Latest Odisha News

ଗୁମୁଟ ଗୁମର (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ପ୍ରାଚୀନ ଉତ୍କଳର ନରପତିମାନଙ୍କର ପାରମ୍ପରିକ ଶିଳ୍ପକଳାର ବିକାଶ ଦିଗରେ ଅଦମ୍ୟ ଉତ୍ସାହ ତଥା ଶିଳ୍ପୀମାନେ ଅଧିକ କର୍ମକୁଶଳୀ ହେବା ଦିଗରେ ପ୍ରୋତ୍ସାହନ ଏବଂ ତତ୍‌କାଳୀନ ଶିଳ୍ପୀବର୍ଗର କାର୍ଯ୍ୟଦକ୍ଷତା ତଥା ଶାସ୍ତ୍ରଜ୍ଞାନର ସମନ୍ୱୟରେ ସାରା ରାଜ୍ୟରେ ଶାସ୍ତ୍ରୀୟ ଭିତ୍ତିରେ ଗଢ଼ିଉଠିଥିଲା ଅସଂଖ୍ୟ ଦେବାଳୟ । ସୁଦୃଶ୍ୟ ସ୍ଥାପତ୍ୟ ତଥା ଆକର୍ଷଣୀୟ ଭାସ୍କର୍ଯ୍ୟରେ ମଣ୍ଡିତ ଏହି ଐତିହ୍ୟ କୀର୍ତ୍ତିରାଜି
ସେକାଳର ଶିଳ୍ପୀମାନଙ୍କର ଶୈଳ୍ପୀକ ପାରଦର୍ଶିତା ପ୍ରମାଣିତ କରେ । ସେଥିମଧ୍ୟରୁ ପୁରୀର ଶ୍ରୀମନ୍ଦିର ପରିସରରେ ବର୍ତ୍ତମାନ ଦୃଶ୍ୟମାନ ସ୍ୱରୂପର ସଫଳ ରୂପାୟନ ନିମନ୍ତେ ଏକାଧିକ ରାଜାମାନଙ୍କର ଅବଦାନ ଇତିହାସ ପୃଷ୍ଠାରେ ସୁସ୍ପଷ୍ଟ । ଶ୍ରୀମନ୍ଦିରର ବିମାନ, ଜଗମୋହନ, ନାଟ୍ୟମଣ୍ଡପ ଓ ଭୋଗମଣ୍ଡପ ଆଦି ନିର୍ମାଣ ହେବା ପରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ମେଘନାଦ ପାଚେରି, କୂର୍ମବେଢ଼ା ଓ ତତ୍‌ସଂଲଗ୍ନ ବିମଳା,ସାକ୍ଷୀଗୋପାଳ, କାଞ୍ôଚଗଣେଶ, ଭୁବନେଶ୍ୱରୀ, ଲକ୍ଷ୍ମୀ, ସୂର୍ଯ୍ୟନାରାୟଣ ପ୍ରଭୃତି ମନ୍ଦିରର ନିର୍ମାଣ କରାଯାଇଥିବା ବେଶ ଅନୁମାନ କରାଯାଇପାରେ ।

ମେଘନାଦ ପାଚେରୀ ସଂଲଗ୍ନ ଚାରିଦିଗର ପ୍ରବେଶ ପଥରେ ଥିବା ପିଢ଼ ଦେଉଳ ଶୈଳୀର ବଡ଼ ଗୁମୁଟ ଏବଂ କୂର୍ମବେଢ଼ାର ଚାରିପାଶ୍ୱର୍ରେ ଥିବା ଅତିରିକ୍ତ ପ୍ରବେଶ ପଥ ବା ଗୁମୁଟ ଆଦିର ନିର୍ମାଣ, ସେହିଭଳି ଏକ ପର୍ଯ୍ୟାୟ ନିର୍ମାଣର ଅନ୍ତର୍ଭୁକ୍ତ । ଚାରି ମୁଖ୍ୟ ଦ୍ୱାରଗୁଡ଼ିକ ପୀଢ଼ ଶୈଳୀର ମନ୍ଦିର ସଦୃଶ୍ୟ ହେଇଥିଲା ବେଳେ କୂର୍ମ ବେଢ଼ା ସଂଲଗ୍ନ ଗୁମୁଟଗୁଡ଼ିକ ସାମାନ୍ୟ ପୀଢ଼ଯୁକ୍ତ ସମତଳ ଛାତ ଥିବା ଦ୍ୱାର ବିହୀନ ପ୍ରବେଶ ପଥ ଭାବରେ ବିଦ୍ୟମାନ । ଏଥି ମଧ୍ୟରୁ ବାଇଶି ପାହାଚ ଉପରିଭାଗରେ ଥିବା ପୂର୍ବ ପାଶ୍ୱର୍ର ଗୁମୁଟର ସ୍ଥାପତ୍ୟ ଓ ତହିଁରେ ଉତ୍କୀର୍ଣ୍ଣ ହେଇଥିବା ବିପୁଳ ଭାସ୍କର୍ଯ୍ୟ ବିଭବ ଆଲୋଚନା ସାପେକ୍ଷ । ଶ୍ରୀମନ୍ଦିର ପରିସରରେ ପର୍ଯ୍ୟାୟକ୍ରମେ ଆହୁରି ଅନେକ ଛୋଟବଡ଼
ମନ୍ଦିର, ବିଭିନ୍ନ ମଣ୍ଡପ, ପିଣ୍ଡି, ସ୍ନାନବେଦୀ ଓ ରୋଷଘରର ନବୀକରଣ ଆଦି କାର୍ଯ୍ୟ ସଂପନ୍ନ ହୋଇଥିବାର ଜଣାଯାଏ ।

ଚର୍ଚ୍ଚିତ ଗୁମୁଟଗୋଟି ସମ୍ପ୍ରତି ଶ୍ରୀମନ୍ଦିରର ଦ୍ୱିତୀୟ ମୁଖ୍ୟ ପ୍ରବେଶ ପଥ ଭାବେ ପ୍ରତ୍ୟୟମାନ ହେଉଥିଲେ ମଧ୍ୟ ଶ୍ରୀଗୁଣ୍ଡିଚା ସମୟରେ ଚତୁର୍ଦ୍ଧାମୂର୍ତ୍ତି ସାତ ପାହାଚ ପରେ ପାଟଅଗଣାରୁ ଆନନ୍ଦ ବଜାର ଦେଇ ପହଣ୍ଡି ହୋଇଥାଆନ୍ତି ଏବଂ ନିଳାଦ୍ରି ବିଜେ ସମୟରେ ମଧ୍ୟ ସେହି ରାସ୍ତା ଦେଇ ରତ୍ନସିଂହାସନକୁ ବାହୁଡ଼ା ଯାତ୍ରା କରିଥାଆନ୍ତି । କିମ୍ବଦନ୍ତୀ କହେ ଏକଦା ଏହି ଗୁମୁଟର ରାସ୍ତାକୁ ଦୁଇପଟୁ ଜଣେ ସାଧୁ ସେଠାରେ ଆସ୍ଥାନ ଜମେଇ ଆଂଶିକ ଆବଦ୍ଧ କରି ରଖିଥିଲେ । ଶଙ୍କରାଚାର୍ଯ୍ୟ ମଠର କୌଣସି ଜଣେ ଧର୍ମଗୁରୁ (ଆଦି ଶଙ୍କରାଚାର୍ଯ୍ୟ ନୁହେଁ)ଙ୍କ ଆଗମନରେ ସମ୍ପୃକ୍ତ ସାଧୁଙ୍କ ସହ ବୌଦ୍ଧିକ ବିତର୍କ ପରେ ଏହି ଗୁମୁଟ ସର୍ବସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ଉନ୍ମୁକ୍ତ ହୋଇଥିଲା ।
ତିନିରଥ ଶୈଳୀରେ ନିର୍ମିତ ଏହି ଗୁମୁଟର ସମ୍ମୁଖଭାଗର ସ୍ଥାପତ୍ୟକୁ ବିଶ୍ଳେଷଣ କଲେ ଏହାକୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରାଯାଇପାରେ ।

ଗୁମୁଟର ରାହାପାଗରେ ଥିବା ପ୍ରବେଶ ପଥ ସଲଗ୍ନ ସୁସଜ୍ଜିତ ତୋରଣ, ପ୍ରଥମ ଭାଗ ବା ମୁଖ୍ୟ ଭାଗ ଏବଂ ଉକ୍ତ ତୋରଣର ଦୁଇ ପାଶ୍ୱର୍ର ଅନୁରଥ ପାଗରେ ଥିବା ବାଡ଼ର କାରୁକାର୍ଯ୍ୟ ଅନ୍ୟ ଦୁଇ ଭାଗ ହୋଇପାରେ । ଉକ୍ତ ଉତ୍ତର ଓ ଦକ୍ଷିଣ ପାଶ୍ୱର୍ର ବାଡ଼କାମରେ ଅନେକ ସାମଞ୍ଜସ୍ୟ ରହିଥିଲେ ମଧ୍ୟ ତହିଁରେ ଖଚିତ ରାମାୟଣ ଓ କୃଷ୍ଣଲୀଳା ସମ୍ବନ୍ଧୀୟ ପ୍ୟାନେଲ ମୂର୍ତ୍ତିରେ ଭିନ୍ନତା ରହିଥିବାର ଜଣାଯାଏ । ପୁନଶ୍ଚ ଗୁମୁଟର ମଧ୍ୟଭାଗର ତୋରଣକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ ଯଥା ବାହ୍ୟତୋରଣ ଓ ଆଭ୍ୟନ୍ତରୀଣ ତୋରଣ । ଚର୍ଚ୍ଚିତ ଗୁମୁଟର ସର୍ବାଙ୍ଗ କାରୁକାର୍ଯ୍ୟ ମଣ୍ଡିତ ହୋଇଥିବା ବେଳେ ବାଟ ଅଗଣାକୁ ରହିଥିବା ପଶ୍ଚିମ ପାଶ୍ୱର୍ର ତୋରଣର ଦୁଇ ସ୍ତମ୍ଭରେ ପ୍ରାୟ ତିନିଫୁଟ ଉଚ୍ଚତା ବିଶିଷ୍ଟ ମକର ବାହନଯୁକ୍ତ ଗଙ୍ଗା ଓ କଚ୍ଛପ ବାହନଯୁ୍‌କ୍ତ ଯମୁନାଙ୍କ ସୁଦୃଶ୍ୟ ମୂର୍ତ୍ତି ବିଦ୍ୟମାନ । ବାହ୍ୟତୋରଣ : ଗୁମୁଟର ମୂଳ ଢାଞ୍ଚାଠାରୁ ଦୁଇଫୁଟ ସମ୍ମୁଖକୁ ଉଭୟ ପାଶ୍ୱର୍ରେ ବଢ଼ିରହିଥିବା ହାତେ ଚଉଡ଼ାର ଦୁଇଗୋଟି ସୁଦୃଶ୍ୟ ଖମ୍ବ ଉପରେ ପାଟ ପଥର
ରହିଅଛି । ଏହି ଖମ୍ବ ଦୁଇଟିର କାରୁକାର୍ଯ୍ୟ ସମଗ୍ର ଗୁମୁଟର ଶୋଭାବର୍ଦ୍ଧନ କରିଥାଏ । ଏହାକୁ ଶିଳ୍ପୀଙ୍କ ଭାଷାରେ ଜାଙ୍ଘ ବାନ୍ଧଣା ପାହିଆ କୁହାଯାଏ । ଏହି ସ୍ତମ୍ଭର ପୀଠରେ ପାରମ୍ପରିକ ନିୟମରେ ଖୁରା, କଳସ, ପଟି, କଣି ଓ ବସନ୍ତ ରହି ସବୁଗୁଡ଼ିକୁ ସଂଲଗ୍ନ କରି ବାନ୍ଧଣା ରହିଅଛି । ଉଭୟ ସ୍ତମ୍ଭର ପୀଠ ଉପରେ ପ୍ରାୟ ଦୁଇ ହାତ ଉଚ୍ଚ ଚତୁଃହସ୍ତ ବିଶିଷ୍ଟ ଜୟବିଜୟ ମୂର୍ତ୍ତି ରହିଅଛି । ଚତୁଃହସ୍ତ ବିଶିଷ୍ଟ ଜୟବିଜୟ ମୂର୍ତ୍ତି ପଛ ଦୁଇ ହସ୍ତରେ ଶଙ୍ଖ, ଚକ୍ର ଏବଂ ମୁଖ୍ୟ ବାମ ହସ୍ତରେ ଉଲମ୍ବ ଭାବେ ରହିଥିବା ଗଦାକୁ ଧାରଣ କରିଛନ୍ତି । ଦକ୍ଷିଣ ହସ୍ତରେ ଜପାମାଳା ସହିତ ପ୍ରଚ୍ଛଦ ଦୁଇ ପାଶ୍ୱର୍ରେ ଗଜସିଂହ ଓ ନିମ୍ନରେ ଦୁଇ ସଖୀ ରହିଛନ୍ତି । ବିଗ୍ରହର ଉପରକୁ ଅର୍ଦ୍ଧ ଗୋଲାକାର ମାଳିପଟି ଏବଂ ତଦୁର୍ଦ୍ଧ୍ୱରେ ସୂକ୍ଷ୍ମ ଖୋଦେଇଯୁକ୍ତ ପଟି ସହିତ ପୀଠ ଉପରେ ଦକ୍ଷିଣ ପାଶ୍ୱର୍ ସ୍ତମ୍ଭରେ ବୃଷଭ ବାହନ ସହିତ ଜଟାଜୁଟଧାରୀ ମହେଶ୍ୱର ଏବଂ ଉତ୍ତର ପାଶ୍ୱର୍ରେ ଚତୁଃମସ୍ତକ ବିଶିଷ୍ଟ ହଂସ ବାହନଯୁକ୍ତ ବ୍ରହ୍ମାଙ୍କ ମୂର୍ତ୍ତି ଦଣ୍ଡାୟମାନ ଅବସ୍ଥାରେ ରହିଛନ୍ତି । ଦୁଇ ପାଶ୍ୱର୍ର ସମ୍ମୁଖ ଖମ୍ବରେ ଥିବା ଏହି ଚାରିଗୋଟି ମୂର୍ତ୍ତି ଅତୀବ କମନୀୟ । ବ୍ରହ୍ମା ଓ ମହେଶ୍ୱରଙ୍କ ମୂର୍ତ୍ତି ଉପରକୁ ମଧ୍ୟ ପୁନଃ ପଞ୍ଚକର୍ମଯୁକ୍ତ ଅଂଶ ପାଟ ପଥରକୁ ସ୍ପର୍ଶ କରୁଅଛି । ପାଟ ପଥରର ସମ୍ମୁଖ ଭାଗରେ ବାମରୁ ଆରମ୍ଭ କରି ଗରୁଡ଼, ଦୁଇଟି ତୀର, ଚକ୍ର, ଶଙ୍ଖ, କେନ୍ଦ୍ରରେ
ରାମାନନ୍ଦୀ ଚିତା, ଗଦା, ପଦ୍ମ, ଧନୁ ଏବଂ ଶେଷରେ ହନୁମାନଙ୍କ ମୂର୍ତ୍ତି ରହିଅଛି ।

ଏହିସବୁ ପ୍ରତୀକାତ୍ମକ ଚିତ୍ରଣ ବୈଷ୍ଣବୀୟ ତତ୍ତ୍ୱର ଯଥାର୍ଥ ପ୍ରଦର୍ଶନ ବୋଲି ପ୍ରତୀତ ହୁଏ । ଏଥିରେ ବିଷ୍ଣୁଙ୍କର ଚାରି ଆୟୂଧ ଏବଂ ରାମଚନ୍ଦ୍ରଙ୍କର ଦୁଇ ଆୟୂଧ ସହିତ ଉଭୟଙ୍କର ବାହନ ରହି ବିଷ୍ଣୁ ଉପାସନାର ମନ୍ତ୍ର ଗାୟନ କରୁଅଛି । ପାଟ ପଥର ଉପରକୁ ପାଗ ଅନୁସାରେ ଉଡ଼ା-ଛାତ ପ୍ରାୟ ତିନିଫୁଟ ଆଗକୁ ବଢ଼ିରହିଛି । ଉପରକୁ ଅଳ୍ପ କେତୋଟି ପୀଢ଼ରହି ସମତଳ ଛାତର ଧାରରେ ପଦ୍ମକଢ଼ି ଆକୃତିର ପଥର ଖଣ୍ଡର ଧାଡ଼ିରେ ସମୃଦ୍ଧ ବାଡ଼ ରହିଅଛି । ଦୁଇ ପାଶ୍ୱର୍ ଅନୁରଥ ପାଗର ଶେଷରେ ତଥା ଗୁମୁଟର ଉତ୍ତର ପୂର୍ବ ଓ ଦକ୍ଷିଣ ପୂର୍ବ ଉଭୟ କୋଣରେ ଦୁଇଟି ଉଦ୍ୟତ ସିଂହ ତୀର୍ଯ୍ୟକ ଭାବରେ ରହି ଉଡ଼ା ଛାତକୁ ରାହା ଦେଇ ଶୋଭାବର୍ଦ୍ଧନ କରୁଛନ୍ତି । କେନ୍ଦ୍ରରେ ଏକ ଗଜସିଂହ ମୂର୍ତ୍ତି ସମ୍ମୁଖ ଭାଗକୁ ବାହାରି ରହିଅଛି । ତୋରଣର ଦୁଇ ପାଶ୍ୱର୍ରେ ଥିବା ଏହି ସ୍ତମ୍ଭ ମର୍ଯ୍ୟାଦାବନ୍ତ ଭାବରେ ଆଗକୁ ବଢ଼ିରହି ସମଗ୍ର ଗୁମୁଟର ଗାମ୍ଭୀର୍ଯ୍ୟକୁ ବହୁଗୁଣିତ କରୁଛନ୍ତି । ଏହି ସ୍ତମ୍ଭ ଦ୍ୱୟର ବାହ୍ୟ ପାଶ୍ୱର୍ରେ ଅର୍ଥାତ୍ ଦକ୍ଷିଣ ସ୍ତମ୍ଭର ଦକ୍ଷିଣ ପାଶ୍ୱର୍ରେ ତଳେ ଗଜସିଂହ ଓ ଉପରକୁ ଗରୁଡ଼ଙ୍କ କାନ୍ଧରେ ନାରାୟଣଙ୍କ ପ୍ୟାନେଲ ମୂର୍ତ୍ତି ରହିଅଛି । ସେହିଭଳି ଉତ୍ତର ସ୍ତମ୍ଭର ଉତ୍ତର ପାଶ୍ୱର୍ରେ ଗଜସିଂହ ଓ ହନୁମାନଙ୍କ କାନ୍ଧରେ ରାମଚନ୍ଦ୍ର ବସିଥିବାର ମୂର୍ତ୍ତି ରହିଅଛି । ଏହି ମୂର୍ତ୍ତି ସବୁ ସମ୍ମୁଖରୁ ଦୃଶ୍ୟମାନ ନହେଲେ ମଧ୍ୟ ଦୁଇ ପାଶ୍ୱର୍ରୁ ଦେଖିଲେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥାଏ ।

କ୍ରମଶଃ…..

Comments are closed.