Latest Odisha News

BREAKING NEWS

ବନ୍ଧାହେଲେ ଭଣ୍ଡ ବାବା, ସନ୍ତାନ ପ୍ରାପ୍ତି ପାଇଁ ନିଃସନ୍ତାନ ଦମ୍ପତିଙ୍କ ଠାରୁ ଲୁଟିଥିଲେ ୪ ଲକ୍ଷ

କଟକ: ଆପଣଙ୍କର ପିଲା ଛୁଆ ହେଉନି କି ? କଣ ଆପଣ ସନ୍ତାନ ସୁଖରୁ ବଞ୍ଚିତ ? ତେବେ ସାବଧାନ ! ଏଭଳି ଭଣ୍ଡ ବାବାଙ୍କ ଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଅର୍ଥ ହାନି ସହ ମାନସିକ କଷ୍ଟ ଆହୁରି ବଢ଼ିଯିବ । କଟକର ଝାଞ୍ଜିରିମଙ୍ଗଳା ଅଞ୍ଚଳରୁ ବାଦାମବାଡ଼ି ପୋଲିସ ଜଣେ ଠକ ବାବାଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ଯାଜପୁର ଧର୍ମଶାଳାର ସିଦ୍ଧେଶ୍ୱର ସାମନ୍ତରାୟ ବୋଲି ଜଣାପଡ଼ିଛି ।

କଟକର ସଂଗ୍ରାମ ଦାସଙ୍କ ଛୁଆପିଲା ହେଉ ନଥିଲା । ଯାହାର ଫାଇଦା ଉଠାଇଥିଲେ ସିଦ୍ଧେଶ୍ୱର । ସଂଗ୍ରାମ ଓ ତାଙ୍କ ପତ୍ନୀ ଶୁଭଶ୍ରୀ ସୁଭସ୍ମିତା ନାୟକଙ୍କୁ ଛୁଆ ହେବାର ସ୍ୱପ୍ନ ଦେଖାଇଥିଲେ ସିଦ୍ଧେଶ୍ୱର । କହିଥିଲେ ରାଜ୍ୟର ସୋର, ବାଲେଶ୍ୱର ଓ କେନ୍ଦୁଝର ସହ ରାଜ୍ୟ ବାହାରେ ହିମାଚଳ ପ୍ରଦେଶରେ ଆଶ୍ରମ ଅଛି ।

ବିଶ୍ୱାସ ଜନ୍ମାଇ ଥିଲେ ସଂଗ୍ରାମ ଓ ଶୁଭଶ୍ରୀଙ୍କ ଛୁଆ ହେବ । ଯେଉଁଥିପାଇଁ ସିଦ୍ଧେଶ୍ୱର ବର୍ଷକ ମଧ୍ୟରେ ଦମ୍ପତିଙ୍କ ଠାରୁ ୩ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ । ଘରେ ପୂଜାର୍ଚ୍ଚନା ସହ ଆୟୁର୍ବେଦ ଔଷଧ ନାଁରେ ଏତେ ପରିମାଣର ଟଙ୍କା ଲୁଟି ନେଇଥିଲେ ଭଣ୍ଡବାବା ।

କିନ୍ତୁ ସେମିତି କିଛି ଘଟି ନଥିଲା । ବରଂ ଔଷଧ ଖାଇବା ପରେ ଅସୁସ୍ଥା ହୋଇ ପଡ଼ିଥିଲେ ଶୁଭଶ୍ରୀ । ଆଉ ଏନେଇ ଦମ୍ପତି ଅଭିଯୋଗ କରିବା ପରେ ସିଦ୍ଧେଶ୍ୱର ଏଡ଼େଇ ଯିବାକୁ ଚେଷ୍ଟା କରିଥିଲେ । ପରେ ଦମ୍ପତି ଜାଣିବାକୁ ପାଇଥିଲେ ସେ ଜଣେ ଠକ ବୋଲି । ତାଙ୍କ ଭଳି ଅନେକ ଠକେଇର ଶିକାର ହୋଇଥିବା ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.