ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାର ରାୟ ପରେ ଗୁରୁବାର ଆଉ ୨ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବାକୁ ଯାଉଛନ୍ତି ସୁପ୍ରିମକୋର୍ଟ।
ସାବରୀମାଲା ଏବଂ ରାଫେଲ ପ୍ରସଙ୍ଗରେ ଦାଖଲ ହୋଇଥିବା ଯାଚିକା ଉପରେ ଗୁରୁବାର ଦିନ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇବେ ବୋଲି ସୂଚନା ମିଳିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ଦିନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକ କାଳୀନ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ । ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରେ ପୁନର୍ବିଚାର ପାଇଁ ଆବେଦନ ଦାଖଲ କରାଯାଇଛି ।
ଆସନ୍ତା ନଭେମ୍ବର ୧୭ ତାରିଖରେ ଜଷ୍ଟିସ ଗୋଗୋଇ ଅବସର ନେବାକୁ ଯାଉଛନ୍ତି । ଏହା ପୂର୍ବରୁ ପଡି ରହିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ଯଥା ସମ୍ଭବ ନିଷ୍ପତି ଶୁଣାଇବାର କାମ କରୁଛନ୍ତି ।
ସବରୀମାଲା ବିବାଦ:
ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ସବୁ ବୟସର ମହିଳାଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଏହି ନିଷ୍ପତିକୁ ଅନେକ ଧାର୍ମିକ ସଂଗଠନ ବିରୋଧ କରିଥିଲେ ଏବଂ ଏହାକୁ ପରମ୍ପରା ଉଲ୍ଲଂଘନବୋଲି ଦର୍ଶାଇଥିଲେ । ସୁପ୍ରିମକୋର୍ଟରେ ମାମଲାର ପୁନର୍ବିଚାର କରିବା ପାଇଁ ସମୁଦାୟ ୧୯ଟି ରିଭ୍ୟୁ ପିଟିସନ ଦାଖଲ ହୋଇଛି, ଯାହା ଉପରେ ଗୁରୁବାର ଦିନ ଚୂଡାନ୍ତ ରାୟ ଆସିବ ।
ରାଫେଲ ବିବାଦ:
ସୁପ୍ରିମକୋର୍ଟ ପୂର୍ବରୁ ରାଫେଲ କିଣାର ତଦନ୍ତ ଏସଆଇଟି ଦ୍ୱାରା କରିବା ଦାବିକୁ ଖାରଜ କରିଥିଲେ । ଏହାପରେ ସର୍ବୋଚ୍ଚ ଅଦାଲତ କିଛି ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ରିଭ୍ୟୁ ପିଟିସନକୁ ସ୍ୱିକାର କରିଥିଲେ । ଗୁରୁବାର ଦିନ ସୁପ୍ରିମକୋର୍ଟ ଏହି ମାମଲାରେ ମଧ୍ୟ ନିଜର ଚୂଡାନ୍ତ ରାୟ ଶୁଣାଇବେ ବୋଲି ସୂଚନା ମିଳିଛି ।
ଏହାସହ ଗୁରୁବାର ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କ ନାଁରେ ରୁଜୁ ମାନହାନୀ ମାମଲାର ମଧ୍ୟ ଶୁଣାଣି କରିପାରନ୍ତି । ଏହି ଆବେଦନ ବିଜେପି ସାଂସଦ ମୀନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ଦାଏର କରିଥିଲେ। ରାହୁଲ ଗାନ୍ଧି କହିଥିଲେ ଯେ “ସୁପ୍ରିମକୋର୍ଟ କହିଛନ୍ତି ଚୌକିଦାର ଚୌର ହୈ”।
ତେବେ ସୁପ୍ରିମକୋର୍ଟ ଏଭଳି ଉକ୍ତି ଦେଇ ନଥିବା ବେଳେ ରାହୁଲ କାହିଁକି ଏମିତି କହିଲେ ବୋଲି ଅଭିଯୋଗ କରି ମୀନାକ୍ଷୀ ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧିଙ୍କ ନାଁରେ ମାନହାନୀ ମାମଲା ରୁଜୁ କରିଥିଲେ। ଆସନ୍ତାକାଲି ଏହାର ମଧ୍ୟ ଶୁଣାଣି ହୋଇପାରେ ବୋଲି ସୂଚନା ମିଳିଛି ।
Comments are closed.