ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା ନେତାଙ୍କ ପୁଅଙ୍କ ପାଇଁ ମଝି ଆକାଶରୁ ଫେରିଲା ବିମାନ।
ସୂଚନା ଅନୁଯାୟୀ, ପୂର୍ବତନ ମନ୍ତ୍ରୀଙ୍କ ପୁଅ ବନ୍ଧୁମାନଙ୍କ ସହ ଲୁଚିଲୁଚି ବ୍ୟାଙ୍କକକୁ ଏକ ଚାର୍ଟାର୍ଡ ବିମାନରେ ଯିବାର ଯୋଜନା କରିଥିଲେ। କିନ୍ତୁ ତାଙ୍କ ବିମାନ ଭାରତ ଛାଡିବା ପୂର୍ବରୁ ମନ୍ତ୍ରୀଙ୍କ ଏକ ଫୋନ୍ କଲ୍ ରେ ବିମାନଟି ପୁନେ ବିମାନବନ୍ଦରକୁ ଫେରି ଆସିଥିଲା।
ତେବେ ଏହି ଘଟଣାଟି ଫେବୃଆରୀ ୧୦ ତାରିଖର ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ବରିଷ୍ଠ ନେତା ତାନାଜୀ ସାୱନ୍ତଙ୍କ ପୁଅ ରିଷିରାଜ ସାୱନ୍ତ ତାଙ୍କର ଦୁଇ ବନ୍ଧୁଙ୍କ ସହ ବ୍ୟାଙ୍କକ ଯାଇ ମଉଜ କରିବାର ଯୋଜନା କରିଥିଲେ। ତେବେ ସେ ୬୮ ଲକ୍ଷ ଟଙ୍କା ଦେଇ ୧୮ଟି ସିଟ୍ ବିଶିଷ୍ଟ ଏକ ବିମାନ ବୁକ୍ କରିଥିଲେ। ଏହା ଅପରାହ୍ନ ପ୍ରାୟ ୪ଟା ୩୦ମି. ସମୟରେ ପୁଣେ ବିମାନବନ୍ଦରରୁ ବ୍ୟାଙ୍କକ୍ ପାଇଁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ହିଁ ଜଣେ ଅଜଣା ବ୍ୟକ୍ତି ମନ୍ତ୍ରୀଙ୍କୁ ଫୋନ୍ କରି ପୁଅର ଅପହରଣ କଥା ଜଣାଇଥିଲେ।
ମନ୍ତ୍ରୀ ଅପହରଣ ଖବର ଶୁଣିବା ପରେ ଭୟଭୀତ ହୋଇ ତୁରନ୍ତ ପୁଣେ ପୋଲିସ କମିଶନରଙ୍କ ପାଖକୁ ଯାଇଥିଲେ। ତେବେ ମାମଲାଟି ହାଇପ୍ରୋଫାଇଲ୍ ହୋଇଥିବାରୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଟିସି, ପାଇଲଟଙ୍କୁ ପୁଣେ ବିମାନବନ୍ଦରକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲା। ପ୍ରଥମେ ପାଇଲଟ୍ ଏଟିସିର ଏହି କଲକୁ ଗୁଜବ ବୋଲି ଭାବିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଡିଜିସିଏ ଠାରୁ ସୂଚନା ପାଇବା ପରେ ସେ ବିମାନକୁ ପୁନେ ଫେରାଇ ଆଣିଥିଲେ।
ଏହି ସମୟରେ ବିମାନଟି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାର ଆକାଶ ମାର୍ଗରେ ଥିଲା ଓ ନିର୍ଦ୍ଦେଶ କ୍ରମେ ପାଇଲଟ ବିମାନଟିକୁ ଫେରାଇ ଆଣିଥିଲେ। ତେବେ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପାଇଲଟ୍ ଏହା ବିଷୟରେ ରିଷିରାଜ ସାୱନ୍ତ କିମ୍ବା ତାଙ୍କ ବନ୍ଧୁମାନଙ୍କୁ କୌଣସି ତଥ୍ୟ ଜଣାଇ ନଥିଲେ।
ପୋଲିସ ରିଷିରାଜଙ୍କୁ ପଚରାଉଚରା ସମୟରେ ସେ କହିଥିଲେ ଯେ ଏହି ବିମାନଟି ରାତି ପ୍ରାୟ ୯ ଟାରେ ପୁନେ ବିମାନବନ୍ଦରକୁ ଫେରି ଆସିଥିଲା। ବିମାନ ଅବତରଣ କରିବା ପରେ ସେମାନେ ଭାବିଥିଲେ ଯେ ସେମାନେ ବ୍ୟାଙ୍କକରେ ପହଞ୍ଚି ଯାଇଛନ୍ତି କିନ୍ତୁ ବିମାନରୁ ବାହାରିବା ପରେ ଦୃଶ୍ଯ କିଛି ଅଲଗା ଥିଲା।
Comments are closed.