

Your email address will not be published.