Latest Odisha News

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଖାରଜ ହେଲା ଦୋଷୀ ପୱନର ପିଟିସନ

ନୂଆଦିଲ୍ଳୀ: ବିଫଳ ହେଲା ନିର୍ଭୟା ଦୋଷୀ ପୱନର ଶେଷ ଚେଷ୍ଟା । ସୋମବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପୱନ ଗୁପ୍ତାର ସ୍ପେଶାଲ ଲିଭ ପିଟିସନକୁ ଖାରଜ କରିଦେଇଛନ୍ତି ।

୨୦୧୨ ଗୁଣଦୁଷ୍କର୍ମ ଘଟଣା ବେଳେ ସେ ନାବାଳକ ଥିଲା ବୋଲି ପୱନର ଓକିଲ କୋର୍ଟରେ ଆବେଦନ କରିଥିଲେ । ତେବେ ଏହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଦଲିଲ ଓ ଆବେଦନରେ କୌଣସି ନୂଆ କଥା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ନିଷ୍ପତି ପରେ ୪ ଦୋଷୀଙ୍କୁ ଫେବୃଆରୀ ୧ ସକାଳ ୬ଟାରେ ଫାଶୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି ।

ଏହାପୂର୍ବରୁ ଦିଲ୍ଳୀ ହାଇକୋର୍ଟ ମଧ୍ୟ ଦୋଷୀ ପୱନ କୁମାର ଗୁପ୍ତାର ୨୦୧୨ ଘଟଣା ସମୟରେ ତାର ବୟସ ୧୮ ବର୍ଷରୁ କମ୍ ଥିବା ନେଇ ଆବେଦନ କରିଥିଲା । ତେବେ ତା’ର ଏହି ଆବେଦନକୁ ଦିଲ୍ଳୀ ହାଇକୋର୍ଟ ଖାରଜ କରିଦେଇଥିଲେ ଏବଂ ତାର ଓକିଲ ଏପି ସିଂହଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ମଧ୍ୟ ଲଗାଇଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଦିଲ୍ଳୀ ପଟିଆଲା ହାଉସକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଡେଥ୍ ୱାରେଂଟ ଜାରି କରିଥିଲେ । ଏହି ଆଧାରରେ ଦୋଷୀ ମୁକେଶ, ବିନୟ ଶର୍ମା, ଅକ୍ଷୟ ଠାକୁର ଓ ପୱନ ଗୁପ୍ତାକୁ ଆସନ୍ତା ଫେବୃଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ହେବ ।

Leave A Reply

Your email address will not be published.