Latest Odisha News

BREAKING NEWS

ଜିମ୍ କର୍ବେଟ ଜାତୀୟ ଉଦ୍ୟାନର ମୁଖ୍ୟ ଅଞ୍ଚଳରେ ବାଘ ସଫାରି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଜିମ୍ କର୍ବେଟ ନ୍ୟାସନାଲ ପାର୍କର ବାଘ ସଫାରି ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ । ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ ବେଆଇନ ନିର୍ମାଣ ଏବଂ ବଫର୍ ଅଞ୍ଚଳରେ ବାଘ ସଫାରି ସ୍ଥାପନା ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଏହି ମାମଲା ଉପରେ ଜଷ୍ଟିସ୍ ବି.ଆର୍ ଗାଭାଇଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲା ଉପରେ ବିଚାର କରିଛନ୍ତି । ବର୍ତ୍ତମାନ ଜିମ୍ କର୍ବେଟ୍ ନ୍ୟାସନାଲ ପାର୍କର ମୁଖ୍ୟ ଅଞ୍ଚଳ ପରିବର୍ତ୍ତେ ପେରିଫେରାଲ୍ ଏବଂ ବଫର୍ ଜୋନ୍ ରେ ସଫାରି ନିର୍ମାଣ ହେବ ।

ବଫର ଜୋନରେ ବାଘ ସଫାରି ନିର୍ମାଣ ପାଇଁ କୋର୍ଟ କିଛି ସର୍ତ୍ତ ରଖି ଅନୁମତି ଦେଇଛନ୍ତି । ଏହି ମାମଲାର ତଦନ୍ତ କରୁଥିବା ସିବିଆଇକୁ ତିନି ମାସ ମଧ୍ୟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି ।

କର୍ବେଟ ଟାଇଗର ରିଜର୍ଭରେ ବେଆଇନ ନିର୍ମାଣ ଏବଂ ଗଛ କାଟିବାକୁ ଅନୁମତି ଦେଇଥିବାରୁ କୋର୍ଟ ଉତ୍ତରାଖଣ୍ଡର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ହରକ ସିଂ ରାୱତ ଏବଂ ତତ୍କାଳୀନ ବିଭାଗୀୟ ବନ ଅଧିକାରୀ କିଶନ ଚାନ୍ଦଙ୍କ ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଜନସାଧାରଣଙ୍କ ବିଶ୍ୱାସ ନୀତିକୁ ଅଳିଆଗଦାରେ ଫିଙ୍ଗି ଦିଆଯାଇଛି ।

ଏହା ବ୍ୟତୀତ କୋର୍ଟ କହିଛନ୍ତି ଯେ ‘ବାଘ ବିନା ଜଙ୍ଗଲ ନଷ୍ଟ ହୋଇଯାଉଛି, ତେଣୁ ସମସ୍ତ ବାଘକୁ ସୁରକ୍ଷା ଦିଆଯିବା ଉଚିତ୍ ।’ ତେଣୁ ନିର୍ଦ୍ଦେଶର ଅନୁପାଳନ କରି ପେରିଫେରାଲ୍ ଏବଂ ବଫର୍ ଜୋନରେ ସଫାରି ନିର୍ମାଣ କରାଯାଉ ।

Leave A Reply

Your email address will not be published.