Latest Odisha News

ନେମ୍ ପ୍ଲେଟ୍ ବିବାଦ: ଯୋଗୀ ସରକାରଙ୍କ ଆଦେଶରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: କାଉଡିଆ ଯାତ୍ରାକୁ ନେଇ ଯୋଗୀ ସରକାରଙ୍କର ନେମ୍ ପ୍ଲେଟ୍ ବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି । ଏନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଖାଲି ସେତିକି ନୁହେଁ, ଏହା ସହିତ କୋର୍ଟ କହିଛନ୍ତି, ଯଦି ପିଟିସନଦାତା ଅନ୍ୟ କୌଣସି ରାଜ୍ୟକୁ ଏଥିରେ ସାମିଲ କରିବାକୁ ଚାହୁଛନ୍ତି, ତାହାଲେ ସେ ସବୁ ରାଜ୍ୟକୁ ବି ନୋଟିସ୍ ଜାରି କରାଯିବ  ।

ସୋମବାର ସୁପ୍ରିମକୋର୍ଟ ନେମ୍ ପ୍ଲେଟ୍ ବିବାଦ ଉପରେ ଶୁଣାଣି କରି ଉତ୍ତରପ୍ରଦେଶ ସରକାର ଦେଇଥିବା ଆଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି । ଯେଉଁଥିରେ କାଉଡିଆ ଯାତ୍ରା କରୁଥିବା ରାସ୍ତା ଗୁଡିକରେ ସବୁ ଦୋକାନରେ ନିଜର ପରିଚୟ ପ୍ରଦାନ କରି ବୋର୍ଡ ଲଗାଇବାକୁ କୁହାଯାଇଥିଲା । ଯାହାକୁ ରୋକ ଲଗାଇ କୋର୍ଟ କହିଛନ୍ତି, ଦୋକାନୀମାନଙ୍କୁ ସେମାନଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । ଦୋକାନୀଟି କେବଳ ଖାଇବାର ମେନ୍ୟୁ, ତାହା ମାଂସାହାରୀ କି ଶାକାହାରୀ ବ୍ୟତୀତ ଅନ୍ୟ କୌଣସି ସୂଚନା ଦେବା ଆବଶ୍ୟକତା ନାହିଁ ବୋଲି ରୋକ ଠୋକ ଶୁଣାଇଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ କହିରଖୁଛୁ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂରା ରାଜ୍ୟରେ କାଉଡିଆମାନେ ଯେଉଁ ରାସ୍ତା ଦେଇ ଯାଉଛନ୍ତି, ସେ ସମସ୍ତ ରାସ୍ତାରେ ଥିବା ଦୋକାନ, ଠେଲା, ରେଷ୍ଟୁରାଣ୍ଟ ସବୁଥିରେ ଦୋକାନୀଙ୍କ ନାମ ଲେଖାଥିବା ନେମ୍ ପ୍ଲେଟ୍ ଲଗାଇବାକୁ ଆଦେଶ ଜାରି କରିଥିଲେ । ଯାହା ପ୍ରଥମେ ମୁଜାଫର ନଗରରେ ଲାଗୁକରିଥିବା ବେଳେ ପରେ ପୂରା ରାଜ୍ୟରେ ଏଭଳି ନିର୍ଦ୍ଦେଶ ଜାରି କରିଥିଲେ ସରକାର । ଯାହାକୁ ନେଇ ତେଜିଥିଲା ବିବାଦ ।

ଏନେଇ ଏନଜିଓ ଏସୋସିଏସନ ଅଫ ପ୍ରୋଟେକସନ ଓ ସିଭିଲ ରାଇଟସ ପକ୍ଷରୁ ଯୋଗୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ଏନେଇ ପିଟିସନ ଦାତା କହିଛନ୍ତି, ସରକାରଙ୍କର ଏଭଳି ନିଷ୍ପତ୍ତି କିଛି ବୈଜ୍ଞାନିକ ସମ୍ମତ ନୁହେଁ । ରାସ୍ତା କଡରେ ଥିବା ଦୋକାନରେ ନେମ୍ ପ୍ଲେଟ୍ ଲଗାଇବା କିଛି ଯୁକ୍ତିଯୁକ୍ତ ନୁହେଁ । ଏଭଳି ଆଇନ ଆଗରୁ କେବେ କେଉଁଠି ଲାଗୁ ହେବାର ଦେଖାଯାଇନାହିଁ । ଯାହା ଆଧାରରେ ସୋମବାର ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ଏସବିଏମ ଭଟ୍ଟିଙ୍କ ଖଣ୍ଡପୀଠ ଏହାରି ଉପରେ ଶୁଣାଣି କରି ଏଭଳି ଆଦେଶକୁ ରୋକ ଲଗାଇଛନ୍ତି । ଯାହାର ଆଗାମୀ ଶୁଣାଣି ଆସନ୍ତା ୨୬ରେ ହେବ ।

Comments are closed.