Latest Odisha News

BREAKING NEWS

ଅମ୍ବାନୀ ପରିବାରକୁ Z+ ସୁରକ୍ଷା; ଏଭଳି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ପ୍ରଦାନ କରାଯାଉଥିବା ଜେଡ୍ ପ୍ଲସ୍ ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଦାୟର କରାଯାଇଥିବା ପିଆଇଏଲ୍ କୁ  ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ବମ୍ବେ ହାଇକୋର୍ଟ କିଛି ଦିନ ତଳେ ଏକ ନିଷ୍ପତ୍ତି ଶୁଣାଇଥିଲେ ଯେଉଁଥିରେ କୋର୍ଟ କହିଥିଲେ ଯେ  ନିଜ ପ୍ରତି ଥିବା  ବିପଦକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ଯଦି ଜଣେ ବ୍ୟକ୍ତି  ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ ଇଚ୍ଛୁକ ତେବେ ସେହି ବ୍ୟକ୍ତିଙ୍କୁ ଜେଡ୍ ପ୍ଲସ୍  ସୁରକ୍ଷା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। କୋର୍ଟ ଙ୍କର ଏହି ନିଷ୍ପତ୍ତିକୁ ଜଣେ ବ୍ୟକ୍ତି ଚ୍ୟାଲେଞ୍ଜ କରିଥିଲେ। ଯାହାକୁ ବର୍ତ୍ତମାନ୍ କୋର୍ଟ ଖାରଜ କରିଛନ୍ତି ଓ କହିଛନ୍ତି ଯେ ଅମ୍ବାନୀ ନିଜ ପରିବାର ସୁରକ୍ଷାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି ତେଣୁ ମୁମ୍ବାଇ ପୋଲିସ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇବା ବାଧ୍ୟତାମୂଳକ ଅଟେ।

ଗତ ୨୦୧୩ ମସିହାରେ ମନମୋହନ ସିଂହଙ୍କ ସରକାର ସମୟରେ ମୁକେଶ ଅମ୍ବାନୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା। ଯାହାକୁ ନେଇ ସୁପ୍ରିମକୋର୍ଟ ମନମୋହନ ସରକାରଙ୍କଠାରୁ ଉତ୍ତର ମାଗିଥିଲେ ଓ କହିଥିଲେ ଯେ ଅମ୍ବାନୀଙ୍କୁ କାହିଁକି ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା?

ତେବେ ସୂଚନାଯୋଗ୍ୟ ଯେ ମୁକେଶ ଅମ୍ବାନୀ Z+ ସୁରକ୍ଷା ଉପଭୋଗ କରନ୍ତି ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସି ଆର ପି ଏଫ) ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିଥାଏ। Z+ ସୁରକ୍ଷା ଏକ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ଯେଉଁଥିରେ ମୋଟ ୩୬ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥାନ୍ତି। ଏଥିରେ ୧୦ ଜଣ ଏନ୍ ଏସ୍ ଜି କମାଣ୍ଡୋ ମଧ୍ୟ ଅନ୍ତର୍ଭୁକ୍ତ ରହିଥାନ୍ତି। ସେମାନେ ପ୍ରଥମ ସର୍କଲର ଦାୟିତ୍ୱରେ ଥିବା ବେଳେ ଦ୍ୱିତୀୟ ସର୍କଲର ଦାୟିତ୍ୱ ଏସ ପି ଜି ହାତରେ ରହିଥାଏ। ଶେଷରେ ତୃତୀୟ ସ୍ତରରେ, ଆଇ ଟି ବି ପି ଏବଂ ସି  ଆର ପି ଏଫ କର୍ମଚାରୀମାନେ ସୁରକ୍ଷାର ଯତ୍ନ ନେଇଥାନ୍ତି।

 

Comments are closed.