ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର ଶୀର୍ଷ ଅଧିକାରୀ ନିଯୁକ୍ତି ନେଇ ଗୁରୁବାର ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏଣିକି ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଏକ କମିଟି ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ। ଏହି କମିଟିର ପରାମର୍ଶ ପରେ ନିର୍ବାଚନ ଅଧିକାରୀ ନିଯୁକ୍ତି ଦିଆଯିବ ବୋଲି ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ।
ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। କେଏମ୍ ଜୋସେଫ୍ଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ ଅଧିକାରୀମାନଙ୍କୁ ଏହି ୩ ସଦସ୍ୟ ବିଶିଷ୍ଟ କମିଟିର ପରାମର୍ଶରେ ରାଷ୍ଟ୍ରପତି ନିଯୁକ୍ତି ଦେବେ। ଯେପର୍ଯ୍ୟନ୍ତ ନିର୍ବାଚନ କମିଶନ ନିଯୁକ୍ତି ନେଇ କୌଣସି ନିୟମ କରାଯାଇ ନାହିଁ ସେପର୍ଯ୍ୟନ୍ତ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟା ଏପରି ଚାଲିବ ବୋଲି ଖଣ୍ଡପୀଠ କହିଛନ୍ତି।
ତେବେ ଯଦି ବିରୋଧୀ ଦଳର ନେତା ନଥିବେ ସେହି ପରିସ୍ଥିତିରେ କେଉଁ ନିଷ୍ପତ୍ତି ନିଆଯିବ ସେ ନେଇ ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ବିରୋଧୀ ଦଳର ନେତା ନଥିଲେ ଗୃହରେ ଯେଉଁ ଦଳ ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିଥିବ ବା ଗୃହରେ ସବୁଠାରୁ ବଡ଼ ବିପକ୍ଷ ପାର୍ଟିର ନେତା କମିଟିର ସଦସ୍ୟ ହେବେ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।
ଗଣତନ୍ତ୍ରରେ ଭରସା ରହିବା ଉଚିତ
ନିର୍ବାଚନ କମିସନ ନିଯୁକ୍ତି ନେଇ ଆଜି ଶୁଣାଣି କରୁଥିବା ୫ ଜଣିଆ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ଜଷ୍ଟିସ୍ ଏସମ୍ ଜୋସେଫ୍ଙ୍କ ସମେତ ଜଷ୍ଟିସ ଅଜୟ ରସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋସ୍, ଋଷିକେଶ ରାୟ ଓ ସିଟି ରବିକୁମାର ରହିଥିଲେ। ଗଣତନ୍ତ୍ରରେ ଲୋକଙ୍କ ବିଶ୍ୱାସକୁ ଗୁରୁତ୍ୱ ଦେଇଥିଲେ ଖଣ୍ଡପୀଠ କହିଛନ୍ତି ଗଣତନ୍ତ୍ରରରେ ଲୋକଙ୍କର ଭରସା ରହିବା ନିହାତି ଦରକାର। ଏହି ଭରସା ସେତେବେଳେ ହେଇପାରିବ ଯେତେବେଳେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟ ଶୈଳୀ ଲୋକଙ୍କୁ ବିଶ୍ୱସନୀୟ ଲାଗିବ। ତେଣୁ ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।
ତେବେ କେନ୍ଦ୍ର ସରକାର ନିର୍ବାଚନ ଅଧିକାରୀ ନିଯୁକ୍ତ ଦେଇଥିବା ପ୍ରକ୍ରିୟାକୁ ଭୁଲ୍ ବୋଲି ଦର୍ଶାଇଲେ କୋର୍ଟ। ଖଣ୍ଡପୀଠ କହିଥିଲେ ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ପଦରେ ଏମିତି ବ୍ୟକ୍ତି ବସିବା ଦରକାର ଯିଏ ଆବଶ୍ୟକ ପଡ଼ିଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ବି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସଂକୋଚ କରିବେ ନାହିଁ।
ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ହୋଇଥିଲା ୪ ଆବେଦନ
ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ୪ଟି ଆବେଦନ କରାଯାଇଥିଲା। ଅନୁପ ବରନୱାଲ, ଅଶ୍ୱିନୀ ଉପାଧ୍ୟାୟ, ଏସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ୍ସ ଓ ଜୟା ଠାକୁରଙ୍କ ପକ୍ଷରୁ ଏହିସବୁ ଆବେଦନ କରାଯାଇଥିଲା। ଏହି ଆବେଦନରେ ଏକାଧିକ ଦିଗକୁ ନେଇ ଦାବି କରାଯାଇଥିଲା। ନିର୍ବାଚନ ଅୟୋଗ ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତା, ନିର୍ବାଚନ ଆୟୋଗଙ୍କୁ ଆର୍ଥିକ ସ୍ୱାୟତତା ମିଳିବା ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପଦରୁ ହଟାଇବା ପାଇଁ ଯେଉଁ ପ୍ରକ୍ରିୟା ରହିଛି ତାହା ନିର୍ବାଚନ ଆୟୋଗମାନଙ୍କ ଉପରେ ବି ଲାଗୁ ହେବା ଦରକାର ବୋଲି ଆବେଦନରେ ଦାବି କରାଯାଇଥିଲା। ଏହି ମାମଲାରେ ଶୁଣାଣି କରି ଖଣ୍ଡପୀଠ ନଭେମ୍ବର ୨୪ ତାରିଖରେ ନିଜର ରାୟ ସୁରକ୍ଷିତ ରଖିଥିଲେ।
ନିର୍ବାଚନ ଆୟୋଗଙ୍କୁ ଆର୍ଥିକ ସ୍ୱାଧୀନତା ଦେବାକୁ ଠିକ୍ ବୋଲି କହିଲେ କୋର୍ଟ
ଏହି ଆବେଦନର ଶୁଣାଣି କରି ଖଣ୍ଡପୀଠର ବିଚାରପତି ଜଷ୍ଟିସ୍ ଅଜୟ ରସ୍ତୋଗୀ ନିର୍ବାଚନ ଆୟୋଗକଙ୍କୁ ସଂରକ୍ଷଣ ମିଳିବା ନେଇ ନିଜ ରାୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନଙ୍କୁ ପଦରୁ ହଟାଇବା ପାଇଁ ଯେଉଁ ପ୍ରକ୍ରିୟା ଅବଲମ୍ବନ କରାଯାଉଛି ଭବିଷ୍ୟତରେ ନିର୍ବାଚନ ମକିଶନଙ୍କୁ ହଟାଇବାକୁ ସମାନ ପ୍ରକ୍ରିୟା ଅବମ୍ବନ କରାଯାଉ। କେବଳ ମୁଖ୍ୟ ଅଧିକାର ନୁହଁନ୍ତି ଅନ୍ୟ ନିର୍ବାଚନ କମିଶନଙ୍କୁ ବି ସାମ୍ବିଧାନିକ ସଂରକ୍ଷଣ ମିଳିବା ଦରକାର ବୋଲି ଜଷ୍ଟିସ ରସ୍ତୋଗୀ କହିଛନ୍ତି।
ସୂଚନା ଥାଉକି ବର୍ତ୍ତମାନ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ଭଳି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବି ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆଣି ପଦରୁ ହଟାଇ ଦେବାର ନିୟମ ରହିଛି। କିନ୍ତୁ ନିର୍ବାଚନ କମିଶନଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ ସୁପାରିଶ୍ରେ ପଦରୁ ହଟାଇବାର ନିୟମ ରହିଛି। ଶୁଣାଣି ବେଳେ ନିର୍ବାଚନ ଆୟୋଗଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଓ ନିର୍ବାଚନ ଆୟୋଗ ପାଇଁ ଅଲଗା ଏକ ସଚିବାଳୟ ବନାଇବା ଦାବିକୁ ମଧ୍ୟ ଠିକ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ଏନେଇ ଖଣ୍ଡପୀଠ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ କାମ କ୍ଷମତାଶୀନ ଦଳର ଭରସାରେ ରହିପାରିବ ନାହିଁ। ଏଥିପାଇଁ ତାଙ୍କୁ କନସୋଲିଡେଟେଡ୍ ଫଣ୍ଡ(କର ଆଦି ବିଭିନ୍ନ ଦିଗରେ ସରକାର ଆଦାୟ କରୁଥିବା ରାଜସ୍ୱ)ରୁ ଅର୍ଥ ରାଶି ଆବଣ୍ଟିତ ହେବା ଦରକାର। ଫଳରେ ନିର୍ବାଚନ ଆୟୋଗକ ସ୍ୱାଧୀନ ଭାବରେ ନିଜ କାମ କରିପାରିବ। ତେବେ ନିର୍ବାଚନ କମିଶନଙ୍କ ପାଇଁ ଅଳଗା ସଚିବାଳୟ ଦାବି ନେଇ କୌଣସି ସ୍ପଷ୍ଟ ରାୟ ଦେଇ ନଥିଲେ ବି ସରକାରଙ୍କୁ ନିର୍ବାଚନ କମିଶନ ନିଯୁକ୍ତି ନେଇ ତୁରନ୍ତ ନିୟମ ଆଣିବାକୁ ନିବେଦନ କରିଥିଲେ।
Comments are closed.