ନୂଆଦିଲ୍ଲୀ:ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ହିମାଚଳପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ ହିମାଚଳ ପ୍ରଦେଶରେ ଚାଲୁଥିବା ନିର୍ମାଣ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶ କ୍ଷତିଗ୍ରସ୍ତ ହେଉଛି। ଯଦି ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ଏହି ରାଜ୍ୟ ଦେଶର ମାନଚିତ୍ରରୁ ଲୋପ ପାଇପାରେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।
ଏକ କଠୋର ମନ୍ତବ୍ୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ପରିବେଶର ମୂଲ୍ୟ ଦେଇ ରାଜସ୍ୱ ହାସଲ କରାଯାଇପାରିବ ନାହିଁ। ଏହି ମାମଲାରେ, ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶ ସରକାରଙ୍କୁ ଏକ ନୋଟିସ ପଠାଇଛନ୍ତି ଏବଂ ପରିବେଶଗତ ପରିସ୍ଥିତିର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ମାଗିଛନ୍ତି।
ସୁପ୍ରିମକୋର୍ଟ ହିମାଚଳ ସରକାରଙ୍କୁ ଏହି ମାମଲାରେ ୪ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଛନ୍ତି। ବିଚାରପତି ଜେବି ପାରଦିୱାଲା ଏବଂ ବିଚାରପତି ଆର ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଆଜି ଆମେ କେବଳ ଏତିକି କହିବାକୁ ଚାହୁଁଛୁ ଯେ ଏବେ ସମୟ ଆସିଯାଇଛି ହିମାଚଳପ୍ରଦେଶ ସରକାର ଆମର ମନ୍ତବ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଯଥାଶୀଘ୍ର ସଠିକ୍ ଦିଗରେ ଆବଶ୍ୟକୀୟ କାର୍ଯ୍ୟ ଆରମ୍ଭ କରନ୍ତୁ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ହିମାଚଳ ପ୍ରଦେଶ ଉପରେ ସ୍ପଷ୍ଟ ଏବଂ ଚିନ୍ତାଜନକ ପ୍ରଭାବ ପକାଉଛି। ଆମେ ଚାହୁଁଛୁ ଯେ ରାଜ୍ୟ ଏବଂ କେନ୍ଦ୍ର ସରକାର ବୁଝନ୍ତୁ ଯେ ରାଜସ୍ୱ ଅର୍ଜନ ହିଁ ସବୁକିଛି ନୁହେଁ। ଯଦି ଏମିତି ପରିସ୍ଥିତି ଜାରି ରହେ, ତେବେ ସେହି ଦିନ ଦୂର ନୁହେଁ ଯେତେବେଳେ ସମଗ୍ର ରାଜ୍ୟ ମାନଚିତ୍ରରୁ ଉଭାନ ହୋଇଯିବ। ଭଗବାନ ଏପରି କେବେ ନକରନ୍ତୁ ।
କୋର୍ଟ କହିଛନ୍ତି ଯେ, ରାଜ୍ୟର ପରିସ୍ଥିତି ଆହୁରି ଖରାପ ହେଉଛି। ଗତ କିଛି ବର୍ଷ ମଧ୍ୟରେ ଗୁରୁତର ପରିବେଶଗତ ଅସନ୍ତୁଳନ ଯୋଗୁଁ ଗୁରୁତର ବିପର୍ଯ୍ୟୟ ଘଟିଛି। ଏହି ବିପର୍ଯ୍ୟୟ ପାଇଁ କେବଳ ପ୍ରକୃତିକୁ ଦାୟୀ କରିବା ଠିକ୍ ନୁହେଁ। ପାହାଡ଼ ଏବଂ ମାଟିର ନିରନ୍ତର ଖସିବା, ଭୂସ୍ଖଳନ ଭଳି ଘଟଣା ପାଇଁ ମଣିଷ ଦାୟୀ।
ରାଜ୍ୟରେ ପରିବେଶଗତ ଅସନ୍ତୁଳନ ଯେପରି ଖରାପ ନହୁଏ ଏବଂ ପ୍ରାକୃତିକ ବିପର୍ଯ୍ୟୟ ନ ଘଟେ ତାହା ନିଶ୍ଚିତ କରିବା ମଧ୍ୟ କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ନିଶ୍ଚିତ ଭାବରେ, ବହୁତ କ୍ଷତି ହୋଇଛି କିନ୍ତୁ କଥାରେ ଅଛି ଯେ କିଛି ନ ରହିବା ଅପେକ୍ଷା କିଛି ରହିବା ଭଲ । ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ରାଜ୍ୟ ସରକାରଙ୍କ କିଛି ଅଞ୍ଚଳକୁ ‘ସବୁଜ ଅଞ୍ଚଳ’ ଭାବରେ ଘୋଷଣା କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ମେସର୍ସ ପ୍ରେଟିନ୍ ହୋଟେଲ୍ସ ଆଣ୍ଡ୍ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଦାୟର ଆବେଦନ ଉପରେ ରାୟ ଶୁଣାଇବା ସମୟରେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ ରାୟ ହିମାଚଳ ସରକାରଙ୍କ ତାରା ମାତା ପାହାଡ଼ ଉପରେ ଏକ ହୋଟେଲ ନିର୍ମାଣ ଅଧିକାରକୁ ପ୍ରତ୍ୟାଖ୍ୟାନ କରିଥିବା ବିଜ୍ଞପ୍ତିକୁ ସମର୍ଥନ କରିଥିଲା, ଯାହାକୁ “ଗ୍ରୀନ ଜୋନ୍” ଭାବରେ ଘୋଷଣା କରାଯାଇଥିଲା, ଯାହା ଫଳରେ ସେହି ସ୍ଥାନରେ ସମସ୍ତ ବ୍ୟକ୍ତିଗତ ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
Comments are closed.