Latest Odisha News

BREAKING NEWS

୧୦ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ, ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହୋଇଥିବା ବେଳେ ୧୦ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ପହଞ୍ଚିବା ଫଳରେ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ରରୁ ସନ୍ଧ୍ୟା ବୁଲେଟିନରେ ଭୁବନେଶ୍ବରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ଭୁବନେଶ୍ୱର ପରେ ପାରଳାଖେମୁଣ୍ଡିରେ ୪୨.୬, ତାଳଚେରରେ ୪୨.୪ ଏବଂ ମାଲକାନଗିରି ଓ ବୌଦ୍ଧରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୁଳରେ ୪୨.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା, ବଲାଙ୍ଗୀର, ଟିଟିଲାଗଡ଼ ଓ ନୟାଗଡ଼ରେ ୪୨ ଡିଗ୍ରୀ ରେକର୍ଡ କରାଯାଇଛି।

ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ଭୁବନେଶ୍ୱର ୩୯.୮ ଡିଗ୍ରୀରେ ପହଞ୍ଚି ସାରିଥିଲା। ୨୦୧୬ ଏପ୍ରିଲ ୧୧ ତାରିଖରେ ସହରର ରେକର୍ଡ ୪୫.୮ ଡିଗ୍ରୀ ସେଲସିୟସ ଥିବା ବେଳେ ପରବର୍ତ୍ତୀ ସର୍ବୋଚ୍ଚ ତାପମାତ୍ରା ସେହି ବର୍ଷ ଏପ୍ରିଲ ୨୮ରେ ୪୫.୧ ଡିଗ୍ରୀ ରହିଥିଲା।

ଆଇଏମଡି ଏହି ହିଟ୍ ଓ୍ବେଭକୁ ପ୍ରଚଳିତ ଉତ୍ତର-ପଶ୍ଚିମ/ପଶ୍ଚିମ ଶୁଷ୍କ ବାୟୁ ଏବଂ ଶକ୍ତିଶାଳୀ ସୌର ପ୍ରବାହକୁ ଦାୟୀ କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ଏବଂ କେତେକ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରି ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି।

ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ମାଲକାନଗିରି, ନୟାଗଡ଼, ବୌଦ୍ଧ ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ରାତି ଗରମ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.