Latest Odisha News

ଆତ୍ମଘୋଷିତ ବାବାଙ୍କ ପଲିଟିକାଲ୍ କନେକ୍ସନ୍

ଭୁବନେଶ୍ବର: ହାଥରସ ଦଳାଚକଟା ସହ ନିଜକୁ ଆଉ ଜଣେ ଧାର୍ମିକ ବାବା ବୋଲାଉଥିବା ବ୍ୟକ୍ତିଙ୍କ ସଂପର୍କରେ ଦେଶବାସୀ ଜାଣିବାକୁ ପାଇଛନ୍ତି। ନିଜର ତଥାକଥିକ ସତସଙ୍ଗ ସ୍ଥଳରେ ଦଳଚକଟା ପରେ ବାବା ଘଟଣାସ୍ଥଳରୁ ପଳାଇଛନ୍ତି । ଅନ୍ୟ କେଉଁ ଜାଗାରେ ବସି ଦଳାଚକଟା ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଅସାମାଜିକ ଲୋକଙ୍କ ମୁଣ୍ଡ ଉପରେ ଦୋଷ ଲଦିଦେଇଛନ୍ତି । ପ୍ରକୃତ ବାବାମାନେ କେବେ ଏଭଳି ଆଚରଣ କରିବେ କି ?

ଯେଉଁ ବାବାଙ୍କ ସତସଙ୍ଗରେ ଦଳାଚକଟା ହେଲା ସେହି ବାବା ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ପୋଲିସର ଜଣେ ପୂର୍ବତନ କନେଷ୍ଟବଳ । ପ୍ରକୃତ ନାମ ସୂରଜପାଲ ଜାଟବ । ଚାକିରି କରୁଥିବା ବେଳେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଜେଲ ବି ଯାଇଥିଲେ ସୂରଜପାଲ । ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ନିଲମ୍ବନ ବିରୋଧରେ ସୂରଜପାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରାଯାଇଥିଲେ ମଧ୍ୟ ସେ ୨୦୦୨ରେ ଭିଆରଏସ ନେଇଥିଲେ । ନିଜକୁ ବାବା ଘୋଷିତ କରି ସୂରଜପାଲରୁ ନାରାୟଣ ସାକାର ହରି ଭାବେ ପରିଚିତ ହେଲେ । ଅନୁଗାମୀମାନେ ତାଙ୍କୁ ଭୋଲେ ବାବା ବୋଲି ମଧ୍ୟ କହନ୍ତି । ହାଥରସ ଦଳାଚକଟା ପରେ ଆତ୍ମଘୋଷିତ ବାବାଙ୍କ ବିରୋଧରେ ଏତଲା ଦାୟର ହୋଇନାହିଁ । ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଭୋଲେ ବାବାଙ୍କ ଅନେକ ଆଶ୍ରମ ରହିଛି । ସେ କିନ୍ତୁ ତାଙ୍କ ଅନୁଗାମୀଙ୍କଠାରୁ ଅନୁଦାନ, ଦକ୍ଷିଣା ବା ଚାନ୍ଦା ନିଅନ୍ତି ନାହିଁ ବୋଲି ବହୁ ଥର କହିଛନ୍ତି । ଯଦି ବାବାଙ୍କ ଅର୍ଥ ଲୋଭ ନାହିଁ, ତାହା ହେଲେ ୟୁପିର ବିଭିନ୍ନ ସ୍ଥାନରେ ତାଙ୍କ ମାଲିକାନାରେ ଏକାଧିକ ଭବ୍ୟ ଆଶ୍ରମ କିପରି ରହିଛି ତେଣୁ ଏହି ତଥାକଥିତ ବାବାଙ୍କ ପ୍ରତି ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଅବଶ୍ୟ ବାବାଙ୍କ ଲକ୍ଷ ଲକ୍ଷ ଅନୁଗାମୀ ଅଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଏହି ବାବାଙ୍କ ସେତେ ପ୍ରଚାର ନାହିଁ । ରାଜନୈତିକ ପୃଷ୍ଠପୋଷକତା ବିନା ଭୋଲେ ବାବାଙ୍କ ପରି ବ୍ୟକ୍ତିଙ୍କ ଅଭ୍ୟୁଦୟ ଓ ପ୍ରଭାବ ଅସମ୍ଭବ ବୋଲି ଆଲୋଚନା ହେବା ସ୍ୱାଭାବିକ ।

ଭାରତରେ ଲୋକଙ୍କ ବାବାମାନଙ୍କ ପ୍ରତି ରହିଆସିଛି ଅଗାଧ ବିଶ୍ୱାସ ଓ ଅନୁରକ୍ତି । ନିଜକୁ ବାବା ଓ ପ୍ରବୋଚକ ବୋଲାଉଥିବା ବ୍ୟକ୍ତି ଲୋକଙ୍କ ଜୀବନରେ ଆଧ୍ୟତ୍ମିକତା ଆଣିବା ସହ ସଂସ୍କାର ଓ ସୁଧାର ଆଣିବାକୁ ପ୍ରଲୋଭିତ କରିଥାଆନ୍ତି । ଏହି ତଥାକଥିତ ବାବାମାନେ ପ୍ରକୃତରେ ଅଳ୍ପ ବିଦ୍ୟା ଭୟଙ୍କରୀ ହୋଇଥାଆନ୍ତି । ସେମାନେ କେବଳ ଲୋକଙ୍କ ସରଳ ବିଶ୍ୱାସର ଫାଇଦା ଉଠାଇ ନିଜ ସ୍ୱାର୍ଥ ହାସଲରେ ବ୍ୟସ୍ତ ରହନ୍ତି । ଏପରି ବାବାଙ୍କ ଆଶ୍ରମ ଗୋଟିଏ ଗୋଟିଏ ବଙ୍ଗଳା ପରି ହୋଇଥାଏ । ବିଭିନ୍ନ ବ୍ୟବସାୟରେ ନିଜକୁ ସଂପୃକ୍ତ କରିଥାଆନ୍ତି । ଅନେକ ରାଜନେତାଙ୍କ ନିକଟତର ହୋଇ ପ୍ରଭାବ ବିସ୍ତାର କରନ୍ତି । ଅନେକ ଆତ୍ମଘୋଷିତ ବାବା ନିଜ ନିଜ ପସନ୍ଦର ରାଜନୈତିକ ଦଳ ପାଇଁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିଥାଆନ୍ତି । ଭୋଟ୍ ବ୍ୟାଙ୍କ୍ ଭାବେ କାମରେ ଆସନ୍ତି । ସେମାନଙ୍କ କୁକର୍ମ ଓ ଦୁଷ୍କର୍ମ ପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ ।

ହାଇପ୍ରୋଫାଇଲ ମନ୍ତ୍ରୀ ଓ ନେତା ବିବାଦୀୟ ବାବାଙ୍କ ସହ ନିବିଡ ସଂପର୍କ ରଖିଥିବା ଉଦାହରଣ ଅନେକ ରହିଛି । ପ୍ରାଇଭେଟ୍ ପ୍ଲେନରେ ଉଡୁଥିବା ଓ ଏକ ପଂଚତାରକା ହୋଟେଲ ଭଳି କୋଠାକୁ ଆଶ୍ରମ ବୋଲି କହୁଥିବା ବାବା ବା ଗଡମ୍ୟାନ ବି ଅଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ଚନ୍ଦ୍ରସ୍ୱାମୀ ନାମକ ଜଣେ ତାନ୍ତ୍ରିକଙ୍କ ସହ ନିବିଡ ସଂପର୍କ ଥିଲା । ପରେ ଚନ୍ଦ୍ରସ୍ୱାମୀ ଏକ ବଡ ଠକେଇ ମାମଲାରେ ଫସିଥିଲେ । ଇନ୍ଦିରା ଗାନ୍ଧୀଙ୍କ ଆଧ୍ୟାତ୍ମିକ ଗୁରୁ ଧୀରେନ୍ଦ୍ର ବ୍ରହ୍ମଚାରୀ ଥିଲେ ଜଣେ ବିଳାସବ୍ୟସନ ପ୍ରିୟ ବାବା। ସେ ପ୍ରାଇଭେଟ ଜେଟରେ ଉଡୁଥିଲେ ।

ଆଶାରାମ ବାପୁ, ଗୁରମିତ ସିଂହ ରାମ ରହିମଙ୍କ ପରି ବାବା ରାଜନୈତିକ ପୃଷ୍ଠପୋଷକତା ଉପଭୋଗ କରନ୍ତି ବୋଲି ଅନେକ ଥର ଅଭିଯୋଗ ହୋଇଛି । ଆଧ୍ୟାତ୍ମିକତା ନାମରେ କିଛି ବାବା ନିଜର ବ୍ୟବସାୟ ସାମ୍ରାଜ୍ୟର ସଂପ୍ରସାରଣରେ ବ୍ୟସ୍ତ । ଏଥିପାଇଁ ସେମାନେ ରାଜନୈତିକ ପୃଷ୍ଠପୋଷକତା ଆବଶ୍ୟକ କରନ୍ତି । ବିଡମ୍ବନାର କଥା ଯେ, ବାରମ୍ବାର ବାବାଙ୍କ ଅସଲି ଚେହେରା ପଦାରେ ପଡୁଥିଲେ ମଧ୍ୟ ଧର୍ମଭୀରୁ ଲୋକେ ବାବାଙ୍କ ପ୍ରତି ବିଶ୍ୱାସ ଛାଡି ପାରୁନାହାନ୍ତି । ଏହାର ଫାଇଦା ନେଇ ପ୍ରତିଦିନ ଆମ ଦେଶରେ କିଛି ନା କିଛି ନୂଆ ବାବା ଆବିର୍ଭାବ ହୁଅନ୍ତି ,  ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ।

Leave A Reply

Your email address will not be published.