ଟିଟିଲାଗଡ: ଗଣମାଧ୍ୟମ ପ୍ରତି ଏବେ ଅନେକ ସମୟରେ ଲୋକେ ଆକ୍ରୋଶମୂଳକ ମନୋଭାବ ପ୍ରଦର୍ଶନ କରନ୍ତି । ଖବର ପ୍ରସାରଣ କରି କିଛି ଲୋକଙ୍କ ସ୍ବାର୍ଥରେ ଆଞ୍ଚ ଆଣିଥାନ୍ତି ବୋଲି ତାଙ୍କ ଉପରେ ପ୍ରାୟତଃ ଅତିଷ୍ଟ ହୁଅନ୍ତି ଲୋକେ । ଆଉ ନିକଟରେ ଛତିଶଗଡ ସାମ୍ବାଦିକଙ୍କ ସହ ଯାହା ଘଟିଲା ତାହା ତ ଲୋମହର୍ଷଣକାରୀ । ଆଉ ଏବେ ଓଡିଶାର ଟିଟଲାଗଡରେ ମଧ୍ୟ ପୁଣି ଥରେ ଗଣମାଧ୍ୟମର କଣ୍ଠରୁଦ୍ଧ କରିବା ପାଇଁ ପ୍ରୟାସ କରାଯାଇଛି । ଗଣମାଧ୍ୟମକୁ ଖବର ପ୍ରସାରଣ ସମୟରେ ଆକ୍ରମଣ କରି ବନ୍ଧା ହୋଇଛନ୍ତି ଏସଡିଓ ବାବୁ । ଓଟିଭି ପ୍ରତିନିଧିଙ୍କ ସହ ଆଉ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଏସଡିଓଙ୍କୁ ଗିରଫ କରିଛି ପୋଲିସ୍ । ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଟିଟିଲାଗଡ଼଼ ଅଞ୍ଚଳରେ ଜନୈକ ଶ୍ରମିକ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁବରଣ କରିଥିଲେ। ଏନେଇ ବିଭାଗ ତରଫରୁ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧି ଯାଇଥିବା ବେଳେ ଅଫିସ୍ କିନ୍ତୁ ଖାଲି ପଡିଥିଲା । ପରେ ଜାଣିବାକୁ ମିଳିଥିଲା ଯେ, ଟିଟିଲାଗଡ଼଼ ଟାଟା ପାୱାର ଡିଭିଜନର ଅନେକ ଅଧିକାରୀ, ଏସଡିଓ, ଜେଇ ନିଜ ସରକାରୀ ଡ୍ୟୁଟି ଛାଡି ଖୋଲାଣ ଗ୍ରାମ ଦେଇ ଯାଇଥିବା ଲାନ୍ଥ ନଦୀ ପୋଲ ତଳେ ଥିବା ଆମ୍ବ ବଗିଚାରେ ଭୋଜି କରୁଥିଲେ ।
ଯାହାକୁ ନେଇ ସାମ୍ବାଦିକ ସଂଘ ଓୟୁଜେର ଟିଟିଲାଗଡ଼଼ ସମ୍ପାଦକ ସଞ୍ଜୟ ବେହେରା, ଓଟିଭି ସାମ୍ବାଦିକ ଅବିନାଶ ନନ୍ଦ, ତରୁଣ ବେହେରା ଅଧିକାରୀଙ୍କ ମତାମତ ନେବା ପାଇଁ ସେ ସ୍ଥାନକୁ ଯାଇଥିଲେ । କେଉଁ ପରିସ୍ଥିତିରେ ଶ୍ରମିକର ମୃତ୍ୟୁ ଘଟିଲା? ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସ୍ଥଳ ଉପରେ ଥିବା ବିଦ୍ୟୁତ ତାର କାହିଁକି ଅପସାରଣ କରାଗଲା ନାହିଁ? ଏଭଳି ଅନେକ ପ୍ରଶ୍ନ ଅଧିକାରୀଙ୍କୁ ପଚାରିବାରୁ ସେମାନେ ଉତକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧି ଉପରେ ଅତର୍କିତ ଭାବରେ ମରଣାନ୍ତକ ଆକ୍ରମଣ କରିଥିଲେ । ଉକ୍ତ ସମୟରେ ଖୋଲାଣ ସରପଞ୍ଚ ଏବଂ ଗାଁ ଲୋକ ମିଶି ଘଟଣାସ୍ଥଳରେ ପହଞ୍ଚି ଆହତ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ ।
ଏମିତିକି ବିଦ୍ୟୁତ ଅଧିକାରୀ ସରପଞ୍ଚଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ପଛାଇ ନଥିଲେ । ଏନେଇ ଟିଟିଲାଗଡ଼଼ ଥାନାରେ ବିଦ୍ୟୁତ ବିଭାଗର ଅଧିକାରୀ, ଏସଡିଓ, ତଥା ଜେଇ ମାନଙ୍କ ନାମରେ ଆହତ ସାମ୍ବାଦିକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଆଜି ଏସଡିଓଙ୍କୁ ଗିରଫ କରିଛି ପୋଲିସ୍ ।