ଲକ୍ଷ୍ନୌ : ଆଫଗାନିସ୍ତାନକୁ ଦଖଲ କରିବା ପରେ ଏବେ ଆତଙ୍କରାଜ ଆରମ୍ଭ କଲାଣି ତାଲିବାନ୍ । ବନ୍ଧୁକ ମୁନରେ ବିରେଧୀଙ୍କ ସ୍ବରକୁ ଚାପିବାକୁ ପ୍ରୟାସ କଲାଣି । ସରିଆ ଆଇନ ବଳରେ ଏବେ ସରକାର ଚଳାଇବାକୁ ଦାବି କରୁଛି ତାଲିବାନ । କାବୁଲ କବଜା କରିବା ପରେ ତାଲିବାନର ଏଭଳି କାର୍ଯ୍ୟକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଉଛି । ହେଲେ ଏହାରି ଭିତରେ ଭାରତର କିଛି ନେତା ତାଣ୍ଡବ ରଚୁଥିବା ତାଲିବାନର କାର୍ଯ୍ୟକଳାପକୁ ସମର୍ଥନ କରିଛନ୍ତି । ସମାଜବାଦୀ ପାର୍ଟି ସାଂସଦ ଶଫିକୁର ରେହମାନ ବର୍କ ତାଲିବାନ ସମର୍ଥନେ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି । ଆଫଗାନିସ୍ତାନରେ ତାଲିବାନ ଶାସନକୁ ଭାରତରେ ବ୍ରିଟିଶ ରାଜ ସହ ତୁଳନା କରିଛନ୍ତି ବର୍କ । ଯାହାକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରାଯିବା ସହ ତାଙ୍କ ବିରୋଧରେ ରୁଜୁ ହୋଇଛି ଦେଶଦ୍ରୋହ ମାମଲା ।
ସେ କହିଛନ୍ତି, ଭାରତରେ ବିଟିଶଙ୍କୁ ହଟାଇବା ପାଇଁ ଆମେ ସଂଘର୍ଷ କରିଥିଲୁ । ଠିକ ସେହିପରି ତାଲିବାନମାନେ ମଧ୍ୟ ନିଜ ଦେଶକୁ ସ୍ବାଧୀନ କରିଛନ୍ତି । ତାଲିବାନ ଋଷ, ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ନିଜ ଦେଶରେ ରହିବାକୁ ଦେଲାନାହିଁ ବୋଲି କହିଛନ୍ତି ଶଫିକୁର ରେହମାନ । ତାଲିବାନ ଆତଙ୍କବାଦୀଙ୍କୁ ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ସହ ତୁଳନା କରିବା ପରେ ସମାଜବାଦୀ ପାର୍ଟି ସାଂସଦ ଶଫିକୁର ରେହମାନ ବର୍କଙ୍କୁ ଚାରିଆଡୁ ତୀବ୍ର ସମାଲୋଚନା କରାଯାଇଛି । ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ପୋଲିସ । ଶଫିକୁରଙ୍କ ବିରୋଧରେ ଧାରା ୧୨୪-ଏ (ଦେଶଦ୍ରୋହ), ୧୫୩-ଏ, ୨୯୫ ଆଇପିସି ଆଧାରରେ ମାମଲା ରୁଜୁ କରିଛି ପୋଲିସ ।
Comments are closed.