Latest Odisha News

BREAKING NEWS

ଓଡିଶାରେ ୨ୟ କାଡାଭରିକ୍ ପ୍ରତିରୋପଣ; ନୂଆ ଜୀବନ ପାଇଲେ ଦୁଇଜଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚଳିତ ମାସରେ ଦ୍ୱିତୀୟ ଥର ଲାଗି ହୋଇଥିବା କାଡାଭରିକ୍ ପ୍ରତିରୋପଣ ସଫଳ ହୋଇଛି । ଯାହାଫଳରେ ଦୁଇ ଜଣଙ୍କୁ ନୂତନ ଜୀବନ ମିଳିପାରିଛି ।

ପ୍ରାପ୍ତ ସୂଚନାନୁଯାୟୀ, କଟକର ରାଜା ବଗିଚାରେ ରହୁଥିବା ସୁଚିତ୍ରା ଦାସ (୫୬) ଏକ ସଡକ ଦୁର୍ଘଟଣାରେ ଗଭୀର ଆହତ ହୋଇ ଗତ ଫେବୃଆରୀ ୨୩ ତାରିଖରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସେଠାରେ ଚିକିତ୍ସିତ ହେଉଥିବା ବେଳେ ଗତ ବୁଧବାର ଦିନ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରିଥିଲେ । ପରେ ତାଙ୍କ ସ୍ୱାମୀ ଗୋପାଳ ଚନ୍ଦ୍ର ଦାସ ସୁଚିତ୍ରାଙ୍କର ଅଙ୍ଗଦାନ ଲାଗି ଇଚ୍ଛା ପ୍ରକାଶ କରିଥିଲେ ।

ପରେ ମେଡିକାଲ୍ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ଅଙ୍ଗ ଓ ଟିସ୍ୟୁ ପ୍ରିୀରୋପଣ ସଙ୍ଗଠନ (ସୋଟା)କୁ ଜଣାଇଥିଲେ । କିଡନୀ ପ୍ରଦାନ କରିବା ଲାଗି ଦୁଇ ଜଣ ବ୍ୟକ୍ତିଙ୍କ ନାମ ସୋଟା ପକ୍ଷରୁ ସ୍ଥିର କରାଯାଇଥିଲା ।

ପାଖାପାଖି ୩ ଘଣ୍ଟା ପରେ ସୁଚିତ୍ରାଙ୍କ କିଡନୀ କଢାଯାଇ ଆପୋଲୋରେ ଚିକିତ୍ସାରତ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ସୁର (୫୫)ଙ୍କ ଦେହରେ ରାତି ପ୍ରାୟ ୧୨ଟା ବେଳେ ପ୍ରତିରୋପଣ କରାଯାଇଥିଲା ।

ସେହିପରି ଅନ୍ୟଏକ କିଡନୀକୁ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ମିନତୀ ସାମନ୍ତରାୟଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୧୪ ତାରିଖରେ କଟକ ବଡ ମେଡିକାଲରେ ସଫଳ ଭାବେ ପ୍ରଥମ କାଡାଭରିକ ପ୍ରତିରୋପଣ କରାଯାଇଥିଲା ।

Leave A Reply

Your email address will not be published.