Latest Odisha News

୧୯୯୯ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଭୁବନେଶ୍ବର: ବହୁ ଚର୍ଚ୍ଚିତ ୧୯୯୯ର ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂଙ୍କ ଜାମିନ ନେଇ ଓଡିଶା ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ସମୟ ପୂର୍ବରୁ ରବିନ୍ଦ୍ର ପାଲ ଓରଫ ଦାରା ସିଂଙ୍କ ଜମାନତ ନେଇ ନୋଟିସରେ ରାଜ୍ୟ ସରକାରଙ୍କ ମତାମତ ମାଗିଛନ୍ତି କୋର୍ଟ । ୧୯୯୯ ମସିହାରେ କେନ୍ଦୁଝରରେ ଜଣେ ଅଷ୍ଟ୍ରେଲୀୟ ମିସନାରି ଗ୍ରାହମ ଷ୍ଟେନ୍‌ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରି ଗିରଫ ହୋଇଥିଲେ ଦାରା ।

ଏନେଇ ବହୁଦିନ ଜେଲରେ ରହିବା ପରେ ଜାମିନ୍ ପାଇଁ ସୁପ୍ରିମକୋର୍ଟରେ ଏକ ଦୟାପୂର୍ବକ ପିଟିସନ ଜାରି କରିଛନ୍ତି ଖୋଦ୍ ଦାରା । ଏହା ସହିତ ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଦୟା ପୂର୍ବକ ଜାମିନ ଦେବା ପାଇଁ ଆବେଦନ କରିଛନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଏହା ଉପରେ ମତାମତ ମାଗି ନୋଟିସ୍ ଜାରି କରିଛନ୍ତି । ଏହାସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଏଥିସହିତ ଦାରାଙ୍କ ସମେତ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମ ମଧ୍ୟ ଦୟା ପୂର୍ବକ ଜାମିନ ପାଇଁ ଆବେଦନ କରିଛନ୍ତି । ଏହା ନେଇ ରାଷ୍ଟ୍ରପତି ମୁର୍ମୁଙ୍କ ପାଖରେ ଆବେଦନ କରିଛନ୍ତି ତେଲେଙ୍ଗାନାର ବିଜେପି ବିଧାୟକ ଟି ରାଜା ସିଂ ।

ତେବେ କହିରଖୁଛୁ, ୧୯୯୯ ମସିହା ଜାନୁଆରି ୨୧ ତାରିଖରେ ଦାରା ସିଂହ ଓ ତାଙ୍କର କିଛି ସମର୍ଥକ କେନ୍ଦୁଝର ଜିଲ୍ଲାର ମନୋହରପୁରଠାରେ ଅଷ୍ଟ୍ରେଲୀୟ ମିସନାରି ଗ୍ରାହମ ଷ୍ଟେନ୍‌ସ ଓ ତାଙ୍କର ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ସମୟରେ ଜିଅନ୍ତା ପୋଡ଼ି ହତ୍ୟା କରିଥିଲେ। ଏହି ଘଟଣାରେ ଦାରା ସିଂ ଓ ତାଙ୍କ ସାଥିକୁ ଗିରଫ କରିଥିଲେ ତତ୍କାଳୀନ କେନ୍ଦୁଝର ଏସପି ତଥା ଓଡିଶାର ନୂଆ ଡିଜିପି ଓ୍ବାଇ ବି ଖୁରାନିଆ ।  ଏହାପରେ ୨୦୦୦ରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ପରେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ।

କିନ୍ତୁ ବହୁଦିନ ଜେଲରେ ରହିବା ପରେ ଏହାକୁ ନେଇ ଦାରା ସିଂ ଆବେଦନ କରିବା ପରେ ଏନେଇ ପ୍ରାଥମିକ ଶୁଣାଣି କରି କୋର୍ଟ କହିଛନ୍ତି, ଆଜୀବନ କାରାଦଣ୍ଡର ସମୟ ଅବଧି ୧୪ ବର୍ଷ । କିନ୍ତୁ ଦାରା ୨୪ ବର୍ଷ ଜେଲରେ କଟାଇ ସାରିଥିବାରୁ ଅବଧି ଠାରୁ ଢେର୍ ଅଧିକ ସମୟ ରହିଲେଣି । ଯାହାକୁ ନେଇ ଓଡିଶା ସରକାରଙ୍କ ମତାମତ ଲୋଡିଛନ୍ତି କୋର୍ଟ । ସେପଟେ ସେତେବେଳର ଏସପି ଏବେକାର ଓଡିଶାର ଡିଜିପି ଭାବେ ଦାୟିତ୍ବ ନେଇଥିବାରୁ ଏହି ମାମଲାରେ ରାଜ୍ୟ ସରକାର କ’ଣ ମତ ରଖିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.