ଭବାନୀପାଟଣା:ଶୁକ୍ରବାର କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତାକୁ ଧ୍ୟାନରେ ରଖି ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । କଳାହାଣ୍ଡି ଜିଲାର ସମସ୍ତ ସରକାରୀ,ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲାପାଳ ପାୱାର ସଚିନ ପ୍ରକାଶ ଘୋଷଣା କରିଛନ୍ତି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ରାଜ୍ୟରେ ବିଭିନ୍ନ ଜିଲାରେ ବର୍ଷା ଆରମ୍ଭ ହୋଇଯାଇଛି।
ଏପଟେ ଶିକ୍ଷକ ଓ କର୍ମଚାରୀ ସ୍ବାଭାବିକ ସ୍କୁଲ କାର୍ଯ୍ୟରେ ଯୋଗଦେଇ ବାକି ଥିବା କାମ ସମ୍ପୂର୍ଣ୍ଣ କରିପାରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
ସୂଚନାଥାଉକି, ଗୁରୁବାର କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜୁନାଗଡ଼ ସହର ଫତେନଗରପଡା ରାସ୍ତାରେ ଆଣ୍ଠୁଏ ପାଣି ଚାଲିବା ସହ ଘର ଭିତରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି।ସେହିପରି ଭବାନୀପାଟଣା ସହରର ବଜାରପଡା, ତାରେଣୀ ମନ୍ଦିରପଡା ନିକଟରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା।


Comments are closed.