Latest Odisha News

BREAKING NEWS

ସିସୋର ଚିଟଫଣ୍ଡ ମାମଲା, ୧୯ଟି କେସକୁ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତରକୁ ହାଇକୋର୍ଟଙ୍କ ନା

କଟକ: କୋଟି କୋଟି ଟଙ୍କାର ଚିଟଫଣ୍ଡ କେଳେଙ୍କାରୀର ଅନେକ ମାମଲା ରାଜ୍ୟର ବିଭିନ୍ନ କୋର୍ଟରେ ଗଡ଼ୁଛି । ଏ ସମ୍ପର୍କିତ ୧୯ଟି ଅପରାଧିକ ମାମଲାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ସିସୋର ସମ୍ପର୍କିତ ସମସ୍ତ ମାମଲାକୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ ସଂସ୍ଥାର ସିଏମଡି ପ୍ରଶାନ୍ତ କୁମାର ଦାସ ।

ସିସୋର ସ୍କାମରେ ନିବେଶକଙ୍କ ୫୭୮ କୋଟି ଟଙ୍କା ଡୁବି ଯାଇଛି । ସିସୋର ବିରୋଧରେ ହୋଇଥିବା ୪୧ଟି ଏଫ୍ଆଇଆରରୁ ୨୨ଟିର ତଦନ୍ତ କରୁଛି ସିବିଆଇ । ଚିଟଫଣ୍ଡ ସ୍କାମର ତଦନ୍ତ ସିବିଆଇ କରିବା ଲାଗି ୨୦୧୪ ମେ ୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ତେବେ ୨୨ଟି ମାମଲାର ଟ୍ରାଏଲ୍ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ପେଣ୍ଡିଂ ରହିଥିବା ବେଳେ ଅନ୍ୟ ୧୯ଟି ବିଭିନ୍ନ କୋର୍ଟରେ ଗଡ଼ୁଛି । ଢେଙ୍କାନାଳ, ରାଉରକେଲା, ସୋର, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, ଟିଟିଲାଗଡ଼ ଓ ସୋନପୁର ଥାନା ଅନ୍ତର୍ଗତ ବିଭିନ୍ନ କୋର୍ଟରେ ସିସୋର ବିରୋଧରେ ମାମଲା ଚାଲିଛି ।

ତେବେ ଆବେଦନକାରୀ ଆବେଦନରେ କହିଛନ୍ତି, ସିବିଆଇ ତଦନ୍ତ କରୁଥିବା ୨୨ଟି ମାମଲା ଠାରୁ ବିଭିନ୍ନ କୋର୍ଟରେ ଥିବା ୧୯ଟି ମାମଲା ଭିନ୍ନ ନୁହେଁ । ତେବେ ସବୁ ମାମଲାରେ କାର୍ଯ୍ୟାନୁଷ୍ଠାନ ସମାନ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ ବେଞ୍ଚ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରଶାନ୍ତ ଦାସଙ୍କ ସମାନ ଆବେଦନକୁ ୨୦୧୯ ଜାନୁଆରୀ ୧୮ରେ ସୁପ୍ରିମକୋର୍ଟ ମଧ୍ୟ ଖାରଜ କରି ଦେଇଥିଲେ । ସେତେବେଳେ ଆବେଦନକାରୀ ଭର୍ଚୁଆଲ୍ ମୋଡରେ ସବୁ ମାମଲାରେ ସମସ୍ତ କୋର୍ଟର ହାଜର ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.