Latest Odisha News

BREAKING NEWS

ବାରିପଦା ରଥଯାତ୍ରାକୁ ନିରୀକ୍ଷଣ କରିବ ଡ୍ରୋନ୍ କ୍ୟାମେରା

ବାରିପଦା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦିନକ ପରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ବାରିପଦାରେ ଆସନ୍ତା ୪ ତାରିଖରେ ଠାକୁରମାନଙ୍କର ପହଣ୍ଡି ହୋଇ ରଥାରୁଢ଼ ହେବେ । ପରମ୍ପରା କ୍ରମେ ପରେ ୫ ଓ ୬ ତାରିଖ ଦୁଇ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବ । ସେହିପରି ୧୨ ତାରିଖ ଠାକୁରମାନେ ବାହୁଡା ପହଣ୍ଡିରେ ରଥାରୁଢ଼ ହେବାପରେ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବ ।

ବାରିପଦାରେ ଆୟୋଜିତ ହେଉଥିବା ରଥଯାତ୍ରାରେ ସାଧାରଣତଃ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି । ଏହି ସ୍ୱତନ୍ତ୍ର ରଥଯାତ୍ରା ଦେଖିବାଲାଗି ପ୍ରତି ବର୍ଷ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ୁଥିବାରୁ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରାକୁ ସମାପନ କରିବା ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର ରଥଦାଣ୍ଡ ପରିଦର୍ଶନ କରିଥିଲେ । ପରେ ସେ ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଥିବା ଦେବୋତ୍ତର ବିଭାଗର ଅଧିକାରୀ, ଏଏସପି ଜୟରାମ ଶତପଥୀ, ବାରିପଦା ସଦର ଏସଡପିଓ କୃଷ୍ଣପ୍ରସାଦ ପଟ୍ଟନାୟକ, ଡିଏସପି (ଡିଆଇବି) ବାମଦେବ ସିଂ , ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ଅମେତ ଅନ୍ୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର କହିଛନ୍ତି, “ରଥ ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହିତ ସଂପନ୍ନ କରିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚଳିତ ରଥ ଯାତ୍ରାରେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡାଇବା ଲାଗି ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରୁଛି । ଡ୍ରୋନ କ୍ୟାମେରା ଜରିଆରେ ରଥଯାତ୍ରା ତଥା ସମ୍ପୂର୍ଣ୍ଣ ବଡଦାଣ୍ଡକୁ ପୋଲିସ ଅଧିକାରୀମାନେ ନିରିକ୍ଷଣ କରିବେ । ଏହାଛଡା ରଥ ଯାତ୍ରା ବେଳେ ଟ୍ରାଫିକ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି” ।

ରଥ ବେଳେ କର୍ଡନ ବ୍ୟବସ୍ଥା ଓ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣୁ ଥିବାରୁ ଏହି ରଥରେ କେବଳ ମହିଳା ପୋଲିସ କର୍ମଚାରୀମାନେ ନିୟୋଜିତ ରହିବେ । ସେହିପରି ଚଳିତ ବର୍ଷ କୌଣସି ପ୍ରକାରର ଅପରାଧିକ କାର୍ଯ୍ୟକଳାକୁ ଏଡାଇବା ପାଇଁ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୋଲିସ ଫୋର୍ସ ସଜାଗ ଅଛନ୍ତି ଓ ଜିଲ୍ଲା ତଥା ସହର ମଧ୍ୟକୁ ପ୍ରବେଶ କରୁଥିବା ଯାନ ବାହାନକୁ ଯାଞ୍ଚ କରାଯାଉଛି । ଏଥିଲାଗି ସମ୍ପୃକ୍ତ ଅଞ୍ଚଳର ଏସଡିପିଓ ମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.