Latest Odisha News

ରାମ ମନ୍ଦିରରେ ସ୍ଥାପନ ହେବ ସ୍ଥପତି ଅରୁଣ ଯୋଗୀରାଜଙ୍କ ଦ୍ୱାରା ଖୋଦିତ ମୂର୍ତ୍ତି, ସ୍ପଷ୍ଟ କଲା ଟ୍ରଷ୍ଟ

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହରେ ପ୍ରତିଷ୍ଠା ହେବାକୁ ଥିବା ବିଗ୍ରହଙ୍କୁ ନେଇ ଚାଲିଥିବା ସବୁ ଚର୍ଚ୍ଚାର ଅନ୍ତ ଘଟିଛି। ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ । ଏ ନେଇ ସ୍ପଷ୍ଟ କରିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ। କୃଷ୍ଣଶିଳାରେ ଖୋଦିତ ପ୍ରତିମାର ଓଜନ ପ୍ରାୟ ୧୫୦ରୁ ୨୦୦ କିଲୋଗ୍ରାମ।

ଆସନ୍ତା ୨୨ ଜାନୁଆରୀରେ ମନ୍ଦିର ଗର୍ଭ ଗୃହରେ ମୂର୍ତ୍ତି ସ୍ଥାପନ କରାଯିବ। ପୁରୁଣା ମୂର୍ତ୍ତି ମନ୍ଦିର ପରିସରରେ ରହି ଶୋଭା ବର୍ଦ୍ଧନ କରିବ।

ଅରୁଣଙ୍କ ପରିବାରର ୫ ପିଢ଼ି ଧରି ମୂର୍ତ୍ତିରେ ତିଆରି କରି ଆସୁଛନ୍ତି । ଅରୁଣଙ୍କ ଜେଜେବାପା ମହିଶୂର ରାଜବଂଶ ପାଇଁ ପଥରରେ ମୂର୍ତ୍ତି ନିର୍ମାଣ କରୁଥିଲେ । ଅରୁଣ ମହିଶୂରର ପ୍ରସିଦ୍ଧ ୧୨ ଫୁଟର ହନୁମାନ, ପ୍ରସିଦ୍ଧ ନନ୍ଦି ନିର୍ମାଣ କରି ସାରା ଦକ୍ଷିଣ ଭାରତରେ ପ୍ରମୁଖ ସ୍ଥପତି ଭାବେ ପରିଚୟ ସୃଷ୍ଟି କରିଥିଲେ । ହେଲେ ଦିଲ୍ଲୀ ଅମର ଯବାନ ଜ୍ୟୋତି ପାଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ବେଳକୁ ସାରା ଦେଶରେ ପ୍ରମୁଖ ଚେହେରା ଭାବେ ସେ ସାମ୍ନାକୁ ଆସିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସବୁଠୁ ପସନ୍ଦର ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାରେ ଥିଲେ ଅରୁଣ । ଅମର ଯବାନ ଜ୍ୟୋତି ପାଖରେ ୩୦ ଫୁଟର ନେତାଜୀ ମୂର୍ତ୍ତି ପରେ କେଦାରନାଥ ପୀଠରେ ୧୨ ଫୁଟର ଆଦି ଶଙ୍କରାଚାର୍ଯ୍ୟଙ୍କ ବିଗ୍ରହ ବି ଅରୁଣ ନିର୍ମାଣ କରିଥିଲେ । ଏବେ ତାଙ୍କ ହାତରେ ତିଆରି ମୂର୍ତ୍ତି ଶ୍ରୀରାମ ମନ୍ଦିରରେ ଅବସ୍ଥାନ କରିବେ।

Comments are closed.