Latest Odisha News

BREAKING NEWS

ବୈଜ୍ଞାନିକଙ୍କୁ ମିଳିଲା ୧୨ଲକ୍ଷ ବର୍ଷର ପୁରୁଣା ବରଫ, ଜଳବାୟୁ ପରିବର୍ତ୍ତନ ଅଧ୍ୟୟନରେ ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଟିମ୍ ବରଫ ଆବିଷ୍କାର କରିଛନ୍ତି ଯାହା ପ୍ରାୟ ୧୨ଲକ୍ଷ ବର୍ଷ ପୁରୁଣା ।  ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଟିମ୍ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ, ସେମାନେ ଆଣ୍ଟାର୍କଟିକା ପୃଷ୍ଠରୁ ପ୍ରାୟ ୨.୮ କିଲୋମିଟର ଗଭୀରତାରେ ଖୋଳିବା ଦ୍ୱାରା ଆବିଷ୍କୃତ ହୋଇଥିବା ସର୍ବ ପୁରାତନ ବରଫ ନମୁନା ମିଳିଛି । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ବରଫ ଅତି କମରେ ୧୨ ଲକ୍ଷ ବର୍ଷ ପୁରୁଣା । ହିମ ଯୁଗ ଚକ୍ରରେ କେଉଁ ପରିବର୍ତ୍ତନ ହୋଇଛି ଏବଂ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିବର୍ତ୍ତନ ଜଳବାୟୁକୁ କିପରି ପ୍ରଭାବିତ କରିଛି ତାହା ମଧ୍ୟ ଜାଣିହେବ ।

ଇଟାଲୀର ଆନ୍ତର୍ଜାତୀୟ ବୈଜ୍ଞାନିକମାନେ ଏହି ଐତିହାସିକ ଆବିଷ୍କାରରେ କଠିନ ପରିଶ୍ରମ କରିଛନ୍ତି, ‘ବିଉଣ୍ଡ୍ ଏପିକା’ ନାମକ ପ୍ରକଳ୍ପ ଅଧୀନରେ ଏହି କାର୍ଯ୍ୟ କରୁଛନ୍ତି । ଏହି ଅଭିଯାନ ୟୁରୋପୀୟ ସଂଘ ଏବଂ ଅନ୍ୟ ୟୁରୋପୀୟ ଦେଶମାନଙ୍କ ସହଯୋଗରେ କରାଯାଉଛି । ଇଟାଲୀ ଏହି ପ୍ରକଳ୍ପର ନେତୃତ୍ୱ ନେଉଛି ।

ଏହି ପୁରାତନ ବରଫ ଅଧ୍ୟୟନ କରି ବୈଜ୍ଞାନିକମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବେ । ଏହା ସହିତ ସେମାନେ ଗତ ୧୨ ଲକ୍ଷ ବର୍ଷରେ ପୃଥିବୀର ବାୟୁମଣ୍ଡଳ ଏବଂ ଜଳବାୟୁ କିପରି ବଦଳିଛି ତାହା ଜାଣିପାରିବେ । ଏହା ମାଧ୍ୟମରେ ହିମ ଯୁଗର ଚକ୍ରରେ ଆସିଥିବା ପରିବର୍ତ୍ତନ ଏବଂ ବାୟୁମଣ୍ଡଳରେ ଗ୍ରୀନ୍ ହାଉସ୍ ଗ୍ୟାସର ସ୍ତରର ପରିବର୍ତ୍ତନକୁ ମଧ୍ୟ ବୁଝି ହେବ । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଆବିଷ୍କାର ଦ୍ବାରା ପୃଥିବୀରେ ବଢୁଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନରେ କାର୍ବନ ଡାଇଅକ୍ସାଇଡ୍ ଏବଂ ମିଥେନ ପରି ଗ୍ରୀନ୍ ହାଉସ୍ ଗ୍ୟାସର ଭୂମିକା ବିଷୟରେ ଜାଣିହେବ ।

ବରଫର ଏହି ପ୍ରାଚୀନ ନମୁନା ଆବିଷ୍କାର କରିବାକୁ ବୈଜ୍ଞାନିକମାନେ ଭଲଭାବରେ ଅନୁଧ୍ୟାନ କରି ସ୍ଥାନଗୁଡିକ ଚୟନ କରିଥିଲେ । ବରଫର ଉପର ସ୍ତର ଉପରେ ମଡେଲିଂ ଆଧାର କରି ସମ୍ଭାବ୍ୟ ସ୍ଥାନଗୁଡିକ ଚିହ୍ନଟ କରାଯାଇଥିଲା, ତାପରେ ରାୟାପିଡ ଏକ୍ସସେସ ଆଇସୋଟୋପ୍ ଡ୍ରିଲ୍ ବ୍ୟବହାର କରି ଡ୍ରିଲିଂ ପ୍ରକ୍ରିୟା କରାଯାଇଥିଲା । ବରଫର ଗଭୀରତା ଏବଂ ବୟସକୁ ଏହି ଉପକରଣ ଦ୍ବାରା ସଠିକ୍ ଭାବରେ ଆକଳନ କରାଗଲା । ବ୍ରିଟିଶ ଆଣ୍ଟାର୍କଟିକ୍ ସର୍ଭେ (BAS)ର ରାଡାର ସାହାଯ୍ୟରେ ସ୍ଥାନୀୟ ବରଫର ଗତିବିଧିର ତଥ୍ୟ ସଂଗ୍ରହ କରାଯାଇଥିଲା, ଯାହାଦ୍ବାରା ବୈଜ୍ଞାନିକମାନଙ୍କୁ ସଠିକ୍ ସ୍ଥାନ ଖୋଜିବାରେ ସାହାଯ୍ୟ ମିଳିଲା ।

ଏହି ଗୁରୁତ୍ୱପୂର୍ଣ୍ଣ ଗବେଷଣାକୁ ଶେଷ କରିବାକୁ ଚାରି ବର୍ଷ ଲାଗିଲା । ଇଟାଲୀ ଏବଂ ଅନ୍ୟାନ୍ୟ ଦେଶର ଷୋହଳ ଜଣ ବୈଜ୍ଞାନିକ ଏବଂ ସହାୟକ କର୍ମଚାରୀ ଆଣ୍ଟାର୍କଟିକାର ପ୍ରବଳ ଶୀତରେ (ହାରାହାରି -୩୫ ଡିଗ୍ରୀ ସେଲସିୟସ୍) କାମ କରିଥିଲେ | ଏହାପୂର୍ବରୁ, ୨୦୨୦ରେ, ଏହି ଦଳ ୮୦୦,୦୦୦ବର୍ଷ ପୁରୁଣା ବରଫର ନମୁନା ବାହାର କରିଥିଲେ, ଯେଉଁଥିରୁ ଏହା ଜାଣିବାକୁ ମିଳିଲା ଯେ ପୂର୍ବରୁ ଗ୍ରୀଷ୍ମ ସମୟରେ ମଧ୍ୟ ଗ୍ରୀନ୍ ହାଉସ୍ ଗ୍ୟାସର ସ୍ତର ଆଜିଠାରୁ କମ୍ ଥିଲା। କିନ୍ତୁ ୨୦୨୩ରେ ଉର୍ଜା କ୍ଷେତ୍ରରୁ ନିର୍ଗତ ହେଉଥିବା ଗ୍ରୀନ୍ ହାଉସ୍ ଗ୍ୟାସ ବର୍ତ୍ତମାନ ଏକ ନୂତନ ରେକର୍ଡ ସୃଷ୍ଟି କରିଛି, ଯାହା ବୈଜ୍ଞାନିକମାନଙ୍କ ପାଇଁ ଏକ ଚିନ୍ତାଜନକ ସଙ୍କେତ ଅଟେ ।

ଏହି ପ୍ରୋଜେକ୍ଟ  ପୃଥିବୀର ପ୍ରାଚୀନ ଜଳବାୟୁ ଏବଂ ଗ୍ରୀନ୍ ହାଉସ୍ ଗ୍ୟାସ୍ ମଧ୍ୟରେ ସମ୍ପର୍କ ବିଷୟରେ ଗଭୀର ସୂଚନା ପ୍ରଦାନ କରିବ ।

 

Leave A Reply

Your email address will not be published.